ଓଡ଼ଗାଁ, ୧୫।୯(ଶ୍ରୀକାନ୍ତ କୁମାର ମିଶ୍ର): ପ୍ରଥମ ବିବାହକୁ ଲୁଚାଇ ଦ୍ୱିତୀୟ ବିବାହ କରିବା ସହ ଯୌତୁକ ନିର୍ଯାତନା ଦେବା ଅଭିଯୋଗରେ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଜଣେ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଶଙ୍ଖପଲ୍ଲୀ ଗ୍ରାମର ବାବୁ ନାୟକ (୩୨)। ପୋଲିସ ସୂଚନାନୁସାରେ, ବାବୁ କିଛି ବର୍ଷ ପୂର୍ବେ ଓଡ଼ଗାଁ ଥାନା ଅନ୍ତର୍ଗତ ମଠଖଜୁରିଆରେ ପ୍ରଥମ ବିବାହ କରିଥିଲେ। ବିବାହର କିଛିଦିନ ପରେ ଅଧିକ ଯୌତୁକ ଦାବି କରି ସ୍ତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ୨୦୨୩ ମସିହାରେ ଓଡ଼ଗାଁ ଥାନାରେ ୮୯/୨୦୨୩ ନମ୍ବରରେ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲା ବର୍ତ୍ତମାନ ଅଦାଲତରେ ବିଚାରାଧୀନ ରହିଛି।ଏହାସତ୍ତ୍ୱେ ବାବୁ ନିଜର ପ୍ରଥମ ବିବାହ ସମ୍ପର୍କରେ ଗୋପନ ରଖି ଚଳିତବର୍ଷ ଜାନୁଆରୀରେ ଓଡ଼ଗାଁ ଥାନା ସୁନାମୁହିଁ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମର ଗୋପାଳ ନାୟକଙ୍କ ଝିଅ ପ୍ରିୟଙ୍କା ନାୟକ (୨୨)ଙ୍କୁ ବିବାହ କରିଥିଲେ। ପରେ ଯୌତୁକ ଦାବି କରି ପ୍ରିୟଙ୍କାଙ୍କୁ ନିର୍ଯାତନା ଦେବାରୁ ସେ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ୩୩୮/୨୩ ନମ୍ବରରେ ମାମଲା ରୁଜୁ କରି ତଦନ୍ତ କରୁଥିଲା। ତଦନ୍ତକାରୀ ଅଧିକାରୀ ଏସ୍ଆଇ ଚକ୍ରଧର ସିଂଙ୍କ ତଦନ୍ତ ପରେ ପ୍ରଥମ ବିବାହ ଲୁଚାଇ ଦ୍ୱିତୀୟ ବିବାହ ଓ ଯୌତୁକ ନିର୍ଯାତନା ଅଭିଯୋଗରେ ବାବୁଙ୍କୁ ଗିରଫ କରାଯାଇଛି।