ଜିନ୍ଦଲ ଷ୍ଟିଲର ନୂଆ କୀର୍ତ୍ତିମାନ, ବିଶ୍ୱର ଦୀର୍ଘତମ ଷ୍ଟିଲ ସ୍ଲାଗ ସଡ଼କ ନିର୍ମାଣ କରି ଗିନିଜ ରେକର୍ଡ

36



 ନୂଆଦିଲ୍ଲୀ, 12/9: ଛତିଶଗଡ ରାୟଗଡରେ ଜିନ୍ଦଲ ଷ୍ଟିଲ୍, ଦେଶର ବୈଜ୍ଞାନିକମାନଙ୍କ ସହଯୋଗରେ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି। କମ୍ପାନୀ ପକ୍ଷରୁ କାରଖାନାରୁ ନିର୍ଗତ ହେଉଥିବା ଷ୍ଟିଲ୍ ସ୍ଲାଗ୍‌ର  ଶତ ପ୍ରତିଶତ ଉପଯୋଗ କରାଯାଇ ୧.୮୫ କିଲୋମିଟର ଦୀର୍ଘ ୪-ଲେନ୍‌ ବିଶିଷ୍ଟ ସଡ଼କ ନିର୍ମାଣ କରାଯାଇଛି। ସମ୍ପୂର୍ଣ୍ଣ ପ୍ରକ୍ରିୟାକରଣ ପରେ ଷ୍ଟିଲ୍ ସ୍ଲାଗ୍‌ରେ ନିର୍ମିତ ଏହି ସଡ଼କ, ବିଶ୍ୱର ଦୀର୍ଘତମ ଷ୍ଟିଲ୍ ସ୍ଲାଗ୍ ସଡକ ଭାବେ ଗିନିଜ୍  ୱାର୍ଲ୍ଡ ରେକର୍ଡସରେ ସ୍ଥାନ ଅଧିକାର କରିଛି।

ଏହି ସଡ଼କ ନିର୍ମାଣରେ ପ୍ରାୟ ୨ ଲକ୍ଷ ଟନ୍ ପ୍ରକ୍ରିୟାକୃତ ଷ୍ଟିଲ୍ ସ୍ଲାଗ୍ ବ୍ୟବହାର କରାଯାଇଛି। ପ୍ରାକୃତିକ ପଥର ପାଇଁ ଖଣି ଖନନ ଏବଂ ଉତ୍ତୋଳନ ଆଦୌ କରାଯାଇନାହିଁ। ଏହି ସଡକ କେବଳ ଏକ ପ୍ରଦର୍ଶନୀ ପ୍ରକଳ୍ପ ନୁହେଁ ବରଂ ଭାରୀ ବାଣିଜ୍ୟିକ ଯାନ, ଯଥା ଟ୍ରକ୍‌ ଆଦିର ନିୟମିତ ଯାତାୟାତକୁ ନଜରରେ ରଖି ଅତ୍ୟନ୍ତ ମଜଭୁତ ଭାବେ ନିର୍ମାଣ କରାଯାଇଛି। ଏହା ଦ୍ୱାରା ଅର୍ଥ ଓ ପ୍ରାକୃତିକ ସମ୍ପଦର ସଞ୍ଚୟ ସମ୍ଭବ ହୋଇପାରିଛି। ପାରମ୍ପରିକ ସଡକ ତୁଳନାରେ ଏହି ସଡକ ପ୍ରାୟ ୩୫ ପ୍ରତିଶତ (ପତଳା) ହୋଇଥିବା ବେଳେ, ନିର୍ମାଣ ଖର୍ଚ୍ଚରେ ପ୍ରାୟ ୪୦ ପ୍ରତିଶତ ଅର୍ଥ ସଞ୍ଚୟ ହୋଇପାରିଛି।

ଜିନ୍ଦଲ ଷ୍ଟିଲ୍ ପକ୍ଷରୁ ସିଏସ୍‌ଆଇଆର୍ (CSIR) ଏବଂ ସେଣ୍ଟ୍ରାଲ୍ ରୋଡ୍ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ (CRRI) ସହଯୋଗରେ ବୈଜ୍ଞାନିକ ପ୍ରକ୍ରିୟା ମାଧ୍ୟମରେ ଷ୍ଟିଲ୍ ସ୍ଲାଗ୍‌କୁ ସଡ଼କ ନିର୍ମାଣ ଉପଯୋଗୀ  କରାଯାଇଛି। ଏଥିରେ ସ୍ଲାଗ୍‌ର କ୍ରସିଂ, ମେଟାଲକୁ ଅଲଗା କରିବା ଏବଂ ଗ୍ରେଡିଂ ଭଳି ପ୍ରକ୍ରିୟା ସାମିଲ ରହିଛି। ସଡକର ସବୁଠାରୁ ତଳ ସ୍ତରଠାରୁ ଆରମ୍ଭ କରି ଉପରିସ୍ଥ ବିଟୁମିନ୍ ସ୍ତର ପର୍ଯ୍ୟନ୍ତ ଏହି ପ୍ରକ୍ରିୟାକୃତ ସ୍ଲାଗ୍‌ର ବ୍ୟବହାର କରାଯାଇଛି। ସମସ୍ତ ଆବଶ୍ୟକୀୟ ପରିବେଶୀୟ ପରୀକ୍ଷଣ ପରେ ଏହି ନୂତନ ପ୍ରଯୁକ୍ତିକୁ ଅନୁମୋଦନ ମିଳିଛି।

ଏହି ଅବସରରେ ଜିନ୍ଦଲ ଷ୍ଟିଲ୍‌ର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲ କହିଛନ୍ତି ଯେ, “ଭାରତର ଉନ୍ନତି ଏଭଳି ନୂତନ ପ୍ରଯୁକ୍ତି ମାଧ୍ୟମରେ ହେବା ଆବଶ୍ୟକ। ଯାହାଦ୍ୱାରା ପରିବେଶର ସୁରକ୍ଷା ସହିତ ଦେଶର ବିକାଶ ହୋଇପାରିବ ।  ଏହି ପ୍ରଯୁକ୍ତି ଦର୍ଶାଉଛି ଯେ, ଶିଳ୍ପରୁ ନିର୍ଗତ ବର୍ଜ୍ୟ କିପରି ରାଷ୍ଟ୍ର ନିର୍ମାଣର ଏକ ମାଧ୍ୟମ ହୋଇପାରେ।”

କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ଏହି ପ୍ରକଳ୍ପ ‘ୱେଷ୍ଟ୍ ଟୁ ୱେଲଥ’ର ସ୍ୱପ୍ନକୁ ସାକାର କରୁଛି। ଏହା ପ୍ରମାଣ କରୁଛି ଯେ ଆମର ସ୍ୱଦେଶୀ ପ୍ରଯୁକ୍ତି ମାଧ୍ୟମରେ ଦେଶ ସମ୍ମୁଖୀନ ହେଉଥିବା ବଡ ସମସ୍ୟାଗୁଡିକର ସମାଧାନ କରାଯାଇପାରିବ।

ଜିନ୍ଦଲ ଷ୍ଟିଲ୍ ପକ୍ଷରୁ ଏହି ପ୍ରକ୍ରିୟାକୃତ ସ୍ଲାଗ୍‌କୁ ‘ଷ୍ଟିଲ୍ ଗ୍ରିଟ୍’ ନାମ ଦିଆଯାଇଛି। ଏହାର ଲୋଗୋ ମଧ୍ୟ ଆଜି ଉନ୍ମୋଚନ କରାଯାଇଛି। ଦେଶର ଅନ୍ୟ ସ୍ଥାନରେ ସଡ଼କ ନିର୍ମାଣ ପାଇଁ ଏହି ପ୍ରଯୁକ୍ତି ଉପଯୋଗ କରିବା ଉଦ୍ଦେଶ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି।

Leave A Reply

Your email address will not be published.