ଡ଼ଃ ସତ୍ୟନାରାୟଣ ରାଜଗୁରୁ ବିଦ୍ୟାଳୟରେ ‘ଜାତୀୟ ମହାକାଶ ଦିବସ’ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଡ଼ଃ ସତ୍ୟନାରାୟଣ ରାଜଗୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ‘ବାଳ-ମୁକୁନ୍ଦ କେନ୍ଦ୍ର’ ଆନୁକୂଲ୍ୟରେ ‘ଜାତୀୟ ମହାକାଶ ଦିବସ’ ତଥା ରବିବାସରୀୟ ନୈତିକ ଓ ସାମାଜିକ ଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଏମ୍. ରବି କୁମାରଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ବାଳ-ମୁକୁନ୍ଦ କେନ୍ଦ୍ର ସଂଯୋଜକ ଶ୍ରୀ ନିତ୍ୟାନନ୍ଦ ଚୌଧୁରୀ ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ , ସଂକଳ୍ପ ଓ ଏକାଗ୍ରତା ସୃଷ୍ଟି ପାଇଁ ନିୟମିତ ଧ୍ୟାନ ଓ ଯୋଗର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିବା ସହ ଭଗବଦ୍ଗୀତାର କର୍ମଯୋଗ ଶିକ୍ଷା ଦେଇଥିଲେ।
କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଗତ ସପ୍ତାହ ଏବଂ ଆଗାମୀ ସପ୍ତାହର ବିଭିନ୍ନ ଗୌରବମୟ ତଥା ମହତ୍ତ୍ୱପୂର୍ଣ୍ଣ ଦିବସ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ ବିଶ୍ୱ ମାନବିକତା ଦିବସ , ସଦ୍ଭାବନା ଦିବସ , ଆସନ୍ତା ଜାତୀୟ କ୍ରୀଡ଼ା ଦିବସ ଓ ଲଘୁ ଉଦ୍ୟୋଗ ଦିବସର ସାମାଜିକ ଗୁରୁତ୍ୱ ବିଷୟରେ ପିଲାମାନଙ୍କୁ ସଚେତନ କରାଯାଇଥିଲା।
ପ୍ରଧାନ ଶିକ୍ଷକ ଶ୍ରୀ ଏମ୍. ରବି କୁମାର ଛାତ୍ରଛାତ୍ରୀମାନଙ୍କୁ ନୈତିକ ମୂଲ୍ୟବୋଧ ଏବଂ ଶୃଙ୍ଖଳିତ ଜୀବନଶୈଳୀ ଆପଣାଇବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରବାସର ଛାତ୍ରମାନେ ଉପସ୍ଥିତ ରହି ସାମୂହିକ ଧ୍ୟାନ ଅଭ୍ୟାସ କରିଥିଲେ।