,
ଗୌଡ଼ପୁଟ, ୨୩।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ଗୌଡ଼ପୁଟରେ ବୁଢ଼ାବୁଢ଼ିଆଣୀ କ୍ରୀଡ଼ା ସଂସଦ ଓ ନେତାଜୀ କ୍ଲବ ଗୌଡ଼ପୁଟର ଆନୁକୂଲ୍ୟରେ ଆୟୋଜିତ ୪୬ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟର ତୃତୀୟ ଦିବସରେ ଖଣ୍ଡପଡ଼ା ଏଫ୍ସି ବିଜୟୀ ହୋଇ ଦ୍ୱିତୀୟ ସେମିଫାଇନାଲକୁ ଉନ୍ନୀତ ହୋଇଛି। ଏକ ରୋମାଞ୍ଚକର ମ୍ୟାଚ୍ରେ ଖଣ୍ଡପଡ଼ା ଏଫ୍ସି ଟାଇବ୍ରେକରରେ ଶରଣକୁଳ ଏଫ୍ସିକୁ ୪-୨ ଗୋଲ୍ରେ ପରାସ୍ତ କରିଥିଲା। ନିର୍ଦ୍ଧାରିତ ଖେଳ ସମୟରେ ଉଭୟ ଦଳ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ପରସ୍ପର ବିରୋଧରେ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ। ଫଳରେ ମ୍ୟାଚ୍ଟି ୧-୧ ଗୋଲ୍ରେ ଅମୀମାଂସିତ ରହିବାରୁ ଟାଇବ୍ରେକରର ସହାୟତା ନିଆଯାଇଥିଲା। ଏଥିରେ ଖଣ୍ଡପଡ଼ା ଏଫ୍ସି ବାଜିମାତ୍ କରିଥିଲା। ଏହି ମ୍ୟାଚ୍ରେ ଡ. ମାନସ ରଞ୍ଜନ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମ୍ୟାଚ୍କୁ କୈଳାଶ ପ୍ରଧାନ, ସୁରେଶ ପରିଡ଼ା, ପ୍ରସନ୍ନ ନାୟକ ଓ ସୂର୍ଯ୍ୟକାନ୍ତ ଦଳବେହେରା ପରିଚାଳନା କରିଥିଲେ। ଆସନ୍ତାକାଲି ନୟାଗଡ଼ ଦଳ ଓ ଖୋର୍ଦ୍ଧାର ମଙ୍ଗଳା କ୍ଲବ ମଧ୍ୟରେ ମୁକାବିଲା ହେବ ବୋଲି କ୍ରୀଡ଼ା ସମ୍ପାଦକ କେଦାର ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଟୁର୍ନାମେଣ୍ଟର ସୁପରିଚାଳନାରେ କ୍ଲବ ସଭାପତି ଦିଲ୍ଲୀପ ମାର୍ଥା, ସାଧାରଣ ସମ୍ପାଦକ ତ୍ରିନାଥ ପ୍ରଧାନ, ବିଜୟ ପ୍ରଧାନ, ନରସିଂହ ପୃଷ୍ଟି, ନିତ୍ୟାନନ୍ଦ ପ୍ରଧାନ ଓ ଜଗନ୍ନାଥ ବାରିକ ସହଯୋଗ କରିଥିଲେ। ଶ୍ରୀଧର ପରିଡ଼ା ଖେଳ ସଂଯୋଜନା କରିବା ସହ ଧାରାବିବରଣୀ ପ୍ରଦାନ କରିଥିଲେ।