ଗୁଣାତ୍ମକ ଓ ବିଶ୍ୱସ୍ତରୀୟ ଶିକ୍ଷା ପ୍ରଦାନ ଆଦର୍ଶ ବିଦ୍ୟାଳୟର ମୁଖ୍ୟ ଲକ୍ଷ୍ୟ

16

ଅଲଡ଼ା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡ଼ା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ , ଶିକ୍ଷକ-ଶିକ୍ଷୟିତ୍ରୀ , ଅଭିଭାବକ ଓ ଅତିଥିମାନଙ୍କ ଉପସ୍ଥିତିରେ ପରିବେଶ ଉତ୍ସବମୁଖର ହୋଇଉଠିଥିଲା।
ବିଦ୍ୟାଳୟର ଅଧ୍ୟକ୍ଷା ସୁନୀତା କୁମାରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ରୁପେଶ କୁମାର ପାଣିଗ୍ରାହୀ ଯୋଗଦେଇ ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ସେ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ଛାତ୍ରଛାତ୍ରୀ , ଶିକ୍ଷକ ଓ ଅଭିଭାବକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଏହି ଅବସରରେ ଅତିଥିମାନେ କହିଥିଲେ ଯେ, ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ସହରାଞ୍ଚଳର ଛାତ୍ରଛାତ୍ରୀଙ୍କ ସମକକ୍ଷ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ଆଧୁନିକ ଓ ବିଶ୍ୱସ୍ତରୀୟ ଶିକ୍ଷାର ସୁଯୋଗ ଦେବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ମୁଖ୍ୟ ଲକ୍ଷ୍ୟ। ଶିକ୍ଷା କ୍ଷେତ୍ରରେ ନୂତନ ପଦକ୍ଷେପ , ଜାତୀୟ ଶିକ୍ଷା ନୀତି , ଆଧୁନିକ ଶିକ୍ଷା ପଦ୍ଧତି ଏବଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।
ବିଦ୍ୟାଳୟରେ ପାଠପଢ଼ା ସହିତ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ସାଂସ୍କୃତିକ , ଶିକ୍ଷାମୂଳକ ଓ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଉଥିବା ବିଷୟରେ ମଧ୍ୟ ଅତିଥିମାନେ ମତବ୍ୟକ୍ତ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରି ବିଜେତା ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ବିଧାୟକ ରୁପେଶ କୁମାର ପାଣିଗ୍ରାହୀଙ୍କ ଦ୍ୱାରା ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ବିଧାୟକ ସମେତ ବିଦ୍ୟାଳୟର ଅଧ୍ୟକ୍ଷା ଇସ୍ପିତା ସୁଆର , ଶିକ୍ଷକ ଉମାକାନ୍ତ ଭୂୟାଁଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ , ଅଭିଭାବକ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉତ୍ସବରେ ଉପସ୍ଥିତ ଥିଲେ।
ପ୍ରତିଷ୍ଠା ଦିବସ ଅବସରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ ଓ ଶିକ୍ଷାମୂଳକ ପ୍ରସ୍ତୁତି ମାଧ୍ୟମରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହାକୁ ଉପସ୍ଥିତ ଅତିଥି ଓ ଅଭିଭାବକମାନେ ପ୍ରଶଂସା କରିଥିଲେ।
ଶେଷରେ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରତିଷ୍ଠା ଦିବସ ସମାରୋହର ସମାପନ କରାଯାଇଥିଲା। ଏହି ଉତ୍ସବ ବିଦ୍ୟାଳୟର ଶିକ୍ଷା , ଶୃଙ୍ଖଳା ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ପ୍ରତି ଥିବା ପ୍ରତିବଦ୍ଧତାକୁ ଆହୁରି ମଜବୁତ କରିବ ବୋଲି ଉପସ୍ଥିତ ଅତିଥିମାନେ ଆଶା ପ୍ରକାଶ କରିଥିଲେ।

Leave A Reply

Your email address will not be published.