ଝାରସୁଗୁଡ଼ା, ୨୩: ଝାରସୁଗୁଡ଼ା ବିଟିଏମସ୍ଥିତ ବିଜେପି କାର୍ଯ୍ୟାଳୟରେ ରବିବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ କୋଲାବିରା ବ୍ଲକ ଅଞ୍ଚଳର ୩୦ରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି।
ଝାରସୁଗୁଡ଼ା ବ୍ଲକ ପତ୍ରାପାଲି ଗ୍ରାମପଞ୍ଚାୟତର ଅମିତ ନାଗ ଓ ଧୀରେନ୍ଦ୍ର ପଧାନଙ୍କ ନେତୃତ୍ୱରେ ଏହି ଦଳବଦଳ କାର୍ଯ୍ୟକ୍ରମ ହୋଇଥିଲା। ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉପସ୍ଥିତିରେ ନୂତନ ଭାବେ ଯୋଗଦେଇଥିବା କର୍ମୀମାନଙ୍କୁ ଦଳ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ବିଜେପି ନେତା ହେମରଞ୍ଜନ ସିଂ, ଶଙ୍କର ଦେଓ ଓ ଜୟପ୍ରକାଶ ପାତ୍ରଙ୍କ ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।
ନୂତନ ଭାବେ ଦଳରେ ସାମିଲ ହୋଇଥିବା କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶପ୍ରେମ, ବିକାଶମୂଳକ ନୀତି ଏବଂ ଭାରତକୁ ବିଶ୍ୱର ଶୀର୍ଷସ୍ଥାନରେ ପହଞ୍ଚାଇବାର ପ୍ରୟାସରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେଇଥିବା କହିଥିଲେ। ଏଥିସହ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ନିଷ୍କପଟ ଜନସେବା ଓ ଦୃଢ଼ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ଏହି ନିଷ୍ପତ୍ତି ନେଇଥିବା ସେମାନେ ପ୍ରକାଶ କରିଥିଲେ।
ବିଧାୟକ ଶ୍ରୀ ତ୍ରିପାଠୀ ନୂତନ ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ମିଶ୍ରଣ ଫଳରେ କୋଲାବିରା ଅଞ୍ଚଳରେ ବିଜେପିର ସଂଗଠନ ଆହୁରି ମଜବୁତ ହେବ ବୋଲି ଆଶା ପ୍ରକଟ କରିଥିଲେ। ଏହାଦ୍ୱାରା ଦଳୀୟ କର୍ମୀଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି ହେବ ବୋଲି ସେ କହିଥିଲେ।