ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜର ସାଧାରଣ ସମ୍ମିଳନୀ

10

ବେଲଗୁଣ୍ଠା :୧୬/୯-(ଶିବରାମ ଚୌଧୁରୀ )-ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜ, ବେଲଗୁଣ୍ଠା ମୁଠାର ଏକ ବାର୍ଷିକ ସାଧାରଣ ସମ୍ମିଳନୀ ବେଲଗୁଣ୍ଠା ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ଗୃହରେ ଅନୁଷ୍ଠିତ ହୋଇଯାଇଛି।ପ୍ରତିବର୍ଷ ସମାଜର ଆରାଧ୍ୟ ଦେବତା ଶ୍ରୀଗଣେଶଙ୍କ ପୂଜା ଅବସରରେ ଏହି ସମ୍ମିଳନୀ ଆୟୋଜିତ ହୋଇଥାଏ।ଏହି ଅବସରରେ ସଭାପତି ଜଗନ୍ନାଥ ସାହୁ, ଉପସଭାପତି ଉପେନ୍ଦ୍ର ସାହୁ, ସମ୍ପାଦକ ବନବାସ ସାହୁ, କୁଳ ବେହେରା ସନ୍ତୋଷ କୁମାର ସାହୁଙ୍କ ସମେତ ସମାଜର ବହୁ କର୍ମକର୍ତ୍ତା ଓ ସଦସ୍ୟ ମଞ୍ଚାସୀନ ଥିଲେ।ସଭାରେ ସମାଜର ନୂତନ ଗୃହ ନିର୍ମାଣ ପାଇଁ ଏକ ସ୍ଥାୟୀ ପାଣ୍ଠି ଗଠନ ନିମନ୍ତେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିପାଇଁ ପ୍ରତ୍ୟେକ ସଦସ୍ୟ ନିଜ ପରିବାର ପକ୍ଷରୁ ପ୍ରତିବର୍ଷ ୧,୦୦୦ ଟଙ୍କା ଲେଖାଏଁ ଅର୍ଥ ପ୍ରଦାନ କରିବେ ବୋଲି ଧାର୍ଯ୍ୟ କରାଯାଇଥିଲା।ଉପସ୍ଥିତ ସମସ୍ତ ସଦସ୍ୟ ଏହି ପ୍ରସ୍ତାବରେ ଏକମତ ହୋଇ ନିର୍ଦ୍ଧାରିତ ଅର୍ଥ ପ୍ରଦାନ କରିବାକୁ ସମ୍ମତି ପ୍ରକାଶ କରିଥିଲେ।ଏଥିସହ ସମାଜର ଆଗାମୀ ଦିନରେ ବିଭିନ୍ନ ସାମାଜିକ ଓ ଜନହିତକର କାର୍ଯ୍ୟକ୍ରମ ହାତକୁ ନେବା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ସମାଜର ଏକତା, ସାମାଜିକ ବିକାଶ ଓ ଯୁବପିଢ଼ିର ଉନ୍ନତି ପାଇଁ ଆଗାମୀ ଦିନରେ ଅଧିକ ସକ୍ରିୟ ଭାବରେ କାର୍ଯ୍ୟ କରିବାକୁ ସଦସ୍ୟମାନେ ମତ ପ୍ରକାଶ କରିଥିଲେ।ସଭା ପରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଶେଷରେ କୁଳ ବେହେରା ସନ୍ତୋଷ କୁମାର ସାହୁ ସଭାପତି, ମଞ୍ଚାସୀନ କର୍ମକର୍ତ୍ତା, ସମାଜର ସମସ୍ତ ସଦସ୍ୟ ଓ ଉପସ୍ଥିତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.