- ଟି୍ରପଲ ଇଞ୍ଜିନ ସରକାର ଥାଇ କୋଟିଆକୁ ନେଇ ରାଜ୍ୟ ସରକାର ସୁପି୍ରମକୋର୍ଟର ଦ୍ୱାରସ୍ଥ ହେବା ନିନ୍ଦନୀୟ
- ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଆନ୍ତୁ ନାହିଁ ଡବଲ ଇଞ୍ଜିନ ସରକାର
- ସୀମା ସୁରକ୍ଷା ପାଇଁ ପଦକ୍ଷେପ ନିଅନ୍ତୁ ଡବଲ ଇଞ୍ଜିନ ସରକାର
ଭୁବନେଶ୍ୱର, ୨୩/୧୦/୨୦୨୬: ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ଆଜି ବିଜେଡିର ଏକ ପ୍ରତିନିଧିମଣ୍ଡଳୀ କୋଟିଆ ପଞ୍ଚାୟତ ଗସ୍ତ କରି ଫାଟୁସିନେରି, ନେରେଡିଭାଲାସା, ଗଞ୍ଜେଇପଦର ଓ ଅନ୍ୟାନ୍ୟ ଗ୍ରାମର ବାସିନ୍ଦାଙ୍କ ସହ ଆଲୋଚନା କରିଥିଲା । ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ ନେଇ ସ୍ଥିତି ଅନୁଧ୍ୟାନ କରିଥିଲା ବିଜେଡି ପ୍ରତିନିଧିମଣ୍ଡଳୀ ।
ବିଜେଡି ପ୍ରତିନିଧି ମଣ୍ଡଳୀ କହିଥିଲେ ଯେ, ଯଦି ଟି୍ରପଲ ଇଞ୍ଜିନ ସରକାର ଥାଇ କୋଟିଆ ସମସ୍ୟାର ସମାଧାନ ହେବ ନାହିଁ ଏବଂ ଆନ୍ଧ୍ର ସରକାର କୋଟିଆରେ ପଞ୍ଚାୟତ ନିର୍ବାଚନ କରିବ, ଏହାଠୁ ବଡ଼ ଅପମାନ ଓଡ଼ିଶା ପାଇଁ କିଛି ହୋଇନପାରେ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଓଡ଼ିଶା ସରକାର ଆନ୍ଧ୍ର ସରକାର ଆଗରେ ଆତ୍ମସମର୍ପଣ କରିଛନ୍ତି । ଆନ୍ଧ୍ର ଆଗରେ ଅସହାୟ ଓଡ଼ିଶା ସରକାର । ରାଜ୍ୟ ସରକାର କୋଟିଆ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି । ନ୍ୟାୟ ଭିକ୍ଷା ପାଇଁ ମାନ୍ୟବର ସୁପି୍ରମକୋର୍ଟଙ୍କ ଦ୍ୱାରସ୍ଥ ହେବା ରାଜ୍ୟ ସରକାରଙ୍କ ଅସହାୟତାକୁ ପ୍ରକାଶ କରୁଛି । କୋଟିଆ ଓଡ଼ିଶାର ଥିଲା ଓ ଓଡ଼ିଶାର ହେଇକି ରହିବ । ଆନ୍ଧ୍ର କୋଟିଆକୁ ଛଡ଼ାଇ ନେଇପାରିବ ନାହିଁ । ବିଜେଡି ଶତପ୍ରତିଶତ ଉଦ୍ୟମ କରିବ ଏହି ନିର୍ବାଚନ ବନ୍ଦ କରିବା ପାଇଁ । କୋଟିଆବାସୀ ଅନୁଭବ କରିସାରିଲେଣି ବିଜେଡି ସରକାର ସମୟରେ ଏଭଳି ଅବସ୍ଥା କେବେ ହୋଇନଥିଲା । ଆଜି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସେଥିପାଇଁ ବିଜେପି ସରକାର ଦାୟୀ ।
ଫାଟୁସିନେରି ଗ୍ରାମ ଗସ୍ତ ସମୟରେ ପ୍ରତିନିଧି ମଣ୍ଡଳୀ ଦେଖିବାକୁ ପାଇଥିଲା ଯେ, ଏହି ଅଞ୍ଚଳରେ ୱାଇଏସ୍ଆର୍ କଂଗ୍ରେସ ପାର୍ଟି (ୱାଇଏସ୍ଆର୍ସିପି)ର କର୍ମୀମାନେ ନିର୍ବାଚନୀ ପ୍ରଚାର କରୁଥିଲେ । ଏହି ପ୍ରଚାରକୁ ପ୍ରତିନିଧିମଣ୍ଡଳୀ ବିରୋଧ କରିବା ପରେ କର୍ମୀମାନେ ସେଠାରୁ ଚାଲିଯାଇଥିଲେ । କୋଟିଆ ଅଞ୍ଚଳରେ ପର୍ଯ୍ୟାପ୍ତ ଓଡ଼ିଶା ପୋଲିସ୍ ମୁତୟନ ନହେବା ଏବଂ ସୀମାନ୍ତ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ସରକାରୀ ଅଧିକାରୀଙ୍କ ଉପସ୍ଥିତି ଓ ହସ୍ତକ୍ଷେପକୁ ନେଇ ବିଜେଡି ଉଦ୍ବେଗ ପ୍ରକାଶ କରିଛି । ଏହି ଅଞ୍ଚଳରେ ଆନ୍ଧ୍ରର ନିର୍ବାଚନୀ ପ୍ରକି୍ରୟା ଜାରି ଥିବା ସତ୍ତ୍ୱେ ଓଡ଼ିଶା ପ୍ରଶାସନର କୌଣସି ପ୍ରତିକ୍ରିୟା ନଥିବା ପ୍ରତିନିଧି ଦଳ ଅନୁଭବ କରିଛି । ଶ୍ରୀ ନବୀନ ପଟ୍ଟନାୟକ ବହୁ ପୂର୍ବରୁ କୋଟିଆ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖିଛନ୍ତି । ଏହି ଅଞ୍ଚଳରେ ରାଜ୍ୟର ପ୍ରଶାସନିକ ଉପସ୍ଥିତିକୁ ସୁଦୃଢ଼ କରିବା ସହ ଦୃଢ଼ ପଦକ୍ଷେପ ଜରିଆରେ ଓଡ଼ିଶାବାସୀ ତଥା ରାଜ୍ୟର ସୀମା ସୁରକ୍ଷିତ ରଖନ୍ତୁ ।

ଓଡ଼ିଶାର ଭୂଖଣ୍ଡଗତ ଅଖଣ୍ଡତାର ସୁରକ୍ଷା କେବଳ ନିର୍ବାଚନୀ ସ୍ଲୋଗାନ କିମ୍ୱା ରାଜନୈତିକ ପ୍ରତିଶ୍ରୁତିରେ ସୀମିତ ରହିପାରିବ ନାହିଁ । ଏଥିପାଇଁ ପ୍ରଶାସନିକ ସତର୍କତା, ପ୍ରଭାବଶାଳୀ ପୋଲିସ୍ ବ୍ୟବସ୍ଥା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ୱୟ ଏବଂ ପ୍ରଭାବିତ ଗ୍ରାମଗୁଡ଼ିକରେ ବସବାସ କରୁଥିବା ଲୋକଙ୍କ ସାମ୍ୱିଧାନିକ ଓ ଆଇନଗତ ଅଧିକାରର ସୁରକ୍ଷା ପାଇଁ ଦୃଢ଼ ପ୍ରତିବଦ୍ଧତା ଆବଶ୍ୟକ । ଏହି ଗସ୍ତର ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବେ ପ୍ରତିନିଧି ମଣ୍ଡଳୀ, ଯାହା ଉପରେ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ବିଜେଡି ଦାବି କରିଛି ଯେ, ଓଡ଼ିଶା ସରକାର ତୁରନ୍ତ ପ୍ରଭାବିତ ଅଞ୍ଚଳରେ ପୋଲିସ୍ ମୁତୟନ କରିବା ସହ ସୀମାନ୍ତରେ ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରନ୍ତୁ । ଦାୟିତ୍ୱ ସମ୍ପନ୍ନ ପ୍ରଶାସନିକ ଅଧିକାରୀଙ୍କୁ କୋଟିଆରେ ନିୟୋଜିତ କରନ୍ତୁ । ନିର୍ବାଚନୀ ପ୍ରଚାର ଘଟଣାର ତଦନ୍ତ କରନ୍ତୁ ଏବଂ ଯେଉଁଠାରେ ଆଇନ ଉଲ୍ଲଙ୍ଘନ ପ୍ରମାଣିତ ହେବ, ସେଠାରେ ଆଇନଗତ ପଦକ୍ଷେପ ନିଅନ୍ତୁ । ଏଥିସହ ଓଡ଼ିଶାର ସ୍ୱାର୍ଥ ଏବଂ ନ୍ୟାୟିକ ବ୍ୟବସ୍ଥାକୁ ସମ୍ମାନ ଦେଇ କୋଟିଆ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ । ଓଡ଼ିଶା ସରକାର କେବଳ ସ୍ଲୋଗାନରେ ସୀମିତ ନ ରହି କୋଟିଆ ପ୍ରସଙ୍ଗରେ ଠୋସ୍ ପଦକ୍ଷେପ ନିଅନ୍ତୁ ।
ବିଜେଡିର ଏହି ପ୍ରତିନିଧିମଣ୍ଡଳୀରେ ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ପୂର୍ବତନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ପୂର୍ବତନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନନ୍ଦ, ପୂର୍ବତନ ସାଂସଦ ଶ୍ରୀ ଝିନ୍ନ ହିକକା ଓ ଶ୍ରୀ ପ୍ରଦୀପ ମାଝୀ, ବିଜେଡିର ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର, ପୂର୍ବତନ ବିଧାୟକ ଶ୍ରୀ ପ୍ରଭୁ ଜାନି, ଶ୍ରୀ ରଘୁରାମ ପଡ଼ାଲ, ଶ୍ରୀ ପ୍ରଫୁଲ୍ଲ ପାଙ୍ଗୀ ଓ ଶ୍ରୀ ପ୍ରୀତମ ପାଢ଼ୀ, ବିଜେଡି ଆଦିବାସୀ ସେଲ୍ର ସାଧାରଣ ସମ୍ପାଦିକା ଶ୍ରୀମତୀ କୌଶଲ୍ୟା ହିକକା, କୋରାପୁଟ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ମେଲେକା ଏବଂ କୋରାପୁଟ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀ ଲଲାଟ ରଞ୍ଜନ ସେଠୀ ପ୍ରମୁଖ ସାମିଲ ଥିଲେ ।