ସଂସ୍କୃତ ମହାବିଦ୍ୟାଳୟ ଛାତ୍ରବାସରେ ‘କୃପାଳୁ ଶିଶୁ ସାହିତ୍ୟ ଆସର’ :ସାକ୍ଷର , ସ୍ୱଚ୍ଛ ଓ ସବୁଜ ଭାରତ ଗଠନ ନିମନ୍ତେ ଛାତ୍ରମାନଙ୍କ ଶପଥ ଗ୍ରହଣ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରକାରୀ ସଂସ୍କୃତ ମହାବିଦ୍ୟାଳୟ ଛାତ୍ରବାସର ପୂଜା ଗୃହ ପରିସରରେ ‘କୃପାଳୁ ଶିଶୁ ସାହିତ୍ୟ ଆସର’ ଅନୁଷ୍ଠିତ ହୋଇଯାଇଛି। ବାଳ-ମୁକୁନ୍ଦ କେନ୍ଦ୍ର ଆନୁକୂଲ୍ୟରେ ଆୟୋଜିତ ଏହି ଆସରରେ ‘ଭାଦ୍ରବର ସଂସ୍କାରେ ସାକ୍ଷର , ସ୍ୱଚ୍ଛ ଓ ସବୁଜ ଭାରତ’ ଶୀର୍ଷକ ବିଷୟବସ୍ତୁ ଉପରେ ଶିକ୍ଷଣୀୟ ଆଲୋଚନା ଓ ସାହିତ୍ୟ ଚର୍ଚ୍ଚା କରାଯାଇଥିଲା।
କାର୍ଯ୍ୟକ୍ରମକୁ ବାଳ-ମୁକୁନ୍ଦ କେନ୍ଦ୍ରର ସଂଯୋଜକ ଶ୍ରୀ ନିତ୍ୟାନନ୍ଦ ଚୌଧୁରୀ ସଂଯୋଜନା ତଥା ପରିଚାଳନା କରିଥିଲେ। ସେ ଭାଦ୍ରବ ମାସର ପବିତ୍ର ପର୍ବପର୍ବାଣୀ ସହ ରାଷ୍ଟ୍ର ନିର୍ମାଣର ତ୍ରିବିଧ ସଂକଳ୍ପକୁ ଯୋଡ଼ି ବୁଝାଇଥିଲେ ଯେ, ଶ୍ରୀଗଣେଶ ପୂଜାର ଆଦର୍ଶ ଆମକୁ ‘ସାକ୍ଷର ଭାରତ’, ଜନ୍ମାଷ୍ଟମୀ ପୂର୍ବ ଅଧିବାସ ଓ ଆତ୍ମଶୁଦ୍ଧି ଆମକୁ ‘ସ୍ୱଚ୍ଛ ଭାରତ’ ଏବଂ କୃଷିଭିତ୍ତିକ ପର୍ବ ନୂଆଖାଇ ଆମକୁ ପରିବେଶ ସୁରକ୍ଷା ସହ ‘ସବୁଜ ଭାରତ’ ଗଠନର ବାର୍ତ୍ତା ପ୍ରଦାନ କରେ। ଶିଶୁ ତଥା ଯୁବପିଢ଼ିମାନେ ସଂସ୍କାରବାନ ହୋଇ ନିଜ ଜୀବନରେ ଏହି ମୂଲ୍ୟବୋଧଗୁଡ଼ିକୁ ପ୍ରୟୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଶ୍ରୀ କାହ୍ନୁଚରଣ ପ୍ରଧାନ ଯୋଗଦେଇ ଉପସ୍ଥିତ ଛାତ୍ରମାନଙ୍କୁ ତ୍ରିବିଧ ଶପଥ ପାଠ କରାଇଥିଲେ :
ସାକ୍ଷରତା ଶପଥ : “ମୁଁ ନିଷ୍ଠାର ସହ ପାଠ ପଢ଼ିବି ଏବଂ ଅନ୍ୟମାନଙ୍କୁ ଶିକ୍ଷିତ ହେବା ପାଇଁ ଉତ୍ସାହିତ କରି ସାକ୍ଷର ଭାରତ ଗଠନରେ ଭାଗୀଦାର ହେବି”। ସ୍ୱଚ୍ଛତା ଶପଥ : “ମୁଁ ମୋର ବିଦ୍ୟାଳୟ , ଘର ଓ ପରିବେଶକୁ ସର୍ବଦା ପରିଷ୍କାର ରଖିବି , କେବେ ଏଣେତେଣେ ଅଳିଆ ପକାଇବି ନାହିଁ”। ସବୁଜତା ଶପଥ : “ମୁଁ ନିଜ ଜନ୍ମଦିନ ତଥା ବିଶେଷ ଦିବସରେ ଅତିକମରେ ଗୋଟିଏ ଗଛ ଲଗାଇବି ଏବଂ ଧରିତ୍ରୀକୁ ସବୁଜ ରଖିବା ପାଇଁ ତା’ର ଯତ୍ନ ନେବି”।
ପ୍ରକାଶ ଥାଉ କି, ଛାତ୍ରଛାତ୍ରୀଙ୍କ ଭିତରେ ନୈତିକତା , ସାହିତ୍ୟ ରୁଚି ଏବଂ ଉତ୍ତମ ସଂସ୍କାର ଜାଗ୍ରତ କରିବା ଉଦ୍ଦେଶ୍ୟରେ ବାଳ-ମୁକୁନ୍ଦ କେନ୍ଦ୍ର ପକ୍ଷରୁ ସରକାରୀ ଶିକ୍ଷାନୁଷ୍ଠାନର ଛୁଟି ଦିନମାନଙ୍କରେ ନିୟମିତ ଭାବେ ଏହି ‘କୃପାଳୁ ଶିଶୁ ସାହିତ୍ୟ ଆସର’ ଆୟୋଜନ କରାଯାଉଛି। ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରବାସର ଅନ୍ତେବାସୀ ତଥା ଶିକ୍ଷାନୁରାଗୀମାନେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଶାନ୍ତି ପାଠ ପୂର୍ବକ କାର୍ଯ୍ୟକ୍ରମ ସାଙ୍ଗ ହୋଇଥିଲା।