ତିନି ମାସ ହେଲା ମିଳିନି ଭତ୍ତା, ବିଡିଓଙ୍କ ଦ୍ୱାରସ୍ଥ ହେଲେ ହିତାଧିକାରୀ

13

କୁରାଳ ଓ ଗିରିଡିପଲ୍ଲୀ ପଞ୍ଚାୟତର ୨୫ରୁ ଊର୍ଦ୍ଧ୍ୱ ମହିଳାଙ୍କ ଅଭିଯୋଗ

ଓଡ଼ଗାଁ, ୨୩।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ଭତ୍ତା ବଣ୍ଟନକୁ ନେଇ ଅନିୟମିତତା ଅଭିଯୋଗ ହେଉଥିବା ବେଳେ କୁରାଳ ଓ ଗିରିଡିପଲ୍ଲୀ ପଞ୍ଚାୟତର ୨୫ରୁ ଊର୍ଦ୍ଧ୍ୱ ମହିଳା ହିତାଧିକାରୀ ଗତ ତିନି ମାସ ଧରି ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି। ଏନେଇ ଶୁକ୍ରବାର ସେମାନେ ଓଡ଼ଗାଁ ବିଡିଓ ପ୍ରୀତିବାଳା ରଣାଙ୍କୁ ଭେଟି ନିଜର ସମସ୍ୟା ଜଣାଇବା ସହ ତୁରନ୍ତ ଭତ୍ତା ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି। ଭତ୍ତା ଟଙ୍କା ମିଳୁନଥିବାରୁ ଦୈନନ୍ଦିନ ଜୀବନଯାପନରେ ଅନେକ ସମସ୍ୟା ହେଉଥିବା ହିତାଧିକାରୀମାନେ କହିଛନ୍ତି। କେହି ଔଷଧ କିଣିବା ପାଇଁ ଟଙ୍କା ଆବଶ୍ୟକ ଥିବା କହିଥିବା ବେଳେ ଆଉ କେହି ତେଲଲୁଣ ସଂସାର ଚଳାଇବା ପାଇଁ ଭତ୍ତା ଟଙ୍କା ଉପରେ ନିର୍ଭର କରୁଥିବା ଜଣାଇଛନ୍ତି। ଅନ୍ୟପକ୍ଷରେ, ପଞ୍ଚାୟତରେ ଭତ୍ତା ବଣ୍ଟନ ହେଉଥିବା ବେଳେ ସେମାନଙ୍କ ଜମାଖାତାକୁ ଟଙ୍କା ଆସୁନଥିବାରୁ ପରିବାର ସଦସ୍ୟଙ୍କ ନିକଟରେ ମଧ୍ୟ ସେମାନଙ୍କୁ ସନ୍ଦେହର ସାମ୍ନା କରିବାକୁ ପଡ଼ୁଛି। ବ୍ୟାଙ୍କରେ ଜମାଖାତା ଯାଞ୍ଚ କରିବା ପରେ ମଧ୍ୟ ଟଙ୍କା ଜମା ହୋଇନଥିବା ଜଣାପଡ଼ୁଥିବାରୁ ସେମାନେ ଚିନ୍ତାରେ ରହିଥିବା ଅଭିଯୋଗ କରିଛନ୍ତି। ହିତାଧିକାରୀଙ୍କ ଅଭିଯୋଗ ଶୁଣିବା ପରେ ବିଡିଓ ପ୍ରୀତିବାଳା ରଣା ଭତ୍ତା ପ୍ରଦାନରେ ବିଳମ୍ବ ହେବାର କାରଣ ସମ୍ପର୍କରେ ବୁଝାଇଥିଲେ। ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ (ଡିବିଟି) ବ୍ୟବସ୍ଥା ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ଭତ୍ତା ଟଙ୍କା ପଠାଯାଉଥିବା ବେଳେ ସର୍ଭର ଓ ଅନଲାଇନ୍ ଆର୍ଥିକ କାରବାର ସମ୍ବନ୍ଧୀୟ ପ୍ରକ୍ରିୟାରେ ସମସ୍ୟା ଯୋଗୁଁ ଟଙ୍କା ଜମା ହେବାରେ ବିଳମ୍ବ ହେଉଥିବା ସେ କହିଥିଲେ। ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କ ସହ ଯୋଗାଯୋଗ ଜାରି ରହିଛି ଏବଂ ଖୁବ୍‌ଶୀଘ୍ର ହିତାଧିକାରୀମାନେ ଭତ୍ତା ପାଇପାରିବେ ବୋଲି ବିଡିଓ ଆଶ୍ୱାସନା ଦେଇଥିଲେ।

Leave A Reply

Your email address will not be published.