ଗଞ୍ଜାମ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସମୀକ୍ଷା: ବନ୍ୟା ପରବର୍ତ୍ତୀ ସ୍ଥିତି ଓ ପ୍ରତିରୋଧ ଉପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

18

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ବନ୍ୟା ପରବର୍ତ୍ତୀ ସମୟରେ ଗଞ୍ଜାମ ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ସହ ଜଳବାହିତ ଓ ସଂକ୍ରାମକ ରୋଗର ନିରାକରଣ ଏବଂ ପ୍ରତିରୋଧ ଉପରେ ଗୁରୁତ୍ୱ ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଏହି ପରିପ୍ରେକ୍ଷୀରେ ଭଞ୍ଜନଗରସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି, ବର୍ତ୍ତମାନର ସ୍ଥିତି ଓ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ଉପଲବ୍ଧତା, ରୋଗ ନିରାକରଣ ବ୍ୟବସ୍ଥା, ଆବଶ୍ୟକୀୟ ଔଷଧ ଓ ଚିକିତ୍ସା ସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବନ୍ୟା ପରବର୍ତ୍ତୀ ସମୟରେ ଯେପରି କୌଣସି ରୋଗର ସଂକ୍ରମଣ ନ ବ୍ୟାପେ ଏବଂ ପ୍ରଭାବିତ ଅଞ୍ଚଳର ଲୋକମାନେ ତ୍ୱରିତ ଓ ଉପଯୁକ୍ତ ଚିକିତ୍ସା ପାଇପାରିବେ, ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ଅର୍ଥାତ୍ ୨/୧୦/୨୦୨୬ ସୋମବାର ରେ ମନ୍ତ୍ରୀ ଭଞ୍ଜନଗର, ଆସିକା, ବାହାଡ଼ାପଦର ସମେତ ବିଭିନ୍ନ ଅଞ୍ଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବେ। ଏହି ସମୟରେ ସ୍ୱାସ୍ଥ୍ୟସେବାର ଉପଲବ୍ଧତା, ଚିକିତ୍ସା ବ୍ୟବସ୍ଥା, ଔଷଧ ମହଜୁଦ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧାର ସ୍ଥିତି ଅନୁଧ୍ୟାନ କରିବା ସହ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଅଧିକ କ୍ରିୟାଶୀଳ ଓ ସୁଗମ କରିବା ଦିଗରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବେ।
ବୈଠକରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ସିଡିଏମ୍ଓ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.