୯୦ ମାମଲାର ଫଇସଲା,୦୮ଲକ୍ଷ ୫ହଜାର ଟଙ୍କା ଅସୁଲ।
ଓଡ଼ଗାଁ ୧୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଦେୱାନୀ ଅଦାଲତ ପରିସରରେ ଓଡଗାଁ ତାଲୁକ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଦେୱାନୀ ସମ୍ପର୍କିତ ୬୯ ଗୋଟି ମାମଲା, ଫୌଜଦାରୀ ସମ୍ପର୍କିତ ୦୬ ଗୋଟି ମାମଲା, ବ୍ୟାଙ୍କ ସମ୍ପର୍କିତ ୧୩ ଗୋଟି ମାମଲା ଫଇସଲା କରାଯାଇ ଖିଲାଫି ମାନଙ୍କ ଠାରୁ ଏକ ଲକ୍ଷ ପଇଁତିରିଶି ହଜାର ଟଙ୍କା ଓ ଦୁର୍ଘଟଣା ସମ୍ୱନ୍ଧୀୟ ଦୁଇ ଗୋଟି ମାମଲା ଆପୋଷ ଆଲୋଚନା ମାଧ୍ୟମରେ ଫଇସଲା କରାଯାଇ କ୍ଷତିପୂରଣ ବାବଦରେ ୦୬ ଲକ୍ଷ ୭୦ ହଜାର ଟଙ୍କା ସମ୍ପୃକ୍ତ ବୀମାକମ୍ପାନୀ ମାନଙ୍କ ଠାରୁ ଆଦାୟ କରାଯାଇଥିଲା।ଉକ୍ତ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସଂଘମିତ୍ରା ଶର୍ମା, ଗ୍ରାମ ନ୍ୟାୟlଧିକାରୀ ଆର. ତୋଷାଳୀ, ଦେୱାନୀ (ବରିଷ୍ଠ ) ବିଭାଗ ବିଚାରପତି ରାଜେନ୍ଦ୍ର ଦାସ, ଦେୱାନୀ (କନିଷ୍ଠ ) ବିଭାଗ ବିଚାରପତି ପ୍ରେରଣାଶ୍ରୀ ଦେଓ ନିଜ ନିଜ ଅଦାଲତରେ ମୋକଦ୍ଦମା ଗୁଡ଼ିକ ପରିଚାଳନ କରିଥିଲେ।ସ୍ଥାନୀୟ ବ୍ୟାଙ୍କ କର୍ମଚାରୀ, ଆଇନଜୀବୀ ଇନ୍ଦୁଭୂଷଣ ମିଶ୍ର, ଗୋବିନ୍ଦ ଚନ୍ଦ୍ର ସାହୁ, ପବିତ୍ର ମୋହନ ସାହୁ, ସରକାରୀ ଓକିଲ ଚିରଞ୍ଜିବି ଦାଶ ଓ ଅନ୍ୟ ଆଇନଜିବୀ ମାନେ ସହଯୋଗ କରିଥିଲେ ଉକ୍ତ କାର୍ଯ୍ୟକ୍ରମକୁ ଆଇନ ସେବା ପ୍ରାଧିକରଣର ସଂଯୋଜିକା ଶ୍ରଦ୍ଧାଞ୍ଜଳୀ ରଥ ପରିଚାଳନା କରିଥିଲେ।