ଉଲ୍ଲାସ ସାକ୍ଷରତା ଅଭିଯାନ ଅବସରରେ ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ସାକ୍ଷରତା ପଦଯାତ୍ରା

15


“ସାକ୍ଷରତା ହେଉଛି ଉନ୍ନତିର ମୂଳଦୁଆ” — ସାକ୍ଷର ନବରଙ୍ଗପୁର ଗଠନ ପାଇଁ ଆହ୍ୱାନ


ନବରଙ୍ଗପୁର, ୦୫ ସେପ୍ଟେମ୍ବର ୨୦୨୬: ସାକ୍ଷରତାର ବିକାଶ, ନିରକ୍ଷରତା ଦୂରୀକରଣ ଏବଂ ସମାଜର ସମସ୍ତ ବର୍ଗଙ୍କୁ ଶିକ୍ଷାର ମୁଖ୍ୟସ୍ରୋତ ସହିତ ଯୋଡ଼ିବା ଲକ୍ଷ୍ୟରେ ଉଲ୍ଲାସ (ULLAS) ସାକ୍ଷରତା ଅଭିଯାନ ଅବସରରେ ଆଜି ନବରଙ୍ଗପୁର ଜିଲ୍ଲାରେ ଏକ ଜିଲ୍ଲାସ୍ତରୀୟ ସାକ୍ଷରତା ପଦଯାତ୍ରା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି।
ପଦଯାତ୍ରାର ଶୁଭାରମ୍ଭ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଠି, ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ ଚନ୍ଦ୍ର ମିଶ୍ର, ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ ଶ୍ରୀ କୁନୁ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଦ୍ୱାରା ପତାକା ଦେଖାଇ କରାଯାଇଥିଲା।
ଏହି ପଦଯାତ୍ରାରେ ୫୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ନବଶିକ୍ଷାର୍ଥୀ, ଶିକ୍ଷକ-ଶିକ୍ଷୟିତ୍ରୀ, ପଞ୍ଚାୟତିରାଜ ସଂସ୍ଥା (PRI)ର ପ୍ରତିନିଧି ଏବଂ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଅଂଶଗ୍ରହଣକାରୀମାନେ ସାକ୍ଷରତାର ଗୁରୁତ୍ୱ ସମ୍ପର୍କିତ ବିଭିନ୍ନ ସଚେତନତାମୂଳକ ସ୍ଲୋଗାନ ଦେଇ ସାକ୍ଷରତାର ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇଥିଲେ।

ଏହି ଅବସରରେ ଉଲ୍ଲାସ ସାକ୍ଷରତା ଅଭିଯାନର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ସାମାଜିକ ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା। ସାକ୍ଷରତା କେବଳ ପଢ଼ିବା ଓ ଲେଖିବାର ଦକ୍ଷତା ନୁହେଁ, ବରଂ ବ୍ୟକ୍ତିଙ୍କୁ ନିଜ ଅଧିକାର, କର୍ତ୍ତବ୍ୟ ଓ ସୁଯୋଗ ସମ୍ପର୍କରେ ସଚେତନ କରିବା ସହିତ ତାଙ୍କୁ ଅଧିକ ସଶକ୍ତ ଓ ସ୍ୱାବଲମ୍ବୀ କରିବାର ଏକ ମହତ୍ତ୍ୱପୂର୍ଣ୍ଣ ମାଧ୍ୟମ ବୋଲି ମତ ପ୍ରକାଶ ପାଇଥିଲା।
ନବଶିକ୍ଷାର୍ଥୀମାନଙ୍କୁ ମୌଳିକ ସାକ୍ଷରତା ସହିତ ଦୈନନ୍ଦିନ ଜୀବନରେ ଆବଶ୍ୟକ ଜ୍ଞାନ ଓ ଦକ୍ଷତା ପ୍ରଦାନ, ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ଏବଂ ସମାଜରେ ଶିକ୍ଷାର ଗୁରୁତ୍ୱ ବୃଦ୍ଧି କରିବା ଦିଗରେ ଉଲ୍ଲାସ ଅଭିଯାନର ଭୂମିକା ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା।
“ସାକ୍ଷରତା ହେଉଛି ଉନ୍ନତିର ମୂଳଦୁଆ। ଆସନ୍ତୁ, ସମସ୍ତେ ମିଶି ସାକ୍ଷର ନବରଙ୍ଗପୁର ଗଢ଼ିବା।” — ଏହି ସନ୍ଦେଶ ସହ ପଦଯାତ୍ରା ମାଧ୍ୟମରେ ସମାଜର ପ୍ରତ୍ୟେକ ବର୍ଗଙ୍କୁ ସାକ୍ଷରତା ଅଭିଯାନ ସହ ଯୋଡ଼ିବା ପାଇଁ ଆହ୍ୱାନ ଦିଆଯାଇଥିଲା।
ULLAS — ଉତ୍ସାହରୁ ସାକ୍ଷରତା, ସାକ୍ଷରତାରୁ ସଶକ୍ତିକରଣ।
ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲ୍ଲାରେ ସାକ୍ଷରତାର ପ୍ରସାର, ନବଶିକ୍ଷାର୍ଥୀମାନଙ୍କୁ ଶିକ୍ଷା ସହିତ ଯୋଡ଼ିବା ଏବଂ ଏକ ସମ୍ପୂର୍ଣ୍ଣ ସାକ୍ଷର ଓ ସଶକ୍ତ ସମାଜ ଗଠନ ଦିଗରେ ନିରନ୍ତର ପ୍ରୟାସ ଜାରି ରହିଛି।

Leave A Reply

Your email address will not be published.