ଓଡ଼ିଶାରୁ ଏଫସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ
- ଚାଉଳ ନ ଉଠିବାରୁ ରାଜ୍ୟରେ ଧାନ କ୍ରୟରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି
- ଓଡ଼ିଶାକୁ ଅଣଦେଖା କରି ଅନ୍ୟ ରାଜ୍ୟଙ୍କୁ ପ୍ରୋତ୍ସାହନ ଦେଉଛନ୍ତି କେନ୍ଦ୍ର ସରକାର
- ଏଫସିଆଇ ଓଡ଼ିଶା ପ୍ରତି ପାତରଅନ୍ତର କରୁଥିବା ଯୋଗାଣ ମନ୍ତ୍ରୀ ସ୍ୱୀକାର କରିଛନ୍ତି
ଭୁବନେଶ୍ୱର, ୦୪/୦୯/୨୦୨୬: ଓଡ଼ିଶାରେ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଛି । ଓଡ଼ିଶାକୁ ହତାଦର କରି ଅନ୍ୟ ରାଜ୍ୟକୁ ଅଧିକ ଗୁରୁତ୍ୱ ପ୍ରଦାନ କରୁଛି ଏଫସିଆଇ । ଓଡ଼ିଶାରୁ ଚାଉଳ ଉଠୁନଥିବାରୁ ଧାନ କ୍ରୟରେ ଗୁରୁତର ସମସ୍ୟା ସୃଷ୍ଟି ହେଉଥିବା ସ୍ୱୀକାର କରିଛନ୍ତି ଯୋଗାଣ ମନ୍ତ୍ରୀ । ଏହାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଶ୍ରୀ ସଞ୍ଜୟ ଦାସବର୍ମା ବିଜେପି ସରକାର ଉପରେ ବର୍ଷିଛନ୍ତି ।
ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ ଯେ, ଏଫସିଆଇ ଓଡ଼ିଶାରୁ ଚାଉଳ ଉଠାଉନାହିଁ, କିନ୍ତୁ ଅନ୍ୟ ରାଜ୍ୟ ମାନଙ୍କୁ ବିଶେଷ ପ୍ରୋତ୍ସାହନ ଦେଉଛି । ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ପ୍ରଗତି ଦୁଇ ଗୁଣିତ ହେବ ବୋଲି ନିର୍ବାଚନ ସମୟରେ ବିଜେପି ପ୍ରତିଶ୍ରୁତି ଦେଇଥିଲା, ତାହା ଆଜି ମିଥ୍ୟା ପ୍ରମାଣିତ ହୋଇଛି । ଚାଷ ଆରମ୍ଭରୁ ଚାଷୀମାନେ ସାର ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଧାନ ପଞ୍ଜିକରଣରେ ଅବ୍ୟବସ୍ଥା, ମଣ୍ଡିରେ କଟନି ଛଟନିର ଶିକାର, ମଣ୍ଡିରେ ମିଲର୍ ମାନଙ୍କ ଅରାଜକତା ଭଳି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚାଷୀକୂଳ । ବର୍ତ୍ତମାନ ଏଫସିଆଇ ଓଡ଼ିଶାରୁ ଚାଉଳ ନ ଉଠାଇବା ଯୋଗୁଁ ରାଜ୍ୟବ୍ୟାପୀ ଅଚଳାବସ୍ଥା ସୃଷ୍ଟି ହୋଇଛି । ଯାହାକୁ ଆଗାମୀ ଦିନରେ ମଣ୍ଡିରେ ଧାନ କ୍ରୟ ସମୟରେ ଗୁରୁତର ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ସମାଧାନ କରିବା ବଦଳରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ତାଙ୍କର ଅସହାୟତାକୁ ସର୍ବସାଧାରଣରେ ପ୍ରକାଶ କରିଛନ୍ତି । ଯୋଗାଣ ମନ୍ତ୍ରୀ ବକ୍ତବ୍ୟ ରଖିଛନ୍ତି ଯେ, କେନ୍ଦ୍ର ସରକାର ଆମ କଥା ଶୁଣୁ ନାହାନ୍ତି । ୭ ଥର ଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଓଡ଼ିଶାରୁ ଏଫସିଆଇ ଚାଉଳ ଉଠାଇବା ନେଇ ଆଲୋଚନା କରିଥିବା ମନ୍ତ୍ରୀ କହିଥିଲେ । କିନ୍ତୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ କଥା ଶୁଣୁ ନାହାନ୍ତି । ଏଫସିଆଇ ଓଡ଼ିଶା ପ୍ରତି ପାତରଅନ୍ତର କରୁଥିବା ଖୋଦ୍ ମନ୍ତ୍ରୀ ସ୍ୱୀକାର କରିଛନ୍ତି । କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଏମିତି ଅବିଚାର କାହିଁକି କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଓଡ଼ିଶାବାସୀଙ୍କ ନିକଟରେ ଡବଲ ଇଞ୍ଜିନ ସରକାରଙ୍କ ମୁଖା ଖୋଲିଯାଇଛି । ଓଡ଼ିଶା ପ୍ରତି ବିଜେପି ସରକାର ଯେଉଁ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି, ତାହା ଆଦୌ ଗ୍ରହଣୀୟ ନୁହେଁ ।
ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ, ଡବଲ ଇଞ୍ଜିନ ସରକାରରେ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଉଛି । ଓଡ଼ିଶାରୁ ସେପ୍ଟେମ୍ୱର ମାସ ସୁଦ୍ଧା ୩୦ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଇବାର ଥିଲା, କିନ୍ତୁ କେନ୍ଦ୍ରର ଅବହେଳା ପାଇଁ ଏଫସିଆଇ ଓଡ଼ିଶାରୁ ଚାଉଳ ଉଠାଉ ନାହିଁ । ମାତ୍ର ୭ରୁ ୮ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଇଥିବା ବେଳେ ଅବଶିଷ୍ଟ ଚାଉଳ ପଡି ରହିଛି, ଯାହାକି ଅତ୍ୟନ୍ତ ଚିନ୍ତାଜନକ ବିଷୟ । ମନ୍ତ୍ରୀଙ୍କ କଥା ଶୁଣି ଚାଷୀ କୂଳ ହତାସ ହୋଇଛି । କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥିବାବେଳେ ଏଫସିଆଇ ସରକାରଙ୍କ ଏକ ଅଂଶବିଶେଷ । କିନ୍ତୁ ଏଫସିଆଇ ଓଡ଼ିଶା ସରକାରଙ୍କ କଥା ଶୁଣୁନଥିବା ମନ୍ତ୍ରୀ କହିଛନ୍ତି । ଜଣେ ବିଭାଗୀୟ ମନ୍ତ୍ରୀ ଏପରି କହିବା ଛୋଟ କଥା ନୁହେଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶାରୁ ସର୍ବାଧିକ ପରିମାଣର ଚାଉଳ ଉଠାଯାଇଥିଲା । ଓଡ଼ିଶା ୫ ଥର କୃଷି କର୍ମଣ ପୁରସ୍କାର ପାଇଥିଲା । କିନ୍ତୁ ବର୍ତ୍ତମାନ ଚିତ୍ର ବଦଳି ଯାଇଛି । ଓଡ଼ିଶାରୁ ବିଜେପିର ୨୦ ଲୋକସଭା ଓ ୫ ରାଜ୍ୟସଭା ସାଂସଦ ଥାଇ ଓଡ଼ିଆ ଅବହେଳିତ ହେବା ଦୁର୍ଭାଗ୍ୟଜନକ । କେନ୍ଦ୍ର ସରକାରଙ୍କ ନିକଟରେ ଓଡିଶାର ସ୍ୱାର୍ଥ ପାଇଁ ମୁହଁ ନ ଖୋଲି ସାଂସଦମାନେ ଚୁପ ରହିବା ଅତ୍ୟନ୍ତ ନିନ୍ଦନୀୟ । ଡବଲ ଇଞ୍ଜିନ ସରକାରରେ ଚାଷୀ କୂଳ ବାରମ୍ବାର ଉପେକ୍ଷିତ ହେଉଛନ୍ତି । ରାଜ୍ୟ ସରକାର ତୁରନ୍ତ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରି ଓଡ଼ିଶାରୁ ଚାଉଳ ଉଠାନ୍ତୁ, ନଚେତ୍ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ।