ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଲାମ୍ପସ୍ ପରିଦର୍ଶନ କଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ
କୃଷକ ପଞ୍ଜୀକରଣ ପ୍ରକ୍ରିୟାର ସ୍ଥିତି ସମୀକ୍ଷା — ନିର୍ଦ୍ଧାରିତ ସମୟସୀମାରେ ପଞ୍ଜୀକରଣ ସମ୍ପୂର୍ଣ୍ଣ ପାଇଁ ନିର୍ଦ୍ଦେଶ
ନବରଙ୍ଗପୁର, ୦୫ ସେପ୍ଟେମ୍ବର ୨୦୨୬: କୃଷକମାନଙ୍କ ସୁବିଧା, ସ୍ୱଚ୍ଛତା ଏବଂ ସମୟବଦ୍ଧ ଭାବେ କୃଷିଜାତ ଉତ୍ପାଦ ସଂଗ୍ରହ ପ୍ରକ୍ରିୟାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପୁରନ୍ଦର ଧାରୁଆ ଆଜି ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଲାର୍ଜ ଏରିଆ ମଲ୍ଟିପର୍ପୋଜ୍ କୋ-ଅପରେଟିଭ୍ ସୋସାଇଟି (LAMPCS) ପରିଦର୍ଶନ କରି କୃଷକ ପଞ୍ଜୀକରଣ ପ୍ରକ୍ରିୟାର ସ୍ଥିତି ଓ କ୍ଷେତ୍ରସ୍ତରୀୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।
ପରିଦର୍ଶନ ସମୟରେ ସ୍ୱତନ୍ତ୍ର ଶାସନ ସଚିବ ବିଭିନ୍ନ ଲାମ୍ପସ୍ର କାର୍ଯ୍ୟକଳାପ, କୃଷକ ପଞ୍ଜୀକରଣର ଅଗ୍ରଗତି ଏବଂ ପଞ୍ଜୀକରଣ ପ୍ରକ୍ରିୟାରେ ଥିବା ବ୍ୟବହାରିକ ସମସ୍ୟା ସମ୍ପର୍କରେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କଠାରୁ ବିସ୍ତୃତ ତଥ୍ୟ ନେଇଥିଲେ। ସେ ପଞ୍ଜୀକରଣ ପ୍ରକ୍ରିୟାରେ ଆବଶ୍ୟକ ଦସ୍ତାବିଜ, ତଥ୍ୟ ଯାଞ୍ଚ ଓ ଅନ୍ୟାନ୍ୟ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଅବଗତ ହୋଇଥିଲେ।
ଏହି ଅବସରରେ ସେ ସ୍ଥାନୀୟ କୃଷକମାନଙ୍କ ସହ ସିଧାସଳଖ ଆଲୋଚନା କରି ପଞ୍ଜୀକରଣ ପ୍ରକ୍ରିୟା ସମ୍ପର୍କରେ ସେମାନଙ୍କର ମତାମତ, ସମସ୍ୟା ଓ ପ୍ରସ୍ତାବ ଶୁଣିଥିଲେ। କୃଷକମାନେ ଯେପରି ପଞ୍ଜୀକରଣ ସମୟରେ କୌଣସି ଅନାବଶ୍ୟକ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ଏବଂ ଯୋଗ୍ୟ କୃଷକମାନେ ସମୟୋଚିତ ଭାବେ ପଞ୍ଜୀକୃତ ହୋଇ ସରକାରୀ କ୍ରୟ ବ୍ୟବସ୍ଥାର ସୁବିଧା ପାଇପାରନ୍ତି, ସେଥିପାଇଁ କ୍ଷେତ୍ରସ୍ତରରେ ଆବଶ୍ୟକ ସହଯୋଗ ଓ ମାର୍ଗଦର୍ଶନ ନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ଶ୍ରୀ ଧାରୁଆ ଯୋଗ୍ୟ କୃଷକମାନଙ୍କର ପଞ୍ଜୀକରଣ ପ୍ରକ୍ରିୟାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ପଞ୍ଜୀକରଣରେ ଅବଶିଷ୍ଟ ଥିବା କୃଷକମାନଙ୍କୁ ଚିହ୍ନଟ କରି ତାଙ୍କ ପଞ୍ଜୀକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ପ୍ରତ୍ୟେକ ଲାମ୍ପସ୍ ନିଜ ଅଧୀନସ୍ଥ ଅଞ୍ଚଳର ପଞ୍ଜୀକରଣ ସ୍ଥିତିକୁ ନିୟମିତ ଭାବେ ସମୀକ୍ଷା କରିବାକୁ ସେ ପରାମର୍ଶ ଦେଇଥିଲେ।
ଏଥିସହ କୃଷକ ପଞ୍ଜୀକରଣ ପ୍ରକ୍ରିୟାରେ ପାରଦର୍ଶିତା, ତଥ୍ୟର ସଠିକତା ଏବଂ ପ୍ରଶାସନିକ ଦାୟିତ୍ୱବୋଧ ନିଶ୍ଚିତ କରିବା ସହିତ କ୍ଷେତ୍ରସ୍ତରରେ ନିୟମିତ ତଦାରଖ ଓ ଅନୁସରଣ କରିବା ପାଇଁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।

ଆଗାମୀ କୃଷିଜାତ ଉତ୍ପାଦ ସଂଗ୍ରହ ପ୍ରକ୍ରିୟାକୁ ସୁଚାରୁ, ସ୍ୱଚ୍ଛ ଓ କୃଷକ-ଅନୁକୂଳ ଭାବେ ପରିଚାଳନା କରିବା ପାଇଁ ଲାମ୍ପସ୍, ଯୋଗାଣ ବିଭାଗ, ସମବାୟ ବିଭାଗ ଏବଂ କୃଷକମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ରଖିବା ଉପରେ ମଧ୍ୟ ସ୍ୱତନ୍ତ୍ର ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ।
ପରିଦର୍ଶନ ସମୟରେ ନବରଙ୍ଗପୁର ଜିଲ୍ଲା ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତି ଏବଂ ଜିଲ୍ଲା ସମବାୟ ସମିତି ନିବନ୍ଧକ ନବରଙ୍ଗପୁରଙ୍କ ସମେତ ସମ୍ପୃକ୍ତ ଲାମ୍ପସ୍ର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ସେମାନେ ଜିଲ୍ଲାରେ ଚାଲୁଥିବା କୃଷକ ପଞ୍ଜୀକରଣ ପ୍ରକ୍ରିୟା, ଲାମ୍ପସ୍ ସ୍ତରରେ ଉପଲବ୍ଧ ସୁବିଧା ଏବଂ ଆଗାମୀ ସଂଗ୍ରହ ବ୍ୟବସ୍ଥା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀ ଧରୁଆଙ୍କୁ ଅବଗତ କରାଇଥିଲେ।
ଜିଲ୍ଲା ପ୍ରଶାସନ ପକ୍ଷରୁ କୃଷକମାନଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମୟବଦ୍ଧ ଓ ସ୍ୱଚ୍ଛ ଭାବେ ପଞ୍ଜୀକରଣ ପ୍ରକ୍ରିୟା ସମ୍ପନ୍ନ କରିବା ଏବଂ ଆଗାମୀ କ୍ରୟ ପ୍ରକ୍ରିୟାକୁ ସୁଚାରୁ ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ସମସ୍ତ ଆବଶ୍ୟକ ପଦକ୍ଷେପ ଜାରି ରହିଛି।