ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଗ୍ରାମବାସୀଙ୍କ ଭବ୍ୟ ସମ୍ବର୍ଦ୍ଧନା
ଝାରସୁଗୁଡ଼ା, ୧୦/୯: ସମ୍ବଲପୁର ଆର୍ଡିସି କାର୍ଯ୍ୟାଳୟରେ ଏନ୍ଏଲ୍ସି କମ୍ପାନୀ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ପିଡିଏସି ବୈଠକ ଗତ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ବୈଠକରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେଇ ଅଞ୍ଚଳର ବିସ୍ଥାପିତଙ୍କ ବିଭିନ୍ନ ସମସ୍ୟା ଓ ଦାବିକୁ ଦୃଢ଼ତାର ସହ ଉପସ୍ଥାପନ କରିଥିଲେ। ତାଙ୍କ ଉଦ୍ୟମରେ ବିସ୍ଥାପିତଙ୍କ ସ୍ୱାର୍ଥ ସମ୍ବନ୍ଧୀୟ ଅନେକ ପ୍ରସ୍ତାବ ଗୃହୀତ ହୋଇଥିବା କୁହାଯାଇଛି।
ବୈଠକରେ ବିସ୍ଥାପିତଙ୍କ ଜମିର ମୂଲ୍ୟ ଏକର ପିଛା ପୂର୍ବରୁ ଥିବା ୩୦ରୁ ୪୦ ଲକ୍ଷ ଟଙ୍କାରୁ ବୃଦ୍ଧି କରି ୬୦ରୁ ୬୫ ଲକ୍ଷ ଟଙ୍କା କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ସେହିପରି ମାସିକ ଆନୁଇଟି ରାଶି ୩ ହଜାର ଟଙ୍କାରୁ ବୃଦ୍ଧି କରି ଏମ୍ସିଏଲ୍ ଢାଞ୍ଚାରେ ୧୨ ହଜାର ଟଙ୍କା କରାଯାଇଛି। କମ୍ପାନୀର ନିଯୁକ୍ତି କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କୁ ପ୍ରଥମ ଅଗ୍ରାଧିକାର ଦେବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।
ଏଥିସହ ଭୂମିହୀନ ଓ ଅନ୍ୟ ଜମିରେ ବସବାସ କରୁଥିବା ପରିବାରଙ୍କୁ ଆର୍ ଆଣ୍ଡ୍ ଆର୍ ସୁବିଧା ପ୍ରଦାନ ସହ ହୀରାକୁଦ ବିସ୍ଥାପିତ ସମସ୍ତ ପରିବାରକୁ ପ୍ରଭାବିତ ପରିବାର ଭାବେ ମାନ୍ୟତା ଦେବା ପାଇଁ ମଧ୍ୟ ପ୍ରସ୍ତାବ ଗୃହୀତ ହୋଇଛି। ବିସ୍ଥାପନ ସମ୍ବନ୍ଧୀୟ ସମସ୍ତ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଆର୍ଡିସିଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ସବ୍କମିଟି ଗଠନ କରାଯାଇଥିବା ଜଣାପଡ଼ିଛି।
ଏହି ସଫଳତା ପରେ ହିର୍ମା, ମଳଦା ଓ ରାମପୁର ଗ୍ରାମପଞ୍ଚାୟତର ଶହ ଶହ ଗ୍ରାମବାସୀ ଗୁରୁବାର ବିଟିଏମ୍ସ୍ଥିତ ବିଧାୟକଙ୍କ କାର୍ଯ୍ୟାଳୟରେ ପହଞ୍ଚି ଟଙ୍କଧର ତ୍ରିପାଠୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ।
ପରେ ବିଟିଏମ୍ସ୍ଥିତ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ବିଧାୟକ ଶ୍ରୀ ତ୍ରିପାଠୀ କହିଥିଲେ ଯେ, ଆର୍ପିଡିଏସି ବୈଠକରେ ଗୃହୀତ ନୂତନ ନିଷ୍ପତ୍ତିଗୁଡ଼ିକ ଆଗାମୀ ଦିନରେ ବିସ୍ଥାପିତଙ୍କ ହକ୍ ଓ ଅଧିକାରକୁ ସୁରକ୍ଷିତ କରିବାରେ ସହାୟକ ହେବ।
କାର୍ଯ୍ୟକ୍ରମରେ ସମ୍ପର୍କ ଏନ୍ଜିଓର ସଭାପତି ଅମିତ କୁମାର ନାଗ, ପ୍ରଦୀପ କୁମାର ସିଂ, ଜୟପ୍ରକାଶ ପାତ୍ର, ହିମାଂଶୁ କିଷାନ, ଘନଶ୍ୟାମ ସେଠ୍, ହଂସା ମାଥୁ, ଯମୁନା କିଷାନଙ୍କ ସମେତ ବହୁ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ।