ବେଲଗୁଣ୍ଠା:୧୬/୯- (ଶିବରାମ ଚୌଧୁରୀ )-ଅଗ୍ରପୂଜ୍ୟ ମହାପ୍ରଭୁ ଶ୍ରୀଗଣେଶଙ୍କ ପବିତ୍ର ପୂଜା ଅବସରରେ ଏବେ ଉତ୍ସବମୁଖର ହୋଇଉଠିଛି ସମ୍ପୂର୍ଣ୍ଣ ବେଲଗୁଣ୍ଠା ସହର। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ସହର ସାରା ଗଣପତିଙ୍କ ଆବାହନ କରାଯାଇଛି। ସହରର ବିଭିନ୍ନ ସାହିରେ ୩୦ରୁ ଊର୍ଦ୍ଧ୍ୱ ଗଣେଶ ମେଢ଼ ପୂଜା ପାଉଥିବା ବେଳେ ମନମୁଗ୍ଧକର ଆଲୋକ ସଜ୍ଜା ଓ ସୁନ୍ଦର ତୋରଣ ସହରର ଶୋଭାକୁ ଦ୍ୱିଗୁଣିତ କରିଛି। ସନ୍ଧ୍ୟା ହେବା ମାତ୍ରେ ଏହି ଆକର୍ଷଣୀୟ ମେଢ଼ ଓ ଆଲୋକମାଳା ଦର୍ଶନ ପାଇଁ ବିଭିନ୍ନ ସାହିରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମୁଛି।ଦର୍ଶନାର୍ଥୀଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରତି ସାହି କମିଟି ତରଫରୁ ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ପ୍ରକାର ସୁସ୍ବାଦୁ ବ୍ୟଞ୍ଜନ ପ୍ରସାଦ ଆକାରରେ ବଣ୍ଟନ କରାଯାଉଛି। ପ୍ରସାଦ ପାଇବା ପାଇଁ ମଣ୍ଡପଗୁଡ଼ିକ ନିକଟରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଲକ୍ଷ୍ୟ କରାଯାଉଥିବା ବେଳେ ଲୋକଙ୍କ ମଧ୍ୟରେ ଅହେତୁକ ଉତ୍ସାହ ଦେଖିବାକୁ ମିଳିଛି।କେଉଟ ସାହିରେ ଦହିବୁନ୍ଦି ପ୍ରସାଦ,ଗୋପୀନାଥ ସାହିରେ ପୁରୀ, ଉପମା ଓ ତରକାରୀ,ଆଳିଆ ସାହିରେ ଉପମା ଓ ତରକାରୀ,ଅନ୍ୟାନ୍ୟ ସାହି ମାନଙ୍କରେ କାନିକା, ମିଷ୍ଟାନ୍ନ, ପକୁଡ଼ି ଏବଂ ଅନ୍ୟାନ୍ୟ ଭୋଗ ସେବା କରାଯାଇ ଶ୍ରଦ୍ଧାଳୁ ମାନଙ୍କୁ ବଣ୍ଟନ କରାଯାଉଛି ।ରଙ୍ଗବେରଙ୍ଗର ଆଲୋକମାଳା,ଭକ୍ତିମୟ ଆବହସଙ୍ଗୀତ ଏବଂ ସୁସ୍ବାଦୁ ପ୍ରସାଦ ସେବନକୁ ନେଇ ଚଳିତ ବର୍ଷ ଗଣେଶ ପୂଜାରେ ବେଲଗୁଣ୍ଠା ସହର ସମ୍ପୂର୍ଣ୍ଣ ଚଳଚଞ୍ଚଳ ଓ ଆଧ୍ୟାତ୍ମିକ ପରିବେଶରେ ବୁଡ଼ି ରହିଛି ।
Sign in
Sign in
Recover your password.
A password will be e-mailed to you.