ଲକ୍ଷେ ଟଙ୍କା ଲାଞ୍ଚ ନେଇ ତହସିଲଦାର ଭିଜିଲାନ୍ସ ଜାଲରେ On Jan 11, 2018 17 Share ବାରିପଦାରୁ ଦିଲ୍ଲୀପ ମହାନ୍ତି : ଭିଜିଲାନ୍ସ ବିଛାଇଥିବା ଜାଲରେ ମୟୂରଭଞ୍ଜ ଜିଲାର ଗୋଟାକ ପରେ ଗୋଟାଏ ଲାଞ୍ଚୁଆ ସରକାରୀ କର୍ମଚାରୀ ଧରାପଡ଼ି ଜେଲ ଯାଉଥିବା ବେଳେ ଜାନୁଆରୀ ୧୧ରେ ପୁଣି ଜଣେ ସରକାରୀ କର୍ମଚାରୀ ତଥା କପ୍ତିପଦା ତହସିଲଦାର ଏକ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ରଙ୍ଗେ ହାତରେ ଭିଜିଲାନ୍ସ ଯନ୍ତାରେ ଧରାପଡ଼ି ଜେଲ ଯାଇଥିବା ବିଷୟକୁ ନେଇ ଜିଲାରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ଭିଜିଲାନ୍ସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, କପ୍ତିପଦା ଥାନା ଅନ୍ତର୍ଗତ ଡ଼ାହିସାହି ଗ୍ରାମର ହେମନ୍ତ କୁମାର ବେହେରା ନିଜର ୩ଟି ଟ୍ରାକ୍ଟରରେ ବାଲି, ଚିପ୍ସ ଆଦି ପରିବହନ କରି ଦୁଇ ପଇସା ରୋଜଗାର କରୁଥିଲେ । ଏହି ବାବଦରେ ମାସିକିଆ ବଟି ଦେଇ ଆସୁଥିଲେ ମଧ୍ୟ ସେଥିରେ ସନ୍ତୋଷ୍ଟ ହୋଇପାରି ନ ଥିଲେ କପ୍ତିପଦା ତହସିଲଦାର ତଥା ସୋର ଥାନା ଅନନ୍ତପୁର ଗ୍ରାମର ଶରତ କୁମାର ମଲ୍ଲିକ । ତେଣୁ ଟ୍ରାକ୍ଟର ମାଲିକ ହେମନ୍ତଙ୍କୁ ଦେଢ଼ ଲକ୍ଷ ଟଙ୍କା ହାତଗୁଞ୍ଜା ମାଗିଥିଲେ, ନଚେତ ବ୍ୟବସାୟକୁ ବନ୍ଦ କରିଦେବାର ଧମକ ଦେଇଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ମୂଲଚାଲ ଆରମ୍ଭ ହୋଇ ଏକ ଲକ୍ଷ ଟଙ୍କାରେ କଥା ଛିଣ୍ଡିଥିଲା । ମାତ୍ର, ହେମନ୍ତ ଉକ୍ତ ଲାଞ୍ଚୁଆ ତହସିଲଦାରଙ୍କୁ ସବକ ଶିଖାଇବା ପାଇଁ ଭିଜିଲାନ୍ସର ଦ୍ୱାରସ୍ଥ ହୋଇ ଯୋଜନା ପ୍ରସ୍ତୁତ କରିଥିଲେ । ଆଜି ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସଠାରୁ ନେଇଥିବା ରଙ୍ଗ ବୋଳା ଏକ ଲକ୍ଷ ଟଙ୍କା କପ୍ତିପଦା ତହସିଲଦାରଙ୍କୁ ନିର୍ଦ୍ଧାରିତ ସ୍ଥାନ ଉଦଳା ମେଣ୍ଢାସାହିସ୍ଥିତ ଭଡ଼ା ଘରେ ପ୍ରଦାନ କରି ପୋଜିସନରେ ଛପି ରହିଥିବା ଭିଜିଲାନ୍ସକୁ ସଙ୍କେତ ଦେଇଥିଲେ ଏବଂ ଭିଜିଲାନ୍ସ ଟିମ ଛଞ୍ଚାଣ ବେଗରେ ଝାମ୍ପିପଡ଼ି ତାଙ୍କୁ କାବୁ କରି ତଲାସୀ ନେଇଥିଲେ । ଏହି ସମୟରେ ଅଭିଯୁକ୍ତ ତହସିଲଦାର ଶରତ କୁମାର ମଲ୍ଲିକଙ୍କ ନିକଟରୁ ଭିଜିଲାନ୍ସର ରଙ୍ଗ ବୋଳା ଏକ ଲକ୍ଷ ଟଙ୍କା ଜବତ କରାଯିବା ସଂଗେସଂଗେ ତାଙ୍କୁ ରଙ୍ଗେ ହାତରେ ଗିରଫ କରାଯାଇ ଥିଲା । ଅପରାହ୍ନରେ ବାରିପଦା ଭିଜିଲାନ୍ସ ୟୁନିଟରେ ତହସିଲଦାର ଶରତଙ୍କ ବିରୋଦ୍ଧରେ ଭିଜିଲାନ୍ସରେ ଏକ ମାମଲା ରୁଜୁ ଓ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରାଯିବା ପରେ ତାଙ୍କୁ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥଙ୍କ ସମ୍ମୁଖରେ ହାଜର କରାଯାଇ ଥିଲା । କୋର୍ଟ ତାଙ୍କୁ ବାରିପଦା ମଣ୍ଡଳ କାରାଗାର ହାଜତକୁ ପଠାଇ ଦେଇଥିଲେ । ବାରିପଦା ଭିଜିଲାନ୍ସ ୟୁନିଟ ଡ଼ିଏସପି ସଞ୍ଜୟ କୁମାର ଦାସ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଟ୍ରାପ କରାଯାଇଥିବା ବେଳେ ବାରିପଦା ୟୁନିଟର ଇନ୍ସପେକ୍ଟର ପ୍ରଦୀପ ସାମଲ, ଉମା ଶଙ୍କର ନାୟକ, ବାଲେଶ୍ୱର ୟୁନିଟ ଇନ୍ସପେକ୍ଟର ମାନସୀ ବେହେରା, ଅନିରୁଦ୍ଧ ନାୟକ ପ୍ରମୁଖଙ୍କ ସମେତ କନେଷ୍ଟବଳ ତରୁଣ ପାଲବାବୁ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ । 17 Share FacebookTwitterGoogle+ReddItWhatsAppPinterestEmail