ଖୋର୍ଦ୍ଧା ରୁ (ସେକ ଜାଫର ): ଖୋର୍ଦ୍ଧା ପୌରପରିଷଦର ୮ ନମ୍ବର ୱାର୍ଡରେ ଡ୍ରେନେଜ ବ୍ୟବସ୍ଥାର ଅବ୍ୟବସ୍ଥା ଯୋଗୁଁ ଜଳବନ୍ଦୀ ସମସ୍ୟା ଉଗ୍ର ରୂପ ନେଇଛି। ବିଶେଷକରି ଅରବିନ୍ଦ ନଗର ଅଞ୍ଚଳରେ ବର୍ଷା ଜଳ ନିଷ୍କାସନ ହୋଇପାରୁନଥିବାରୁ ଅନେକ ଘର ଭିତରେ ପାଣି ପଶୁଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଖୋର୍ଦ୍ଧା ପୌରପରିଷଦର ୫, ୬ ଓ ୮ ନମ୍ବର ୱାର୍ଡର ବର୍ଷା ଜଳ ସ୍ୱପ୍ନେଶ୍ୱର ମନ୍ଦିର ସମ୍ମୁଖସ୍ଥ ପ୍ରଦର୍ଶନୀ ପଡ଼ିଆ ନିକଟରେ ଥିବା ଖାଲରେ ଜମା ହୋଇ ରହୁଛି। ଫଳରେ ୮ ନମ୍ବର ୱାର୍ଡର ଅରବିନ୍ଦ ନଗର ଅଞ୍ଚଳରେ ରାସ୍ତା ଉପରେ ପ୍ରାୟ ୪ ଫୁଟ ଉଚ୍ଚତାର ପାଣି ଜମି ରହୁଛି। ଏହା ଯୋଗୁଁ ସାଧାରଣ ଜନଜୀବନ ବ୍ୟାହତ ହେବା ସହ ଯାତାୟାତରେ ମଧ୍ୟ ବ୍ୟାପକ ସମସ୍ୟା ସୃଷ୍ଟି ହେଉଛି। ଅଭେନର ଷ୍ଟାର ସ୍କୁଲ ଗେଟ ସାମନା ଜଳରେ ପରିପୂର୍ଣ୍ଣ। ଶିଶୁ ମାନଙ୍କୁ ବିଦ୍ୟାଳୟରେ ଛାଡିବାକୁ ଆସୁଥିବା ଅଭିବାବକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହି ଅଞ୍ଚଳରେ ବସବାସ କରୁଥିବା ହୋମିଓପାଥି ଚିକିତ୍ସକ ଡାକ୍ତର ପ୍ରକାଶ ସାହୁଙ୍କ କ୍ଲିନିକକୁ ଆସୁଥିବା ରୋଗୀମାନେ ମଧ୍ୟ ଜଳବନ୍ଦୀ ପରିସ୍ଥିତି ଯୋଗୁଁ ନାନା ଅସୁବିଧା ସମ୍ମୁଖୀନହେଉଛନ୍ତି।ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ସମସ୍ୟା ସମ୍ପର୍କରେ ପୌରପରିଷଦର ଯନ୍ତ୍ରୀ (ଜେଇ), ପୌରାଧ୍ୟକ୍ଷା ଏବଂ ସମ୍ପୃକ୍ତ କାଉନ୍ସିଲରଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇନାହିଁ। କେବଳ ଆଶ୍ୱାସନ ମିଳୁଥିବା ବେଳେ ପ୍ରକୃତ ସମାଧାନ ହୋଇନଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରି ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ବାସିନ୍ଦାମାନେ ପୌରପରିଷଦ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି।