ଓଡିଶାରେ ସ୍ଥାଣୁ, ପ୍ରବଂଚନକାରୀ, ରାଧୁଆମିଛୁଆ ସରକାରକୁ ବଦଳିବାର ସମୟ ଆସିଛି

0 1

 

ଗୁଜୁରାଟରେ ସୁନା ଫଳାଉଥିବା ଗଞ୍ଜାମ ଜିଲ୍ଲାବାସୀଙ୍କ ଜନ୍ମସ୍ଥାନରେ ରୋଜଗାରର ବ୍ୟବସ୍ଥା ନକରିବା ମୁଖ୍ୟମନ୍ତ୍ରୀଙ୍କ ପାରିବାପଣିଆ କି ? – ଧର୍ମେନ୍ଦ୍ର ପ୍ରଧାନ

 ସରୋଜ ସାହୁ କିଏ ଏବଂ ସରୋଜ ସାହୁଙ୍କ ସହ ନବୀନ ବାବୁଙ୍କ ସମ୍ପର୍କ କଣ ?

 ଓଡିଶାରେ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନର ସରକାର ହେଲେ ଚିଟପଣ୍ଡର ଲୁଟେରାମାନଙ୍କୁ ଜେଲ୍ ପଠାଯିବ 

 ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଅଛନ୍ତି, ଗରିବ ଲୋକଙ୍କୁ ଠିକରେ  ଚାଉଳ ବାଂଟିପାରୁନାହାନ୍ତି

 

ଗଞ୍ଜାମ/ଚିକିଟି/ ହିଞ୍ଜିଳି/ସୋରଡା, ଅପ୍ରିଲ ୦୮ – ୧୯ ବର୍ଷ ଦାୟିତ୍ୱରେ ରହିବା ପରେ ତଥା ଏଠାରୁ ପ୍ରତିନିଧିତ୍ୱ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ରୋଜଗାରର ବ୍ୟବସ୍ଥା ନାହିଁ । ଲୋକମାନେ ବାହାରକୁ କାମ କରିବାକୁ ଯାଉଛନ୍ତି । ଗଞ୍ଜାମ ଜିଲ୍ଲାରଲୋକମାନେ ଗୁଜୁରାଟରେ ସୁନା ଫଳାଉଥିବା ବେଳେ ଏଠାରେ ରୋଜଗାରର ବ୍ୟବସ୍ଥା ନକରିବା ମୁଖ୍ୟମନ୍ତ୍ରୀଙ୍କ ପାରିବାପଣିଆ କିବୋଲି ଗଞ୍ଜାମ ଜିଲ୍ଲା ହିଞ୍ଜିଳି, ଚିକିଟି ଓ ସୋରଡାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସଭା ଓ ନିର୍ବାଚନୀ ଶୋଭାଯାତ୍ରାରେ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଏହି ସଧାରଣ ସଭାରେ ଶ୍ରୀ ପ୍ରଧାନ ସରୋଜ ସାହୁ କିଏ ଏବଂ ସରୋଜ ସାହୁଙ୍କ ସହ ନବୀନ ବାବୁଙ୍କ ସମ୍ପର୍କ କଣ ବୋଲି ପ୍ରଶ୍ନ କରିବା ସହ ଓଡିଶାରେ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନର ସରକାର ହେଲେ ଚିଟ ଫଣ୍ଡ  ଲୁଟେରାମାନଙ୍କୁ ଜେଲ୍ ପଠାଯିବ ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଯେଉଁମାନେ ଭୁବନେଶ୍ୱରରେ ଶୀତତାପ ନିୟନ୍ତ୍ରିତ କକ୍ଷ କିମ୍ବା ଏସି ବସରେ ବୁଲି ନରେନ୍ଦ୍ର ମୋଦି କିଏ ଓ ଓଡିଶା ପାଇଁ ମୋଦି କଣ କରିଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି । ସେମାନେ କହୁଛନ୍ତି, ଆମେ ୧୯ ବର୍ଷ ହେଲା ଦାୟିତ୍ୱରେ ଅଛୁ, ଓଡିଶା ଆମ ଜାଗିର, ଓଡିଶାକୁ ଲୁଟ କରିଛୁ, ଓଡିଶାର ପଇସାକୁ ଉପଭୋଗ କରିଛୁ ଏବଂ ଆହୁରି ଉପଭୋଗ କରିବୁ । ଯେଉଁମାନେ ଏକଥା କହୁଛନ୍ତି ସେମାନେ ଆଜି ଚିକିଟିର ମୋଦିଙ୍କ ବିଶାଳ ଜନସମର୍ଥନକୁ ଦେଖନ୍ତୁ । ପରିବର୍ତନର ପଦଧ୍ୱନୀକୁ ଦେଖନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି । ୧୯ ବର୍ଷ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଶାସନ ପରେ ଲୋକଙ୍କୁ ସ୍ୱଚ୍ଛ ପିଇବା ପାଣି ଦେଇପାରିଲେ ନାହିଁ, ଚାଷ ଜମିକୁ ମୁନ୍ଦେ  ପାଣି ପହଁଚେଇପାରିଲେ ନାହିଁ, ୨୪ ଘଂଟା ବିଜୁଳି ନାହିଁ, ଶୀତଳ ଭଣ୍ଡାର ନାହିଁ, ଚାଷୀକୁ ଉପଯୁକ୍ତ ମୂଲ୍ୟ ମିଳୁନାହିଁ, ରୋଜଗାରର ବ୍ୟବସ୍ଥା ନକରିପାରିବାରୁ ଜିଲ୍ଲାର ଲୋକମାନେ ବାହାରକୁ କାମ କରିବାକୁ ଯାଉଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର ଓଡିଶାରେ ଲାଗୁ କଲେ ନାହିଁ । ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଓଡିଆ ଚାଷୀଙ୍କ ପରିବର୍ତେ ଶାସକ ଦଳର ନେତାଙ୍କ ସମ୍ପର୍କୀୟଙ୍କ ନାଁ ଆସୁଛି । ପିଏମ୍ କିଷାନ ଯୋଜନା ଲାଗୁ କରିଥିଲେ ମଧ୍ୟ ନବୀନ ବାବୁ ଦିଲ୍ଲୀକୁ ଚାଷୀଙ୍କ ତାଲିକା ପଠାଇଲେ ନାହିଁ । ମୋଦି ଶୌଚାଳୟ ନିର୍ମାଣ ପାଇଁ ଟଙ୍କା ପଠାଇଥିବା ବେଳେ ପିସି କାରବାର ଯୋଗୁଁ ଏହି କାମ ନିର୍ମାଣ ହେଉନାହିଁ । ସ୍ୱାମୀ ମରୁ ପଛେ ସଉତୁଣି ବିଧବା ହେଉ ନୀତି ରାଜ୍ୟ ସରକାର ଆପଣାଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।  ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ଓଡିଶାକୁ ଅଣଦେଖା କରୁଥିବା ମୁଖ୍ୟମନ୍ତ୍ରୀ କହୁଛନ୍ତି । କଂଗ୍ରେସ ସରକାର ସମୟରେ ୨୦୦୯-୧୪ ମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନାରେ ଓଡିଶାରେ ବର୍ଷକୁ ୧୧୨୦ କୋଟି ଟଙ୍କାରେ ୨୮୭୧ କିମି ବନୁଥିଲା । ମାତ୍ର ଗତ ୫ ବର୍ଷ ମୋଦି ସରକାର ସମୟରେ ବର୍ଷକୁ ସାଢେ ୪ ହଜାର କିମିରୁ ଅଧିକ ରାସ୍ତା ନିର୍ମାଣ ହୋଇଛି । ଚଳିତବର୍ଷ ଓଡିଶାର ଗ୍ରାମାଂଚଳରେ ରାସ୍ତା ତିଆରି କରିବା ପାଇଁ ୨୫୦୦ ରୁ ଅଧିକ କୋଟି ଟଙ୍କା ଅଧିକ ମୋଦି ଦେଇଛନ୍ତି । ସେହିପରି ଇନ୍ଦିରା ଆବାସ ଯୋଜନାରେ କଂଗ୍ରେସ ସରକାର ୫ ବର୍ଷରେ ୪ ଲକ୍ଷ ୯୦ ହଜାର ଘର ଆସିଥିଲା । ମୋଦି ସରକାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮ ଲକ୍ଷ ଘର ନିର୍ମାଣ ଗରିବ ଲୋକଙ୍କ ପାଇଁ ନିର୍ମାଣ ହୋଇଥିବା ବେଳେ ୧ ଲକ୍ଷ ୨୦ ହଜାର ଘର ନିର୍ମାଣାଧୀନ ଅଛି ।

ସେହିପରି ଓଡିଶାରେ ପୂର୍ବରୁ ୧୨ ରୁ ୧୫ ଲକ୍ଷ ଶୌଚାଳୟ ଥିଲାବେଳେ ମୋଦି ଆସିବା ପରେ ଏହା ବୃଦ୍ଧି ପାଇ ୭୮ ଲକ୍ଷରେ ପହଁଚିଲାଣି, ୨୪ ଲକ୍ଷ ଲୋକଙ୍କ ଘରେ ସୌଭାଗ୍ୟ ଯୋଜନାରେ ବିଜୁଳି ଲଗାଯାଇଛି, ୪୦ ଲକ୍ଷ ଘର ମା’ଭଉଣୀଙ୍କୁ  ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଏଲପିଜି ସିଲିଣ୍ଡର ଦିଆଯାଇଛିା ଶ୍ରୀ ପ୍ରଧାନ କହିଛନ୍ତି ଯେ ଖାଦ୍ୟ ସୁରକ୍ଷା ଯୋଜନାରେ ଟଙ୍କିକିଆ ଚାଉଳ ଦେବା କଥା ନବୀନ ବାବୁ କହୁଛନ୍ତି । ଏହା କଣ ନବୀନଙ୍କ ବ୍ୟକ୍ତିଗତ ସମ୍ପତି କି ବୋଲି ସେ ପ୍ରଶ୍ନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ନରେନ୍ଦ୍ର ମୋଦି ୩ କୋଟି ୨୬ ଲକ୍ଷ ଓଡିଶା ଗରିବ ଜନସାଧାରଣଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ବର୍ଷକୁ ୬ ହଜାର କୋଟି ଟଙ୍କା ବ୍ୟୟବରାଦରେ ଚାଉଳ ଯୋଗାଇ ଦେଉଛନ୍ତି । ୩୨ ଟଙ୍କା ଚାଉଳରେ କେନ୍ଦ୍ର ସରକାର ୨୯ ଓ ଖାଉଟି ୧ ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ମାତ୍ର ୨ ଟଙ୍କା ଦେଉଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ଫୁଡ୍ କମିଶନର ରଙ୍ଗଲାଲ ଜାମୁଡା ଗତ ଜାନୁଆରୀ ମାସରେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ଯେଉଁ ଆଲୋକେସନ ଓଡିଶାକୁ ଅଛି, ସେଥିରେ ଆଉ ୬ ଲକ୍ଷ ଲୋକଙ୍କ ତାଲିକା ଯୋଡାଯାଇପାରିବ । ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଅଛନ୍ତି, ଗରିବ ଲୋକଙ୍କୁ ଠିକରେ ଚାଉଳ ବାଂଟିପାରୁନାହାନ୍ତି । ନଖ କାଟି ରକ୍ତ ବାହାର କରି ଶହୀଦ ହେବା ନବୀନ ବାବୁଙ୍କୁ ଜଣା ଅଛି ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଏହି ନିର୍ବାଚନ କେବଳ ଦିଲ୍ଲୀ ଓ ଓଡିଶାରେ ସରକାର କରିବାର କଥା ନୁହେଁ, ଏକବିଂଶ ଶତାବ୍ଦିରେ ଓଡିଆ ଯୁବକର ସ୍ୱାଭିମାନ ଓ ରୋଜଗାର, ଓଡିଆ ବୁଢା ବାପା, ମା’ଙ୍କ ସ୍ୱାସ୍ଥ୍ୟ, ମା’ଭଉଣୀଙ୍କୁ ସୁରକ୍ଷା ଦେବାର ଦାୟିତ୍ୱର ବିଷୟ । ଶ୍ରୀ ପ୍ରଧାନ କହିଛନ୍ତି ଯେ ନବୀନ ବାବୁ ଓଡିଆ ଲୋକଙ୍କ କାଳ । ତାଙ୍କ ସମୟ କାଳ ଶେଷ ହୋଇଆସିଲାଣି । ଓଡିଶାରେ ଏଥର ପରିବର୍ତନ ସରକାର ହେବ । ଓଡିଶାରେ ସ୍ଥାଣୁ, ପ୍ରବଂଚନକାରୀ, ରାଧୁଆମିଛୁଆ ସରକାରକୁ ବଦଳିବାର ସମୟ ଆସିଛି । ବହୁତ ହେଲା ୧୯ ବର୍ଷ ଏ ରାଜ୍ୟ ସରକାର ବଦଳିବା ଦରକାର ଓ ଫିର୍ ଏକ୍ ବାର୍ ମୋଦି ସରକାର ନାରା ଦେବା ସହ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ଓଡିଶାରେ ମୋଦିଙ୍କ ଡବଲ ଇଞ୍ଜିନର ସରକାର ଆଣିବା ପାଇଁ ଆହ୍ୱାନ କରିଥିଲେ । 

Leave A Reply

Your email address will not be published.