ଗୁଣପୁର ରୁ ସନ୍ତୋଷ କୁମାର: ୧୫ ବର୍ଷରୁ କମ କ୍ରିକେଟ ରେ ଓଡିଶା ପାଇଁ ଖେଳିବାର ସୁଯୋଗ ପାଇଛନ୍ତି ରାୟଗଡା ଜିଲ୍ଲା ଗୁଡାରି ଝିଅ ଆୟୁଷା ମିଶ୍ର। ଏ ନେଇ ଓ ସି ଏ ପକ୍ଷରୁ ସୂଚନା ମିଳିଛି ଏବଂ ଆସନ୍ତା ୧୯ ତାରିଖରେ ବଲାଙ୍ଗିର ହେବାକୁ ଥିବା କ୍ୟାମ୍ପ ରେ ଆସନ୍ତା ୧୮ ତାରିଖ ସୁଦ୍ଧା କୋଚଙ୍କ ନିକଟରେ ଉପସ୍ଥିତ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଗତ କିଛି ଦିନ ହେବ ସେ କଟକ ବାରବାଟି ଷ୍ଟାଡ଼ିଅମରେ ଓ ସି ଏ ପକ୍ଷରୁ ଟିମ ସହ ପ୍ରାକ୍ଟିସ କରୁଥିଲେ। ପୂର୍ବରୁ ସେ ଗଞ୍ଜାମ ଜିଲ୍ଲା ପାଇଁ ବାରବାଟି କ୍ରିକେଟ ଷ୍ଟେଡିଅମରେ ଆନ୍ତଃଜିଲ୍ଲା ମହିଳା କ୍ରିକେଟ ଖେଳିବାର ସୁଯୋଗ ପାଇଥିଲେ। ବର୍ତ୍ତମାନ ସେ ବ୍ରହ୍ମପୁର ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ଦଶମ ଶ୍ରେଣୀରେ ଅଧୟନ କରୁଛନ୍ତି। ଜଣେ ଦକ୍ଷ ବାମହାତୀ ବ୍ୟାଟ୍ସମ୍ୟାନ ଭାବେ ଜିଲ୍ଲାରେ ଜଣାଶୁଣା ଥିବା ବେଳେ ସେ ଜଣେ ଭଲ ଓଡିଶୀ ନୃତ୍ୟ ଶିଳ୍ପୀ ଭାବେ ଭୁବନେଶ୍ୱରରେ ପ୍ରଖ୍ୟାତ ନୃତ୍ୟଶିଳ୍ପୀଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ପିତା ମିନତ ମିଶ୍ର ବ୍ରହ୍ମପୁରରେ ପୋଲିସ ବିଭାଗରେ କାର୍ଯ୍ୟରତ ଥିବା ବେଳେ ସେ ମଧ୍ୟ ଜଣେ ଭଲ କ୍ରିକେଟ ଖେଳାଳି ଭାବେ ପୂର୍ବରୁ ଗୁଡାରି ପାଇଁ ଅନେକ ଥର ଗୌରବ ଆଣିଛନ୍ତି। ଏହାଛଡା ସେ ଗଜପତି ଜିଲ୍ଲା କ୍ରିକେଟ ପାଇଁ ମଧ୍ୟ ଖେଳିବାର ସୁଯୋଗ ପାଇଥିଲେ। ପିତାଙ୍କ କହିବାନୁଯାୟୀ ଝିଅ ପରିଶ୍ରମ କରୁଛି ସମସ୍ତଙ୍କ ଆଶୀର୍ବାଦ ରହିଲେ ସେ ଜାତୀୟ ଦଳରେ ଖେଳିବାର ସୁଯୋଗ ପାଇବ। ଏହି ଖବର ଶୁଣିବା ପରେ ଆୟୁସା ଙ୍କ ନିକଟକୁ ଶୁଭେଚ୍ଛା ର ସୁଅ ଛୁଟିଛି।