ଝାରସୁଗୁଡ଼ା, ୧୦/୯: ଭୋଟର ତାଲିକାରୁ ବୈଧ ଭୋଟରଙ୍କ ନାମ ଉଦ୍ଦେଶ୍ୟମୂଳକ ଭାବେ ବାଦ୍ ଦିଆଯାଉଥିବା ଏବଂ ଜାଲିଆତି ମାଧ୍ୟମରେ ଆପତ୍ତି ଦାଖଲ କରାଯାଉଥିବା ଅଭିଯୋଗ କରି କୋଲାବିରାରେ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ପ୍ରତିବାଦ ଶୋଭାଯାତ୍ରା ଆୟୋଜିତ ହୋଇଛି। ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି ରାଲିରେ ଶତାଧିକ ବିଜେଡି କର୍ମୀ ଯୋଗଦେଇ ‘ମୋ ଭୋଟ, ମୋ ଅଧିକାର’ ନାରା ଦେଇଥିଲେ।
କୋଲାବିରା କରୁଣାକର ଛକରୁ ବାହାରିଥିବା ଶୋଭାଯାତ୍ରା କୋଲାବିରା ଥାନାରେ ପହଞ୍ଚିଥିଲା। ସେଠାରେ ଝାରସୁଗୁଡ଼ା ଏସ୍ପିଙ୍କ ଉଦ୍ଦେଶ୍ୟରେ ଏସ୍ଡିପିଓ ଉମାଶଙ୍କର ସିଂଙ୍କୁ ବିଜେଡି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା।
ଦାବିପତ୍ରରେ ଅଭିଯୋଗ କରାଯାଇଛି ଯେ, ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଏକ ନିର୍ଦ୍ଦିଷ୍ଟ ଦଳର କର୍ମୀମାନେ ଜାଲ କାଗଜପତ୍ର ଓ ମିଥ୍ୟା ଅଭିଯୋଗ ଦାଖଲ କରି ବୈଧ ଭୋଟରଙ୍କ ନାମ ହଟାଇବାକୁ ଉଦ୍ୟମ କରୁଛନ୍ତି। ଜଣେ ବ୍ୟକ୍ତି ଦିନକୁ ସର୍ବାଧିକ ୧୦ଟି ଆପତ୍ତି ଦାଖଲ କରିବାର ନିୟମ ଥିବା ସତ୍ତ୍ୱେ ଏହାର ଉଲ୍ଲଂଘନ କରାଯାଉଥିବା ଦଳ ପକ୍ଷରୁ କୁହାଯାଇଛି।

ଏଭଳି ଅଭିଯୋଗ ନେଇ ଏଫ୍ଆଇଆର୍ ଦାଖଲ କରିବାକୁ ଯାଇଥିବା ବେଳେ ପୁଲିସ ମାମଲା ରୁଜୁ କରିବାରେ ଅନିଚ୍ଛା ପ୍ରକାଶ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ପ୍ରଜା ପ୍ରତିନିଧି ଆଇନ, ୧୯୫୦ର ଧାରା ୩୧ ଅନୁଯାୟୀ ମିଥ୍ୟା ଆବେଦନକାରୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ବିଜେଡି ପକ୍ଷରୁ ଏସ୍ପିଙ୍କ ନିକଟରେ ଦାବି କରାଯାଇଛି।
ରାଲିରେ ‘କାହା ଚାପରେ ନାଗରିକଙ୍କ ଗଣତାନ୍ତ୍ରିକ ଅଧିକାରକୁ ହତ୍ୟା କରାଯାଉଛି’ ବୋଲି ପ୍ରଶ୍ନ ଉଠାଯାଇଥିଲା। ଆନ୍ଦୋଳନକୁ ସ୍ଥାନୀୟ ଲୋକଙ୍କ ସମର୍ଥନ ମିଳିଥିବା ବିଜେଡି ପକ୍ଷରୁ କୁହାଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ନୃପଲାଲ ପଶାୟତ, ବ୍ଲକ ଚେୟାରମ୍ୟାନ ଭୋଜରାଜ ପଟେଲ, ବିଜେଡି ଜିଲ୍ଲା ସଭାପତି ହରିଶ ଗଣତ୍ରା, ଜିଲ୍ଲା ସମ୍ପାଦକ ବୀରେନ୍ଦ୍ର ମହାପାତ୍ର, ବ୍ଲକ ସଭାପତି ପୁରୁଷୋତ୍ତମ ନାଏକ, ଜିଲ୍ଲା ମହିଳା ସଭାପତି ଜୟନ୍ତୀ ବାହୁକ, ବ୍ଲକ ମହିଳା ସଭାପତି ନିରୁପମା ପ୍ରଧାନ, ରଘୁନାଥପାଲି ସରପଞ୍ଚ ରଞ୍ଜନ ସରାଫ, ସମିତିସଭ୍ୟ ବୃନ୍ଦାବନ ନାଏକ, ପୂର୍ବତନ ସରପଞ୍ଚ ହେମନ୍ତ ସାହୁ, ଜିଲ୍ଲା ଉପସଭାପତି ତୁଳାରାମ ସେନାପତି, ଲକ୍ଷ୍ମଣ ସାହୁ, ସୁରେନ୍ଦ୍ର ନାଏକଙ୍କ ସମେତ ବହୁ ମହିଳା ଓ ଯୁବ କର୍ମୀ ଉପସ୍ଥିତ ଥିଲେ।
ଭୋଟରଙ୍କ ଗଣତାନ୍ତ୍ରିକ ଓ ଭୋଟଦାନ ଅଧିକାର ସୁରକ୍ଷିତ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ପୂର୍ବତନ ବିଧାୟିକା ଦୀପାଳି ଦାସ ଚେତାବନୀ ଦେଇଥିଲେ