ସେବା ସଂକଳ୍ପ ଅଭିଯାନ: ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡିଶା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ମାସେ ଧରି ଚାଲିବ ଅଭିଯାନ
ଏହି ଅଭିଯାନକୁ କେବଳ ଦଳୀୟ କାର୍ଯ୍ୟକ୍ରମ ଭାବେ ନୁହେଁ, ବରଂ ଜନସେବା, ଜନଭାଗିଦାରୀ ଓ ସାମାଜିକ ଦାୟିତ୍ୱର ଏକ ବ୍ୟାପକ ଅଭିଯାନ ଭାବେ ପାଳନ କରାଯିବ
“ସେବା ସଂକଳ୍ପ ଅଭିଯାନ’ର ୧୩ଟି କାର୍ଯ୍ୟକ୍ରମ ମାଧ୍ୟମରେ “ବିକଶିତ ଭାରତ ୨୦୪୭’ର ସଂକଳ୍ପ ନିଆଯିବ
ଋକ୍ତଦାନ ଶିବିର, ଆର୍ଶୀବାଦର ଦୀପ, ଚିତ୍ରାଙ୍କନ ଓ ଭାଷଣ ପ୍ରତିଯୋଗିତା, ନମୋ ସେବା ଗାଥା, ଅଙ୍ଗନବାଡୀ ଉତ୍ସବ, ପରିବର୍ତନର କାହାଣୀ, ବିକଶିତ ଭାରତ ସଂକଳ୍ପ ଯାତ୍ରା, ସେବା ଜ୍ୟୋତି ଯାତ୍ରା, ସେବା ଓ ମୋର ଯୋଗଦାନ, ସେବା ସେତୁ ଅଭିଯାନ, ରଙ୍ଗୋଲୀ ରାଷ୍ଟ୍ର, ଜନସେବାର ମହାକୁମ୍ଭ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ
ସେବା ସଂକଳ୍ପର ବାର୍ତାକୁ ତଳ ସ୍ତରରେ ପହଂଚାଇବା ପାଇଁ ସମସ୍ତଙ୍କ ସହଯୋଗ ଏକାନ୍ତ ଆବଶ୍ୟକ
ଭୁବନେଶ୍ୱର, ତା.୧୦/୦୯: ଆମ ସମସ୍ତଙ୍କର ପ୍ରେରଣାର କେନ୍ଦ୍ରବିନ୍ଦୁ ତଥା ବିଶ୍ୱର ଅଦ୍ୱିତୀୟ ନେତା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅକ୍ଟୋବର ୭ ତାରିଖ ଦିନ ଜନସେବା ଏବଂ ସମର୍ପଣର ୨୫ ବର୍ଷ ପୂରଣ କରିବେ। ୨୦୦୧ ମସିହା ଅକ୍ଟୋବର ୭ ତାରିଖରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ସେ ନିଜର କାର୍ଯ୍ୟକାଳ ଆରମ୍ଭ କରିଥିଲେ ଏବଂ ବିଗତ ୨୫ ବର୍ଷ ମଧ୍ୟରେ ସେ ଜନସେବାକୁ ରାଷ୍ଟ୍ରସେବାରେ ରୂପାନ୍ତରିତ କରିବାର ନୀତି ଦ୍ୱାରା ପରିଚାଳିତ ହୋଇ ନିଜର ସେବା ଯାତ୍ରାକୁ କ୍ରମାଗତଭାବରେ ଆଗେଇ ନେଇଛନ୍ତି। ଏହି ଯାତ୍ରା କେବଳ ଗୋଟେ ସାଧାରଣ ଯାତ୍ରା ନୁହେଁ, ଏହା ସଂଘର୍ଷ ଯାତ୍ରା, ଏ ଯାତ୍ରା ଲୋକମାନଙ୍କ ପାଇଁ ସେବାର ଯାତ୍ରା, ଏ ଯାତ୍ରା ଗୋଟେ ସଂକଳ୍ପର ଯାତ୍ରା, ଏ ଯାତ୍ରା ନିରନ୍ତର ୨୫ ବର୍ଷ ଧରି ଆତ୍ମବିଶ୍ୱାସର ଯାତ୍ରା। ଜଣେ ସାଧାରଣ କାର୍ଯ୍ୟକର୍ତା ଅସାଧାରଣ କାର୍ଯ୍ୟ କରି ନିଜ ଯୋଗ୍ୟତା ଓ ଦକ୍ଷତା ବଳରେ ଅନେକ ସଂସ୍କାରମୂଳକ କାର୍ଯ୍ୟ କରି ପରିବର୍ତନ ଆଣିଛନ୍ତି। ଏଥିସହ ବହୁ ଭିତିଭୂମି ପ୍ରତିଷ୍ଠା କରି ଲୋକଙ୍କ ମନରେ ତ୍ୟାଗ, ତପସ୍ୟା, ସାଧନା ଏବଂ ଆତ୍ମବିଶ୍ୱାସ ବଢାଇବାର ଉଦାହରଣ ସୃଷ୍ଟି କରିବା ସହିତ ଅସମ୍ଭବ କାମ କିଛି ନାହିଁ ବୋଲି ମୋଦିଜୀ ପ୍ରମାଣ କରି ଦେଖେଇଛନ୍ତି ବୋଲି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ କହିଛନ୍ତି।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ସାର୍ବଜନୀନ ଜୀବନ, ନିରନ୍ତର ସେବା, ସମର୍ପଣ ଓ ରାଷ୍ଟ୍ର ନିର୍ମାଣର ଯାତ୍ରାକୁ ପ୍ରେରଣା ଭାବେ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଆୟୋଜନ କରାଯାଉଛି। ଓଡ଼ିଶାରେ ମଧ୍ୟ ଏହି ଅଭିଯାନକୁ କେବଳ ଦଳୀୟ କାର୍ଯ୍ୟକ୍ରମ ଭାବେ ନୁହେଁ, ବରଂ ଜନସେବା, ଜନଭାଗିଦାରୀ ଓ ସାମାଜିକ ଦାୟିତ୍ୱର ଏକ ବ୍ୟାପକ ଅଭିଯାନ ଭାବେ ପାଳନ କରାଯିବ। ରାଜ୍ୟର ସମସ୍ତ ସାଂଗଠନିକ ଜିଲ୍ଲା, ମଣ୍ଡଳ ଓ ବୁଥ୍ ସ୍ତର ପର୍ଯ୍ୟନ୍ତ ଅଭିଯାନକୁ ନିଆଯିବ। ଯୁବକ, ମହିଳା, ଛାତ୍ରଛାତ୍ରୀ, ଚାଷୀ, ଗରିବ ଓ ବଂଚିତ ବର୍ଗଙ୍କୁ ଏଥିରେ ସାମିଲ କରାଯିବ। ରକ୍ତଦାନ ଶିବିର, ସ୍ୱଚ୍ଛତା ଅଭିଯାନ, ସାମାଜିକ ସେବା, ଜନସଚେତନତା, ଅଙ୍ଗନୱାଡ଼ି ଜନସମ୍ପର୍କ ଓ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ‘ସେବା ମୋର ଯୋଗଦାନ’ ଭାବନା ସହିତ ସାଧାରଣ ନାଗରିକଙ୍କୁ ମଧ୍ୟ ସେବା କାର୍ଯ୍ୟରେ ଯୋଡ଼ାଯିବ। ସ୍କୁଲ ଓ କଲେଜ ସ୍ତରରେ ଚିତ୍ରାଙ୍କନ, ଭାଷଣ ଓ ବିଭିନ୍ନ ସୃଜନଶୀଳ ପ୍ରତିଯୋଗିତା ଆୟୋଜନ କରାଯିବ। ‘ବିକଶିତ ଭାରତ-୨୦୪୭’, ରାଷ୍ଟ୍ର ନିର୍ମାଣ, ଯୁବଶକ୍ତି ଓ ଜନସେବାକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ନୂଆ ଚିନ୍ତାଧାରା ସୃଷ୍ଟି କରାଯିବ। ‘ସେବା ଜ୍ୟୋତି ଯାତ୍ରା’, ‘ସେବା ସେତୁ’, ଅଙ୍ଗନ ମିଳନ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ପାଖକୁ ପହଁଚାଯିବ। ଅଭିଯାନର ଶେଷ ପର୍ଯ୍ୟାୟରେ ‘ଜନସେବକ ମହାକୁମ୍ଭ’ ମାଧ୍ୟମରେ ଜନପ୍ରତିନିଧି ଓ କାର୍ଯ୍ୟକର୍ତାମାନେ ସେବା ପାଇଁ ନିଜର ସଂକଳ୍ପକୁ ପୁନଃ ଦୃଢ଼ କରିବେ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ସେବା ସଂକଳ୍ପ ଅଭିଯାନ ଉତ୍ସବ ନୁହେଁ, ଏହା ଜନସେବାର ସଂକଳ୍ପ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ସାର୍ବଜନୀନ ଜୀବନ ହେଉଛି ସେବା, ସମର୍ପଣ ଓ ରାଷ୍ଟ୍ର ନିର୍ମାଣର ଏକ ପ୍ରେରଣାଦାୟୀ ଯାତ୍ରା। ତାଙ୍କର ଏହି ଯାତ୍ରାରୁ ପ୍ରେରଣା ନେଇ ଓଡ଼ିଶାରେ ‘ସେବା ସଂକଳ୍ପ ଅଭିଯାନ’କୁ ଏକ ବୃହତ୍ ଜନଆନ୍ଦୋଳନରେ ପରିଣତ କରିବା ଆମର ଲକ୍ଷ୍ୟ। ଗରିବଙ୍କ କଲ୍ୟାଣ, ମହିଳାଙ୍କ ସଶକ୍ତୀକରଣ, ଯୁବଶକ୍ତିର ବିକାଶ ଓ ଚାଷୀଙ୍କ ସମୃଦ୍ଧି ହେଉଛି ସେବା ସଂକଳ୍ପ ଅଭିଯାନର ମୁଖ୍ୟ ଲକ୍ଷ୍ୟ। ମୋଦୀଙ୍କ ୨୫ ବର୍ଷର ସେବାରୁ ପ୍ରେରଣା ନେଇ ଓଡ଼ିଶାରେ ଲକ୍ଷ ଲକ୍ଷ କାର୍ଯ୍ୟକର୍ତା ସେବାର ସଂକଳ୍ପ ନେବେ। ଓଡ଼ିଶାରେ ବିଜେପି ସରକାର ଜନସେବା ଓ ବିକାଶକୁ ପ୍ରାଥମିକତା ଦେଇ ଆଗକୁ ବଢ଼ୁଛି। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ରାଜ୍ୟ ସରକାରଙ୍କ ବିକାଶମୂଳକ ପଦକ୍ଷେପର ଲାଭ ଯେପରି ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଁଚିବେ, ଏଥିପାଇଁ ଦଳୀୟ କାର୍ଯ୍ୟକର୍ତାମାନେ ଜନସମ୍ପର୍କ ଓ ସେବା କାର୍ଯ୍ୟକୁ ଆହୁରି ଗତିଶୀଳ କରିବେ। ବିଶେଷକରି ଜନଜାତି ସମାଜ, ମହିଳା, ଯୁବକ, ଚାଷୀ, ଗରିବ ଓ ବଂଚିତ ବର୍ଗଙ୍କ ନିକଟରେ ପହଂଚିି ସେମାନଙ୍କ ଆବଶ୍ୟକତା ଓ ସମସ୍ୟା ଶୁଣିବା ସହିତ ଯଥାସମ୍ଭବ ସହଯୋଗ କରାଯିବ। ଆମେ ସମସ୍ତେ ମିଶି ସେବାକୁ ଆମର ଦାୟିତ୍ୱ ଭାବେ ଗ୍ରହଣ କରିବା। ଆମର ଛୋଟ ଛୋଟ ସେବା ହିଁ ସମାଜରେ ବଡ଼ ପରିବର୍ତନ ଆଣିପାରେ। ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷର ସେବା ଯାତ୍ରାରୁ ପ୍ରେରଣା ନେଇ ଆମେ ଏକ ସମୃଦ୍ଧ, ସଶକ୍ତ ଓ ବିକଶିତ ଓଡ଼ିଶା ଗଠନର ସଂକଳ୍ପ ନେବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି ।
ଶ୍ରୀ ସାମଲ କହିଛନ୍ତି ଯେ, ମୋଦିଜୀଙ୍କ ଜନ୍ମଦିନକୁ ୧୭ ସେପ୍େଟମ୍ବର ଆମେ ୧୫ ଦିନ ପାଳନ କରୁ। ରାଷ୍ଟ୍ରୀୟ ସଭାପତିଙ୍କ ଆହ୍ୱାନକ୍ରମେ ଚଳିତ ବର୍ଷ ଏକ ମାସ ଧରି ପାଳନ ହେବ। ଓଡ଼ିଶାରେ ବିଜେପି ସରକାରକୁ ମାତ୍ର ୨ବର୍ଷ ପୂରଣ ହୋଇଛି। ଏହି ସମୟ ମଧ୍ୟରେ ମୋଦିଜୀ ନିରନ୍ତର ଓ ଯୋଜନାବଦ୍ଧ ଭାବେ ଓଡ଼ିଶାକୁ ଆସିଛନ୍ତି ଏବଂ ପ୍ରବାସୀ ଭାରତୀୟ ଓ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟରେ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ, ଏଫଡିଆଇ ମାଧ୍ୟମରେ ଓଡ଼ିଶାକୁ ସମୃଦ୍ଧ ଓଡ଼ିଶା କରିବା, ଓଡ଼ିଶା ଏକ ନମ୍ବର ରାଜ୍ୟ ଭାବେ ଗଢିବାର ପରିକଳ୍ପନା ମୋଦିଜୀ କରିଛନ୍ତି। ସ୍ଥାନୀୟ ଲୋକଙ୍କର ମନ ଭିତରେ ବିଶ୍ୱାସ ତିଆରି କରିବା ପାଇଁ “ଭୋକାଲ ଫର ଲୋକାଲ’ଉପରେ ଗୁରୁତ୍ୱ ଦିଆଯାଉଛି। ମୋଦିଜୀଙ୍କ ତାଙ୍କ “ମନ କି ବାତ’ କାର୍ଯ୍ୟକ୍ରମ ଜରିଆରେ ସାଧାରଣଲୋକଙ୍କ ଅସାଧାରଣ କାର୍ଯ୍ୟକୁ ଲୋକଲୋଚନକୁ ଆଣିବାକୁ ଉଦ୍ୟମ କରୁଛନ୍ତି।
ସେବା ସଂକଳ୍ପ ଅଭିଯାନ’ର ରାଜ୍ୟ ସଂଯୋଜକ ତଥା ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ସେବା ଓ ସଂକଳ୍ପର ଭାବାନାକୁ ନେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ନିରନ୍ତର ଭାବେ ଗତ ୨୫ ବର୍ଷ ଧରି ଯେଉଁଭଳି ସୁଶାସନ କରିଛନ୍ତି, ସେ ବିଷୟରେ ମୋଦିଜୀଙ୍କ ଜନ୍ମଦିବସ ଆସନ୍ତା ୧୭ ସେପ୍େଟମ୍ବରରୁ ଆରମ୍ଭ ହୋଇ ୧୭ ଅକ୍ଟୋବର ପର୍ଯ୍ୟନ୍ତ ଏକ ମାସ ଧରି “ସେବା ସଂକଳ୍ପ ଅଭିଯାନ” ଭାବେ ପାଳନ କରାଯିବ । “ସେବା ସଂକଳ୍ପ ଅଭିଯାନ’ରେ ଏଥର ଆମେ ୧୩ଟି କାର୍ଯ୍ୟକ୍ରମ ହାତକୁ ନେଇଛୁ, ଯାହା ମାଧ୍ୟମରେ “ବିକଶିତ ଭାରତ ୨୦୪୭’ର ସଂକଳ୍ପ ନିଆଯିବ। ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ଦିନ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଏହା ପରେ ସଂଧ୍ୟାରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ସାରା ଭାରତବର୍ଷରେ ପ୍ରତ୍ୟେକ ଘରେ, ମନ୍ଦିର ଓ ମଠରେ ଦୀପ ପ୍ରଜ୍ୱଳନ କରାଯିବ ଏବଂ ଏହି କାର୍ଯ୍ୟକ୍ରମରେ ସମସ୍ତ ଲାଭାର୍ଥୀ ଯୋଡିହେବେ। ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ‘ମୋ ସ୍ୱପ୍ନର ଭାରତ’ କାର୍ଯ୍ୟକ୍ରମ ଅଧିନରେ ସମସ୍ତ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଟାନଗୁଡିକରେ ଆଗାମୀ ଭବିଷ୍ୟତ, ସ୍ୱପ୍ନ ଓ ମୋ ସ୍ୱପ୍ନର ଭାରତର ପରିକଳ୍ପନାକୁ ନେଇ ଚିତ୍ରାଙ୍କନ ଓ ଭାଷଣ ପ୍ରତିଯୋଗିତା ହେବ। “ନମୋ ସେବା ଗାଥା’ ପଥପ୍ରାନ୍ତ ନାଟକ ଜରିଆରେ ମୋଦିଜୀଙ୍କ ୨୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କ ଜୀବନରେ ଆସିଥିବା ପରିବର୍ତନକୁ ପଥପ୍ରାନ୍ତ ନାଟକ ଜରିଆରେ ରାଜ୍ୟର ପ୍ରତ୍ୟେକ ଗ୍ରାମରେ ପ୍ରଦର୍ଶିତ କରାଯିବ। ‘ଆଙ୍ଗନବାଡୀ ଉତ୍ସବ’ କାର୍ଯ୍ୟକ୍ରମ ଅଧିନରେ ଅଙ୍ଗନବାଡ଼ି କର୍ମୀ ଏବଂ ଆଶା ଭଉଣୀମାନଙ୍କୁ ସମ୍ମାନିତ କରିବାର ପରମ୍ପରାକୁ ଆଗେଇ ନେଇ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଶିଶୁ ଏବଂ ସେମାନଙ୍କ ମା’ମାନଙ୍କ ସହିତ ମୋଦୀ ସରକାରଙ୍କ ପୋଷଣ, ସ୍ୱାସ୍ଥ୍ୟ ଏବଂ ମହିଳା ସମ୍ବନ୍ଧୀୟ ଯୋଜନା ବିଷୟରେ ତଥ୍ୟ ଆଦାନ ପ୍ରଦାନ କରାଯିବ। ‘ପରିବର୍ତନର କାହାଣୀ’ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଯୋଜନା ଦ୍ୱାରା ଲୋକଙ୍କ ଜୀବନରେ ଆସିଥିବା ପରିବର୍ତନର କାହାଣୀଗୁଡ଼ିକୁ ମଂଚସ୍ତ କରାଯିବା ସହିତ ଭିଡଓ ବାର୍ତା ମାଧ୍ୟମରେ ହିତାଧିକାରୀମାନଙ୍କ ଅଭିଜ୍ଞତାକୁ ଦେଶ ଓ ବିଶ୍ୱବାସୀଙ୍କୁ ଅବଗତ କରାଇବେ। “ସେବା ଜ୍ୟୋତି କଳସ ଯାତ୍ରା – ବିକଶିତ ଭାରତର ସଂକଳ୍ପ’ କାର୍ଯ୍ୟକ୍ରମ ଜରିଆରେ ଅକ୍ଟୋବର ୭ ତାରିଖ ଦିନ ମୋଦୀ ସରକାରଙ୍କ ଜନସେବା ଏବଂ ସମର୍ପଣର ୨୫ ବର୍ଷ ପୂରଣ କରିବା ଅବସରରେ ବିଭିନ୍ନ ଗ୍ରାମ ଏବଂ ଅଂଚଳକୁ ଯୋଡ଼ି ୨୫ ବର୍ଷର ଜନସେବା ପାଇଁ କୃତଜ୍ଞତା ଜ୍ଞାପନ କରାଯିବ ଏବଂ “ବିକଶିତ ଭାରତ ୨୦୪୭’ ର ସଂକଳ୍ପ ନିଆଯିବ। ଦେଶର ସମସ୍ତ ଜିଲ୍ଲା ସଦର ମହକୁମା ସମେତ ପ୍ରାୟ ୧,୦୦୦ ସ୍ଥାନରେ “ବିକଶିତ ଭାରତ ୨୦୪୭’ ର ସାମୂହିକ ସଂକଳ୍ପ ନିଆଯିବା ସହିତ ପଦଯାତ୍ରା କିମ୍ବା ବାଇକ୍ ରାଲି ଆୟୋଜିତ ହେବ। ‘ସେବା ଜ୍ୟୋତି ଯାତ୍ରା’ ମାଧ୍ୟମରେ ଜିଲ୍ଲାର ପ୍ରତ୍ୟେକ ଗ୍ରାମରୁ ସେବା ଜ୍ୟୋତି ଯାତ୍ରା ବାହାରିବ। ଯୁବ ମୋର୍ଚ୍ଚା ନେତୃତ୍ୱରେ ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ଜନ୍ମସ୍ଥାନ ବଡ଼ନଗରରୁ ତାଙ୍କ କର୍ମଭୂମି ବାରାଣସୀ ପର୍ଯ୍ୟନ୍ତ ଏବଂ ବାରାଣସୀରୁ ବଡ଼ନଗର ପର୍ଯ୍ୟନ୍ତ ଦୁଇଟି ଯାତ୍ରାରେ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଏହି ଚିନ୍ତାଧାରାକୁ ଆଗେଇ ନେଇ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ‘ସେବା ଓ ମୋର ଯୋଗଦାନ’ କାର୍ଯ୍ୟକ୍ରମ ଅଧୀନରେ ଜନଭାଗିଦାରୀ ମାଧ୍ୟମରେ ୨୫ଟି ଭିନ୍ନ ଭିନ୍ନ ସେବା କାର୍ଯ୍ୟ ଆୟୋଜିତ ହେବ । “ସେବା ସେତୁ ଅଭିଯାନ’ କାର୍ଯ୍ୟକ୍ରମ ଅଧିନରେ ସେପ୍େଟମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ଲକ୍ ସ୍ତରରେ ଶିବିର ଆୟୋଜନ କରାଯାଇ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଲାଭ ଯେପରି ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଚିପାରିବ, ତାହା ସୁନିଶ୍ଚିତ କରିବା ପାଇଁ ପ୍ରୟାସ କରାଯିବ। ‘ରଙ୍ଗୋଲି ରାଷ୍ଟ୍ର’ କାର୍ଯ୍ୟକ୍ରମ ଅଧୀନରେ ଦେଶର ପ୍ରମୁଖ ସାର୍ବଜନୀନ ସ୍ଥାନଗୁଡିକରେ ମାନବ ରଙ୍ଗୋଲୀ ପ୍ରଦର୍ଶିତ ଜରିଆରେ ବିଭିନ୍ନ କଲ୍ୟାଣକାରୀ ଯୋଜନା, ରାଷ୍ଟ୍ରୀୟ ପ୍ରତୀକ ଏବଂ ବିକଶିତ ଭାରତର ବାର୍ତା ପ୍ରଦର୍ଶିତ କରିବ। ‘ସେବା ଫାର୍ଷ୍ଟ – ଇନୋଭେସନ୍ ଚ୍ୟାଲେଞ୍ଜ’ ନାମକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଦେଶର ଯୁବବର୍ଗ, ଛାତ୍ରଛାତ୍ରୀ, ଷ୍ଟାର୍ଟଅପ୍, ପେଷାଦାର ଏବଂ କୋର୍ପୋରେଟ୍ ଇନୋଭେଟରମାନଙ୍କୁ ସାମିଲ କରାଯିବ । ମନୋନୀତ ଇନୋଭେଟରମାନଙ୍କୁ ରାଷ୍ଟ୍ରୀୟ ସ୍ତରକୁ ପଠାଯିବ, ଯେଉଁଠାରେ ଲାଇଭ୍ ପ୍ରଦର୍ଶନୀ, ଲାଇଭ୍ ଡେମୋ ଏବଂ ଯୁବ ସଂବାଦ ମାଧ୍ୟମରେ କାର୍ଯ୍ୟକ୍ରମ ଆୟୋଜିତ ହେବ ଏବଂ ବିଜେତାମାନଙ୍କୁ ପୁରସ୍କୃତ କରାଯିବ। ଶେଷରେ “ସୁଶାସନ ସଂବାଦ’ବା “ଜନସେବକଙ୍କ ମହାକୁମ୍ଭ’ କାର୍ଯ୍ୟକ୍ରମ ଜରିଆରେ ସାରା ଭାରତବର୍ଷରେ ୧ ଲକ୍ଷ ୨୫ ହଜାରରୁ ଉର୍ଦ୍ଧ୍ୱ ଜନପ୍ରତିନିଧି, ଯେପରିକି ସରପଂଚରୁ ସାଂସଦ ପର୍ଯ୍ୟନ୍ତ ସମସ୍ତଙ୍କର ଉପସ୍ଥିତିରେ ସଂପୂର୍ଣ୍ଣ ‘ବନ୍ଦେ ମାତରମ୍’ ଗାନ କରାଯିବ ଏଥିରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ମଧ୍ୟ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ସେବା ସଂକଳ୍ପର ବାର୍ତକୁ ତଳ ସ୍ତରରେ ପହଂଚାଇବା ପାଇଁ ଗଣମାଧ୍ୟମର ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ମନ୍ତ୍ରୀ ଡା.ମହାପାତ୍ର ନିବେଦନ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ବରିଷ୍ଠ ନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ କମିଟିର ଅନ୍ୟତମ ସଦସ୍ୟ ତଥା ପୂର୍ବତନ ସାଂସଦ ଶ୍ରୀଯୁକ୍ତ ଅମର ପଟ୍ଟନାୟକ ଏବଂ ବିଧାୟକ ଶ୍ରୀ ଅମର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।