ୱିନର ଗାଁ ରେ ନୂଆଁଖାଇ ବଜାର୍: ୧୬୯ ଷ୍ଟଲ୍ ଓ ଦୋକାନରେ ଜମିଲା ଭିଡ଼।

11


ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ନେଇ ପଦ୍ମପୁରସ୍ଥିତ ୱିନର ବ୍ରାଇଟ୍ ଫ୍ୟୁଚର ସ୍କୁଲ ପରିସରରେ ଆୟୋଜିତ ‘ନୂଆଁଖାଇ ବଜାର୍’ ଉତ୍ସବମୁଖର ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍କୁଲ ପରିସରରେ ମୋଟ ୧୬୯ଟି ଷ୍ଟଲ୍ ଓ ଦୋକାନ ଖୋଲାଯାଇଥିବା ବେଳେ ଛାତ୍ରଛାତ୍ରୀ, ଅଭିଭାବକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ପଦ୍ମପୁର ର ଗୌନ୍ତିଆ ତଥା ଉପଖଣ୍ଡ ସାଂସଦ ପ୍ରତିନିଧି ପ୍ରୀତମ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ କାଉନସିଲର କୁନାଲ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ଅପାଲି ଅପରାଜିତା ଦାଶ ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହିତ ଉପଢୌକନ ଏବଂ ଚାରାଗଛ ପ୍ରଦାନ କରି ସମ୍ମାନିତ କରିଥିଲେ। ପରିବେଶ ସୁରକ୍ଷାର ବାର୍ତ୍ତା ସହ ଅତିଥିମାନଙ୍କୁ ଚାରାଗଛ ପ୍ରଦାନ କରାଯିବା କାର୍ଯ୍ୟକ୍ରମର ଏକ ବିଶେଷ ଆକର୍ଷଣ ଥିଲା।
ନୂଆଁଖାଇର ପରମ୍ପରା, ଲୋକକଳା ଓ ସଂସ୍କୃତିକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିଚିତ କରାଇବା ଉଦ୍ଦେଶ୍ୟରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ନିର୍ଦ୍ଦେଶିତ ବିଭିନ୍ନ ନୂଆଁଖାଇ ଭିତ୍ତିକ ନାଟକ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଚମତ୍କାର ପ୍ରଦର୍ଶନ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା।
ଏହି ଅବସରରେ ସମାଜରେ ଗଣମାଧ୍ୟମର ଭୂମିକା ଓ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ୱିନର ବ୍ରାଇଟ୍ ଫ୍ୟୁଚର ସ୍କୁଲର ଚେୟାରମେନ ଶ୍ରୀକାନ୍ତ ମିଶ୍ର ସମଗ୍ର କାର୍ଯ୍ୟକ୍ରମର ଅତିଥିମାନଙ୍କୁ ସ୍ୱାଗତ ଓ ଉପସ୍ଥିତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ନୂଆଁଖାଇର ଭାଇଚାରା, ପରମ୍ପରା ଓ ସାମାଜିକ ଏକତାର ବାର୍ତ୍ତାକୁ ନେଇ ଆୟୋଜିତ ଏହି ‘ନୂଆଁଖାଇ ବଜାର୍’ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ସହ ପଶ୍ଚିମ ଓଡ଼ିଶାର ସମୃଦ୍ଧ ଲୋକସଂସ୍କୃତିର ଏକ ସୁନ୍ଦର ଝଲକ ପ୍ରଦାନ କରିଥିଲା।

Leave A Reply

Your email address will not be published.