ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ଚାଷର ବିକାଶ ପାଇଁ ବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ

8


ଯୋଜନାର ସଫଳ ରୂପାୟନ ସହ ଚାଷୀ ଓ ମତ୍ସ୍ୟଜୀବୀଙ୍କ ଆର୍ଥିକ ଉନ୍ନତି ଉପରେ ବିଧାୟକଙ୍କ ଗୁରୁତ୍ୱାରୋପ


ଝାରସୁଗୁଡ଼ା, ୧: ଜିଲ୍ଲାରେ ପ୍ରାଣୀ ସମ୍ପଦର ବିକାଶ ଓ ମତ୍ସ୍ୟ ଚାଷର ପ୍ରସାର ସହ ଚାଷୀ, ପଶୁପାଳକ ଓ ମତ୍ସ୍ୟଜୀବୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏନେଇ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉପସ୍ଥିତିରେ ଆଜି ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ତହସିଲଦାର ସଦାକର କୁମ୍ଭାରଙ୍କ ସମେତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ବିଭିନ୍ନ ଅଧିକାରୀ ଯୋଗଦେଇଥିଲେ।

ବୈଠକରେ ବିଧାୟକ ଶ୍ରୀ ତ୍ରିପାଠୀ ବିଭାଗୀୟ କାର୍ଯ୍ୟକ୍ରମର ଅଗ୍ରଗତି, ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ଏବଂ ତୃଣମୂଳ ସ୍ତରରେ ଏହାର ପ୍ରଭାବ ସମ୍ପର୍କରେ ସମୀକ୍ଷା କରିଥିଲେ। ଯୋଜନାର ସୁଫଳ ଯେପରି ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ, ସେଥିପ୍ରତି ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ। ଏଥିସହ ପଶୁପାଳନ ଓ ମତ୍ସ୍ୟ ଚାଷକୁ ଜୀବିକାର ଏକ ସୁଦୃଢ଼ ମାଧ୍ୟମ ଭାବେ ବିକଶିତ କରି ହିତାଧିକାରୀଙ୍କ ଆୟ ବୃଦ୍ଧି ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଗୁରୁତ୍ୱାରୋପ କରିଥିଲେ।

ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ଓ ସହଯୋଗ ରହିବା ଜରୁରୀ ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ। ଜନସାଧାରଣଙ୍କ ସ୍ୱାର୍ଥକୁ ସର୍ବାଧିକ ପ୍ରାଧାନ୍ୟ ଦେଇ ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ କରିବା ସହ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ।

Leave A Reply

Your email address will not be published.