ବେଲଗୁଣ୍ଠା, ୧୨/0୯,-(ଶିବରାମ ଚୌଧୁରୀ )-କ୍ଷତ୍ରିୟ ବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡ଼କ୍ରସ ଶାଖା ତରଫରୁ “ବିଶ୍ୱ ପ୍ରାଥମିକ ସହାୟତା ଦିବସ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ରୁନିବାଳା ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଯୁବ ରେଡ଼କ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ସଂଯୋଜନା କରିଥିଲେ। ଯୁବ ରେଡ଼କ୍ରସ ସହ ଉପଦେଷ୍ଟା ସୌମେନ୍ଦୁ ପଣ୍ଡା ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଗଞ୍ଜାମ ଜିଲ୍ଲା ଯୁବ ରେଡ଼କ୍ରସର ପୂର୍ବତନ ସଂଯୋଜକ ତଥା ପ୍ରାକ୍ତନ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ସ୍ବେଛାସେବୀମାନଙ୍କୁ ପ୍ରାଥମିକ ସହାୟତାର ମହତ୍ୱ ସହ କିପରି ଏହାକୁ କାର୍ଯ୍ୟକାରୀ କରିବେ ତାହାର ଦିଗଦର୍ଶନ ଦେଇଥିଲେ। ତତ୍ ସହିତ ରେଡ଼କ୍ରସର ଆଦର୍ଶରେ ଅନୁପ୍ରାଣିତ ହୋଇ ବ୍ୟକ୍ତିତ୍ୱର ବିକାଶ ପାଇଁ ସାମାଜିକ ସେବାରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ। ଶେଷରେ ଜାତୀୟ ସେବା ଯୋଜନାର ଅଧିକାରୀ ଭବାନୀ ଶଙ୍କର ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହ ସ୍ବେଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ।