~ ପାରାଦ୍ଵୀପର ୨୧ଟି ବିଦ୍ୟାଳୟର ୪,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ~
ପାରାଦ୍ଵୀପ, ସେପ୍ଟେମ୍ବର ୪, ୨୦୨୬: ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ), ଟାଇମ୍ସ ଫାଉଣ୍ଡେସନ୍ ସହଭାଗିତାରେ, ଏଏମ୍/ଏନ୍ଏସ୍ ଇଣ୍ଡିଆ ଟାଇମ୍ସ କ୍ରିଟିକାଲ ଥିଙ୍କିଂ ଚାମ୍ପିୟନଶିପ୍ (ଏଏମ୍/ଏନ୍ଏସ୍ ଇଣ୍ଡିଆ ଟିସିଟିସି) ୨୦୨୬ର କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସେପ୍ଟେମ୍ବର ୪, ୨୦୨୬ରେ ପାରାଦ୍ୱୀପସ୍ଥିତ ଜୟଦେବ ସଦନଠାରେ ଏକ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରିଥିଲା। ପାରାଦ୍ୱୀପର ବିଭିନ୍ନ ବିଦ୍ୟାଳୟରୁ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ୩୪ ଜଣ ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।
ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ର ଦୃଷ୍ଟିକୋଣ ସହ ସମନ୍ଵୟ ରକ୍ଷା କରି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାଲୋଚନାତ୍ମକ ଚିନ୍ତାଧାରା, ବିଶ୍ଳେଷଣାତ୍ମକ ଯୁକ୍ତି, ସମସ୍ୟା ସମାଧାନ ଏବଂ ନିଷ୍ପତ୍ତି ଗ୍ରହଣ ଭଳି ଦକ୍ଷତା ବିକଶିତ କରିବା ଉଦ୍ଦେଶ୍ୟରେ ଏହି ଚାମ୍ପିୟନଶିପ୍ ର ପରିକଳ୍ପନା କରାଯାଇଛି । ପାରାଦ୍ୱୀପରେ ୨୧ଟି ବିଦ୍ୟାଳୟର ୪,୦୦୦ରୁ ଅଧିକ ଛାତ୍ରଛାତ୍ରୀ ପ୍ରଥମ ରାଉଣ୍ଡରେ ଅଂଶଗ୍ରହଣ କରିଥିଲେ। ଗୋବିନ୍ଦ ଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ନିଶାନ ମଣ୍ଡଳ ରାଜ୍ୟସ୍ତରରେ ଦ୍ୱିତୀୟ ରାଉଣ୍ଡ ପାଇଁ ସଫଳତାର ସହ ଯୋଗ୍ୟତା ଅର୍ଜନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମାନ୍ୟବର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାରାଦ୍ୱୀପ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ୱାଳ, ପାରାଦ୍ୱୀପ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡାଙ୍କ ସହିତ ଏଏମ୍/ଏନ୍ଏସ୍ ଇଣ୍ଡିଆ ର ବରିଷ୍ଠ ନେତୃବୃନ୍ଦ ଯଥା ମାନବ ସମ୍ବଳ ଓ ପ୍ରଶାସନ ବିଭାଗ (ପୂର୍ବ) ମୁଖ୍ୟ ଡ. ଦେବବ୍ରତ ଦାଶ, ପାରାଦ୍ୱୀପ ପେଲେଟ୍ ପ୍ଲାଣ୍ଟ ମୁଖ୍ୟ ଶ୍ରୀ ଭାବେଶ ଝା, ସିଏସ୍ଆର ବିଭାଗ ମୁଖ୍ୟ ଡ. ବିକାଶ ଯାଦଭେନ୍ଦୁ, ଟାଇମ୍ସ ଫାଉଣ୍ଡେସନ୍ ଅପରେସନ୍ସ ବିଭାଗ ମୁଖ୍ୟ ଶ୍ରୀମତୀ ଆରୁଷି ମାଥୁର, ନୂଆଗଡ଼ ସରପଞ୍ଚ ଶ୍ରୀ ଦେବେନ୍ଦ୍ର ରାଉତ, ଏବଂ ପାରାଦ୍ୱୀପଗଡ଼ ସରପଞ୍ଚ ଶ୍ରୀମତୀ ଶଶ୍ମିତା ବେହେରା ଆଦି ଉପସ୍ଥିତ ଥିଲେ।
ଉପସ୍ଥିତ ଅତିଥିମାନେ ସମାବେଶକୁ ସମ୍ବୋଧିତ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାଲୋଚନାତ୍ମକ ଚିନ୍ତାଧାରାର ବିକାଶ ଏବଂ ଭବିଷ୍ୟତ ନେତୃତ୍ୱ ଗଠନରେ ଶିକ୍ଷାର ଭୂମିକା ଉପରେ ଆଲୋକପାତ କରିଥିଲେ। ସମ୍ବର୍ଦ୍ଧନା ସମାରୋହରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ନିଜ ଅନୁଭୂତି ବାଣ୍ଟିବା ପରେ କୃତୀ ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା।
ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ, “ଏଆଇ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ଦ୍ୱାରା ଦ୍ରୁତ ଗତିରେ ପରିବର୍ତ୍ତିତ ହେଉଥିବା ଏହି ବିଶ୍ୱରେ ପିଲାମାନଙ୍କ ମଧ୍ୟରେ ଜିଜ୍ଞାସା, ସମାଲୋଚନାତ୍ମକ ଚିନ୍ତାଧାରା, ତାର୍କିକ ଚିନ୍ତାଧାରା, ସମସ୍ୟା ସମାଧାନର ଦକ୍ଷତା ଏବଂ ଶିଖିବାର ମାନସିକତା ବିକଶିତ ହେବା ଆବଶ୍ୟକ। ଏଏମ୍/ଏନ୍ଏସ୍ ଇଣ୍ଡିଆ ଟାଇମ୍ସ କ୍ରିଟିକାଲ ଥିଙ୍କିଂ ଚାମ୍ପିୟନଶିପ୍ ଛାତ୍ରଛାତ୍ରୀଙ୍କ ବିକାଶର ଏହି ଭିତ୍ତିକୁ ସୁଦୃଢ଼ କରିବାରେ ସହାୟକ ହୋଇଛି। ପାରାଦ୍ୱୀପରୁ ୪,୦୦୦ରୁ ଅଧିକ ବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ସମଗ୍ର ଓଡ଼ିଶାର ୫୪ଟି ବିଦ୍ୟାଳୟରୁ ୧୧,୦୦୦ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବାରୁ ଏହା ଆମ ସମସ୍ତଙ୍କ ପାଇଁ ଆନନ୍ଦ ଓ ଗର୍ବର ବିଷୟ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ଅଞ୍ଚଳର ପ୍ରତିଭା ଚିହ୍ନଟ କରିବା ପାଇଁ ପ୍ରୟାସ କରିଥିବାରୁ ମୁଁ ଏଏମ୍/ଏନ୍ଏସ୍ ଇଣ୍ଡିଆ ଏବଂ ଟାଇମ୍ସ ଫାଉଣ୍ଡେସନ କୁ ଧନ୍ୟବାଦ ଜଣାଉଛି।”
ଏହି ଅବସରରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ମାନବ ସମ୍ବଳ ଓ ପ୍ରଶାସନ ବିଭାଗ ନିର୍ଦ୍ଦେଶକ ତଥା ଭାଇସ୍ ପ୍ରେସିଡେଣ୍ଟ ଶ୍ରୀ ଆଶୁତୋଷ ତେଲାଙ୍ଗ କହିଥିଲେ, “ଏଏମ୍/ଏନ୍ଏସ୍ ଇଣ୍ଡିଆ ଓଡ଼ିଶାରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସ୍ତରର ପ୍ରତିଯୋଗିତା ଅୟୋଜନ କରି ଅତ୍ୟନ୍ତ ଆନନ୍ଦିତ ଅନୁଭବ କରୁଛି। ଜାତୀୟସ୍ତରରେ ୧୦ ଲକ୍ଷରୁ ଅଧିକ ବିଦ୍ୟାଳୟ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିବାରୁ ଏହାର ପ୍ରଭାବ ଇତିମଧ୍ୟରେ ବେଶ ବ୍ୟାପକ ହୋଇଛି। ଆଗାମୀ ସଂସ୍କରଣଗୁଡ଼ିକୁ ଆହୁରି ବ୍ୟାପକ କରିବା ସହ ଅଧିକ ସଂଖ୍ୟକ ଯୁବ ପ୍ରତିଭା ଯେପରି ଏହି ମଞ୍ଚରୁ ଉପକୃତ ହୋଇପାରିବେ, ସେଥିପାଇଁ ଆମେ ପ୍ରତିବଦ୍ଧ।”
ଜାତୀୟସ୍ତରରେ ଏହି କାର୍ଯ୍ୟକ୍ରମରେ ତୃତୀୟରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୪,୦୦୦ଟି ବିଦ୍ୟାଳୟର ୧୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଉଛି। ସେପ୍ଟେମ୍ବର ୧୯, ୨୦୨୬ରେ ନୂଆଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ ଗ୍ରାଣ୍ଡ ଫିନାଲେ ସହିତ ଏହି ଚାମ୍ପିୟନଶିପ୍ର ସମାପନ ହେବ। ଏଠାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଅସାଧାରଣ ଦକ୍ଷତା ପାଇଁ ସମ୍ମାନିତ କରାଯିବ।