ପ୍ରୟାସ କାର୍ଯ୍ୟକ୍ରମ ଓ ଦଶମ ବୋର୍ଡ ଫଳାଫଳରେ ଉଲ୍ଲେଖନୀୟ ସଫଳତା ପାଇଁ ଜାତୀୟସ୍ତରରେ ସ୍ୱୀକୃତି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶିକ୍ଷା ପ୍ରଶାସନ କ୍ଷେତ୍ରରେ ନବସୃଜନ , ଉତ୍ତମ ପ୍ରଚଳନ ଓ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଗଜପତି ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ମାୟାଧର ସାହୁଙ୍କୁ ଜାତୀୟସ୍ତରରେ ସମ୍ମାନିତ କରାଯିବାକୁ ମନୋନୀତ କରାଯାଇଛି। ନୂଆଦିଲ୍ଲୀସ୍ଥିତ
ଜାତୀୟ ଶିକ୍ଷା ଯୋଜନା ଏବଂ ପ୍ରଶାସନ ପ୍ରତିଷ୍ଠାନ ପକ୍ଷରୁ ଶିକ୍ଷା ପ୍ରଶାସନରେ ଅଭିନବ ଏବଂ ଉତ୍ତମ ଅଭ୍ୟାସ ପାଇଁ ଦିଆଯାଉଥିବା ସମ୍ମାନ ନିମନ୍ତେ ଡ଼. ମାୟାଧର ସାହୁ ଚୟନ ହୋଇଛନ୍ତି।
ଗଜପତି ଜିଲ୍ଲାରେ ଶିକ୍ଷାର ମାନବୃଦ୍ଧି , ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ପ୍ରଗତି ଏବଂ ବିଶେଷକରି ‘ପ୍ରୟାସ’ କାର୍ଯ୍ୟକ୍ରମ ମାଧ୍ୟମରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ଫଳାଫଳରେ ଏ୧ ଆଣିବା ଏବଂ ଗତ ଦୁଇ ବର୍ଷ ହେବ ଓଡ଼ିଶା ରେ ସର୍ବଶ୍ରେଷ୍ଠ ପାସ ହାର ରଖି ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ଦିଗରେ ତାଙ୍କର ନେତୃତ୍ୱ ଓ ଦୃଷ୍ଟିଭଙ୍ଗୀ ଉଲ୍ଲେଖନୀୟ ରହିଛି। ଶିକ୍ଷକମାନଙ୍କର ସମନ୍ୱିତ ପ୍ରୟାସ , ନିୟମିତ ଶିକ୍ଷାଦାନ , ଛାତ୍ରଛାତ୍ରୀଙ୍କ ଅଗ୍ରଗତିର ନିରୀକ୍ଷଣ ଓ ଫଳାଫଳମୁଖୀ ଶିକ୍ଷା ପଦ୍ଧତି ମାଧ୍ୟମରେ ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଏକ ନୂଆ ଦିଗ ସୃଷ୍ଟି କରିବାରେ ଡ଼. ମାୟାଧର ସାହୁଙ୍କ ଭୂମିକା ପ୍ରଶଂସନୀୟ।
ଏନ୍ ଆଇ ଇ ପି ଏ ପକ୍ଷରୁ ଜାରି ପତ୍ରରେ ଡ଼. ମାୟାଧର ସାହୁଙ୍କୁ ଓଡ଼ିଶାରୁ ମନୋନୀତ ଜିଲ୍ଲାସ୍ତରୀୟ ଶିକ୍ଷା ଅଧିକାରୀ ଭାବେ ଉଲ୍ଲେଖ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗତ ଡିସେମ୍ବର ମାସରେ ଡ଼. ମାୟାଧର ସାହୁ ଏକ ସାକ୍ଷାତକାର ପ୍ରଦାନ କରିଥିଲେ ଏବଂ ଶିକ୍ଷା କ୍ଷେତ୍ରରେ ନିଜର ଚିନ୍ତା ମାଧ୍ୟମରେ ବୈପ୍ଳବିକ ପରିବର୍ତ୍ତନ ଯୋଗୁଁ ସମଗ୍ର ଦେଶ ରେ ଶ୍ରେଷ୍ଠ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ବିବେଚିତ ହୋଇପାରିଛନ୍ତି।
ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଏବଂ ଆକାଂକ୍ଷୀ ଜିଲ୍ଲା ହୋଇଥିବାରୁ ଏହି ଜିଲ୍ଲାର ଶିକ୍ଷା କ୍ଷେତ୍ର ରେ ଉନ୍ନତି ଅନ୍ୟ ମାନଙ୍କ ପାଇଁ ପ୍ରେରଣାଦାୟୀ ସାଜିପାରିଛି । ଆସନ୍ତା ୨ ଓ ୩ ସେପ୍ଟେମ୍ବର ୨୦୨୬ରେ ଏନ୍ ଆଇ ଇ ପି ଏ , ନୂଆଦିଲ୍ଲୀଠାରେ ଆୟୋଜିତ ଜାତୀୟ ସମ୍ମିଳନୀ ଓ ପୁରସ୍କାର ପ୍ରଦାନ ସମାରୋହରେ ଚୟନିତ ଅଧିକାରୀମାନଙ୍କୁ ପୁରସ୍କାର/ପ୍ରଶଂସାପତ୍ର ପ୍ରଦାନ କରାଯିବ।
ଡ଼. ମ।ୟାଧର ସାହୁଙ୍କ ଏହି ଜାତୀୟ ସ୍ୱୀକୃତି ଗଜପତି ଜିଲ୍ଲାର ଶିକ୍ଷା ବିଭାଗ , ଶିକ୍ଷକ ସମାଜ ଓ ସମଗ୍ର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ। ତାଙ୍କର ଏହି ସଫଳତା ଆଗାମୀ ଦିନରେ ଗଜପତି ଜିଲ୍ଲାର ଶିକ୍ଷା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ।