ଅନ୍ୟ ଭାଗ ବିପଦସଙ୍କୁଳ, ଅଭିଭାବକଙ୍କ ଚିନ୍ତା
ଓଡ଼ଗାଁ, ୧୫ା୯(ଶ୍ରୀକାନ୍ତ କୁମାର ମିଶ୍ର): ଲଗାଣ ବର୍ଷା ଯୋଗୁଁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଗୈାଡ଼ପୁଟସ୍ଥିତ ଝାଙ୍ଗିରାମ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାୟ ୧୦୦ ଫୁଟ ପାଚେରୀ ଭୁଶୁଡ଼ି ପଡ଼ିଛି। ଅନ୍ୟ ପ୍ରାୟ ୧୦୦ ଫୁଟ ପାଚେରୀ ଗଛକୁ ଆଉଜି ରହିଥିବାରୁ ତାହା ମଧ୍ୟ ଯେକୌଣସି ସମୟରେ ଭୁଶୁଡ଼ି ପଡ଼ିବା ଆଶଙ୍କା ରହିଛି।ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିପଦସଙ୍କୁଳ ପାଚେରୀ ନିକଟରେ ତାରବାଡ଼ ଦିଆଯାଇଛି। ତେବେ ପାଚେରୀ ଭୁଶୁଡ଼ିବାରୁ ବିଦ୍ୟାଳୟ ପରିସର ଅସୁରକ୍ଷିତ ହୋଇପଡ଼ିଥିବାରୁ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଭୁଶୁଡ଼ି ପଡ଼ିଥିବା ଓ ଆଉଜି ରହିଥିବା ପାଚେରୀକୁ ଶୀଘ୍ର ହଟାଇ ନୂତନ ପାଚେରୀ ନିର୍ମାଣ କରିବାକୁ ଅଭିଭାବକ ମହଲରୁ ଦାବି ହୋଇଛି। ପାଚେରୀ ନଥିବାରୁ ବିଦ୍ୟାଳୟ ପରିସରକୁ ବୁଲା କୁକୁରଙ୍କ ପ୍ରବେଶ ମଧ୍ୟ ବଢ଼ିଛି।

ବିଶେଷକରି ମଧ୍ୟାହ୍ନ ଭୋଜନ ସମୟରେ ଏହା ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ଚିନ୍ତାର କାରଣ ହୋଇଛି। ପ୍ରକାଶଥାଉକି, ୧୯୬୪ ମସିହାରେ ପ୍ରତିଷ୍ଠିତ ଏହି ପୁରାତନ ବିଦ୍ୟାଳୟର ଭାଙ୍ଗିଥିବା ପାଚେରୀଟି ୧୯୭୦ରୁ ୧୯୭୫ ମଧ୍ୟରେ ମାଙ୍କଡ଼ା ପଥରକୁ ମାଟିରେ ଯୋଡ଼େଇ ନିର୍ମାଣ କରାଯାଇଥିଲା। ପ୍ରାୟ ୩ ବର୍ଷ ପୂର୍ବେ ଏହାର ସ୍ଥାୟୀତ୍ୱ ବୃଦ୍ଧି ପାଇଁ ସିମେଣ୍ଟ ପ୍ଲାଷ୍ଟର କରାଯାଇଥିଲେ ମଧ୍ୟ ଏବେ ଏହା ଭୁଶୁଡ଼ି ପଡ଼ିଛି।