କୋଡ଼ି ଚୋଟରେ ଜଣେ ଗୁରୁତର, ଅଭିଯୁକ୍ତଙ୍କ ନାମରେ ମାମଲା,
ଓଡ଼ଗାଁ, ୧୫।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ଥାନା ପଞ୍ଚରିଡ଼ା ନିକଟ ବଡ଼ପୁଟ ଗାଁରେ ମାଛ ଧରିବା ପାଇଁ ଜାଲ ପକାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଘଟିଛି। ଏଥିରେ କୋଡ଼ି ଚୋଟରେ ପୂର୍ଣ୍ଣଚନ୍ଦ୍ର ସାମଲ ଗୁରୁତର ହୋଇ ନୟାଗଡ଼ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ଅଭିଯୋଗ ଅନୁସାରେ, ଗତ ୧୧ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟାରେ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ପୁଅ ରାମଚନ୍ଦ୍ର ସାମଲ ବଡ଼ପୁଟ-ମହୁଲିଆ ଚଢ଼େଇଖିଆ ଚେକ୍ଡ୍ୟାମରେ ଜାଲ ପକାଇ ମାଛ ଧରୁଥିଲେ। ଏହି ସମୟରେ ସେହି ଗାଁର ଗଦା ନାୟକ, ଲୋଚନ ନାୟକ ଓ ଗଦାଙ୍କ ପୁଅ ବିକାଶ ନାୟକ ସେଠାରେ ପହଞ୍ଚି ରାମଚନ୍ଦ୍ରଙ୍କ ଜାଲ ବାହାର କରି ନିଜ ଜାଲ ପକାଇଥିଲେ। ଏହାକୁ ରାମଚନ୍ଦ୍ର ଓ ପୂର୍ଣ୍ଣଚନ୍ଦ୍ର ପ୍ରତିବାଦ କରିବାରୁ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ବିକାଶ ନାୟକ ରାମଚନ୍ଦ୍ରଙ୍କୁ ବାଉଁଶରେ ମାଡ଼ ମାରୁଥିବା ବେଳେ ପୁଅକୁ ରକ୍ଷା କରିବାକୁ ପୂର୍ଣ୍ଣଚନ୍ଦ୍ର ଆଗକୁ ଆସିଥିଲେ। ଏହି ସମୟରେ ଗଦା ନାୟକ କୋଡ଼ିରେ ତାଙ୍କ ମୁଣ୍ଡରେ ଚୋଟ ମାରିଥିବା ଅଭିଯୋଗ ହୋଇଛି। ଫଳରେ ପୂର୍ଣ୍ଣଚନ୍ଦ୍ର ଗୁରୁତର ଆହତ ହୋଇଥିଲେ। ପ୍ରଥମେ ତାଙ୍କୁ ଶରଣକୁଳ ଡାକ୍ତରଖାନା ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ପୂର୍ଣ୍ଣଚନ୍ଦ୍ରଙ୍କ ପୁଅ ରାମଚନ୍ଦ୍ର ସାମଲ ଶରଣକୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ୨୪୫/୨୬ ନମ୍ବରରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଘଟଣାକୁ ୪ ଦିନ ବିତିଥିଲେ ମଧ୍ୟ ଏଯାବତ୍ ଅଭିଯୁକ୍ତମାନେ ଗିରଫ ହୋଇନଥିବା ଜଣାପଡ଼ିଛି।