ଶପଥ ଗ୍ରହଣ ଓ ଅଭିମୁଖୀକରଣ କାର୍ଯ୍ୟକ୍ରମରେ ନୂତନ ସ୍ୱେଚ୍ଛାସେବୀଙ୍କୁ ସ୍ବାଗତ କଲା ଯୁବ ରେଡକ୍ରସ୍

16

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସେଞ୍ଚୁରିଆନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ , ପାରଳାଖେମୁଣ୍ଡି କ୍ୟାମ୍ପସରେ ଯୁବ ରେଡ୍ କ୍ରସ୍ ପକ୍ଷରୁ ନୂତନ ସ୍ୱେଚ୍ଛାସେବୀମାନଙ୍କ ପାଇଁ ଏକ ଶପଥ ଗ୍ରହଣ ଓ ଅଭିମୁଖୀକରଣ କାର୍ଯ୍ୟକ୍ରମ ଆଜି ସେମିନାର ହଲ୍‌ରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ସ୍ୱେଚ୍ଛାସେବୀମାନଙ୍କୁ ଔପଚାରିକ ଭାବେ ଯୁବ ରେଡ୍ କ୍ରସ୍ ରେ ସାମିଲ କରାଯାଇଥିଲା I ଏଥିସହ ସେବା, ସହାନୁଭୂତି, ଦାୟିତ୍ବବୋଧ ଓ ସକ୍ରିୟ ନାଗରିକତ୍ବର ମୂଲ୍ୟବୋଧକୁ ଗୁରୁତ୍ବ ଦିଆଯାଇଥିଲା।
କାର୍ଯ୍ୟକ୍ରମର ଆରମ୍ଭରେ ରେଡ୍ କ୍ରସ୍‌ର ମାନବିକ ମୂଲ୍ୟବୋଧ, ଅତୀତର ବିଭିନ୍ନ ମାନବିକ ସେବା ଓ ଅଭିଯାନ ସମ୍ପର୍କିତ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା। ପରେ ଅତିଥିମାନଙ୍କୁ ମଞ୍ଚକୁ ସ୍ବାଗତ କରାଯାଇଥିଲା I ରେଡ୍ କ୍ରସ୍‌ର ପ୍ରତିଷ୍ଠାତା ଶ୍ରୀ ଜାନ୍ ହେନ୍ରୀ ଡୁନାଣ୍ଟଙ୍କ ଉଦ୍ଦେଶ୍ୟରେ ପାରମ୍ପରିକ ଦୀପ ପ୍ରଜ୍ଜଳନ କରାଯାଇଥିଲା I ଏହା ମାନବିକତା ଓ ସେବା ପ୍ରତି ସଂଗଠନର ଦୀର୍ଘସ୍ଥାୟୀ ପ୍ରତିବଦ୍ଧତାର ପ୍ରତୀକ ଭାବେ ପରିଗଣିତ ହୋଇଥିଲା।
ଯୁବ ରେଡ୍ କ୍ରସ୍ ର ବରିଷ୍ଠ ପରାମର୍ଶଦାତା ଡ. ସୁଶାନ୍ତ କୁମାର ପଟ୍ଟନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରି ଯୁବ ରେଡ୍କ୍ରସ୍ ମାଧ୍ଯମରେ ଯୁବପିଢ଼ିଙ୍କ ମଧ୍ୟରେ ସାମାଜିକ ଦାୟିତ୍ବବୋଧ , ମାନବିକତା ଓ ସେବା ମନୋଭାବ ବିକଶିତ କରିବାର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ। ସି ୟୁ ଟି ଏମ୍ ର ଡିନ୍ , ଛାତ୍ର ବ୍ୟାପାର , ଡ. ରିତେଶ କୁମାର ଏବଂ ସି ୟୁ ଟି ଏମ୍ , ପାରଳାଖେମୁଣ୍ଡିର ରେଜିଷ୍ଟ୍ରାର ଡ. ଅନିତା ପାତ୍ର ଉପସ୍ଥିତ ରହି ନୂତନ ସ୍ୱେଚ୍ଛାସେବୀମାନଙ୍କୁ ସମାଜ କଲ୍ୟାଣ ଓ ମାନବିକ ସେବା କାର୍ଯ୍ୟରେ ସକ୍ରିୟ ଭାବେ ଯୋଗଦେବାକୁ ପ୍ରେରିତ କରିଥିଲେ।
ଏହି ଅବସରରେ ଡ. ଅନିତା ପାତ୍ର ନୂତନ ସ୍ୱେଚ୍ଛାସେବୀମାନଙ୍କୁ ରେଡ୍ କ୍ରସ୍ ର ଶପଥ ଓ ସ୍ଲୋଗାନ୍ ପାଠ କରାଇଥିଲେ। ସମସ୍ତ ସ୍ୱେଚ୍ଛାସେବୀ ସାମୂହିକ ଭାବେ ଶପଥ ପାଠ କରି ସଂଗଠନର ମୂଳ ନୀତି ଓ ମାନବିକ ସେବା ପ୍ରତି ନିଜର ପ୍ରତିବଦ୍ଧତା ପୁର୍ନବ୍ୟକ୍ତ କରିଥିଲେ।
ସି ୟୁ ଟି ଏମ୍ ର ସ୍କୁଲ୍ ଅଫ୍ ନର୍ସିଂ ର ପ୍ରିନ୍ସପାଲ ପ୍ରଫେସର ଏସ୍. ଏନ୍. ସନ୍ଧ୍ୟା ଏବଂ ଯୁବ ରେଡକ୍ରସ୍ ର ଜିଲ୍ଲା କନଭେନର୍‌ ସେକ୍ରେଟାରୀ ଡ. ବିପ୍ଲବ ରଞ୍ଜନ ପ୍ରଧାନ ମଧ୍ୟ ଉପସ୍ଥିତ ହୋଇ ନୂତନ ସ୍ୱେଚ୍ଛାସେବୀମାନଙ୍କୁ ସେବା ମନୋଭାବ , ସାମାଜିକ ଦାୟିତ୍ବ ଓ ମାନବିକ ମୂଲ୍ୟବୋଧକୁ ନିଜ ଜୀବନରେ ଅନୁସରଣ କରିବାକୁ ଉତ୍ସାହିତ କରିଥିଲେ।


କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ୍ ଗଜପତି ଜିଲ୍ଲା ସଂଯୋଜକ ତ‌ଥା ସମ୍ବଳ ବ୍ୟକ୍ତି ଡ. ପ୍ରଦୀପ୍ତ କୁମାର ଷଡ଼ଙ୍ଗୀ ଏକ ଜ୍ଞାନବର୍ଦ୍ଧନ ଅଭିଭାଷଣ ପ୍ରଦାନ କରି ଯୁବ ରେଡକ୍ରସ୍ ସ୍ୱେଚ୍ଛାସେବୀ ଭାବେ ଦାୟିତ୍ଵ , କର୍ଭବ୍ୟ ଓ ଭୂମିକା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ସମାଜ ପ୍ରତି ସେବା ଓ ମାନବିକ କାର୍ଯ୍ୟରେ ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣର ଗୁରୁତ୍ବ ଉପରେ ସେ ଆଲୋକପାତ କରିଥିଲେ।
ଯୁବ ରେଡକ୍ରସ୍ ପ୍ରତି ମୂଲ୍ୟବାନ ଅବଦାନ ଓ ମାର୍ଗଦର୍ଶନ ପାଇଁ ଡ. ପ୍ରଦୀପ୍ତ କୁମାର ଷଡ଼ଙ୍ଗୀ ଏବଂ ଡ. ବିପ୍ଲବ ରଞ୍ଜନ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା I ଯୁବ ରେଡକ୍ରସ୍ ର ଲେଡି କାଉନସିଲର ସୌମ୍ୟଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରି ଉପସ୍ଥିତ ଅତିଥି , ସମ୍ବଳ ବ୍ୟକ୍ତି , ଅଧ୍ୟାପକ-ଅଧ୍ୟାପିକା ଓ ସମସ୍ତ ସ୍ୱେଚ୍ଛାସେବୀଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ।
ଏହି ଅବସରରେ ଆନ୍ତର୍ଜାତୀୟ ଯୁବ ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ବିଜେତା ଓ ରନର୍ସ-ଅପ୍ ହୋଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇ ସେମାନଙ୍କ ଉତ୍ସାହ ଓ ସଫଳତାକୁ ସମ୍ମାନିତ କରାଯାଇଥିଲା I
କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଡ. ପ୍ରଦୀପ୍ତ କୁମାର ଷଡ଼ଙ୍ଗୀଙ୍କ ଦ୍ବାରା ଏକ ଅଭିମୁଖୀକରଣ ଅଧିବେଶନ ଆୟୋଜିତ ହୋଇଥିଲା । ଏଥିରେ ନୂତନ ଭାବେ ଯୁବ ରେଡକ୍ରସ ରେ ସାମିଲ ହୋଇଥିବା ସ୍ୱେଚ୍ଛାସେବୀମାନଙ୍କୁ ସେମାନଙ୍କର ଭୂମିକା , ଦାୟିତ୍ଵ ଏବଂ ଯୁବ ରେଡକ୍ରସ୍ ମାଧ୍ୟମରେ ସମାଜ ପାଇଁ ସେବା କରିବାର ବିଭିନ୍ନ ସୁଯୋଗ ସମ୍ପର୍କରେ ମାର୍ଗଦର୍ଶନ ପ୍ରଦାନ କରାଯାଇଥିଲା I
ଏହି ଶପଥ ଗ୍ରହଣ ଓ ଅଭିମୁଖୀକରଣ କାର୍ଯ୍ୟକ୍ରମ ନୂତନ ସ୍ୱେଚ୍ଛାସେବୀମାନଙ୍କ ପାଇଁ ଏକ ପ୍ରେରଣାଦାୟକ ଆରମ୍ଭର ସୂଚନା ଦେଇଥିଲା I ଯୁବପିଢ଼ିଙ୍କ ମଧ୍ୟରେ ସେବା ମନୋଭାବ , ମାନବିକତା ଓ ସାମାଜିକ ଦାୟିତ୍ବବୋଧକୁ ବିକଶିତ କରି ଏକ ଅଧିକ ସହାନୁଭୂତିଶୀଳ , ନିରାପଦ ଓ ମାନବିକ ସମାଜ ଗଠନ ଦିଗରେ ଯୁବ ରେଡକ୍ରସର ଲକ୍ଷ୍ୟକୁ ଏହି କାର୍ଯ୍ୟକ୍ରମ ପୁନର୍ବାର ସୁଦୃଢ଼ କରିଥିଲା।

Leave A Reply

Your email address will not be published.