ପ୍ରାକ୍ ବଜେଟ୍ ପ୍ରସ୍ତୁତି ପୂର୍ବରୁ କଂଗ୍ରେସ ପକ୍ଷରୁ କୃଷି ଓ କୃଷକର ବିକାଶ ପାଇଁ ଅର୍ଥମନ୍ତ୍ରୀଙ୍କୁ ପ୍ରସ୍ଥାବ
କୃଷି ଓ କୃଷକର ବିକାଶ ପାଇଁ ରାଜ୍ୟ ବଜେଟରେ ଦୀର୍ଘ ସ୍ଥାୟୀ ଯୋଜନା ପ୍ରଣୟନ କରାଯାଉ ।
ଜଳସେଚନ ବ୍ୟବସ୍ଥାକୁ ପ୍ରତି ବ୍ଳକସ୍ତରରେ ୫୦ ପ୍ରତିଶତ ବୃଦ୍ଧି ହେଉ
ଚାଷୀଙ୍କ ବାସ୍ତବ ସମସ୍ୟାକୁ ଅନୁଭବ କରାଯାଇ ଚାଷୀଙ୍କୁ ମାସିକ ସର୍ବନିମ୍ନ ୩୦୦୦ଟଙ୍କା ଭତ୍ତା
ଚାଷ ପାଇଁ ମାଗଣା ବିଜୁଳି, ଓ ଜଳକର ଛାଡ, କୃଷି ଭିତ୍ତିକ ଶିଳ୍ପଗୁଡିକର ପୁନରୁଦ୍ଧାର
ଭୁବନେଶ୍ୱର/ dinabandhu nayak : କୃଷି ରାଜ୍ୟ ଅର୍ଥନୀତିର ମୁଖ୍ୟ ଆଧାର । ରାଜ୍ୟର ପ୍ରାୟ ୭୦ ପ୍ରତିଶତରୁ ଅଧିକ ଲୋକ କୃଷି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଓଡ଼ିଶାର ମୋଟ ଘରୋଇ ଉତ୍ପାଦନ କୃଷିର ଅବଦାନ ୧୫ ପ୍ରତିଶତ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଅଦ୍ୟାବଧି ଏହି ୭୦ ପ୍ରତିଶତ ଚାଷୀଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶରେ କୌଣସି ଅଗ୍ରଗତି ଘଟିନାହିଁ । ସରକାର ଚାଷୀଙ୍କ ପାଇଁ ଯେତେଗୁଡ଼ିଏ ଯୋଜନା ଓ ନୀତି ପ୍ରଣୟନ କରୁଛନ୍ତି ବାସ୍ତବ କ୍ଷେତ୍ରରେ ଚାଷୀଙ୍କର ଆଶାନୁରୂପକ ବିକାଶ ଘଟିନାହିଁ । ଫଳରେ ବର୍ତ୍ତମାନ ଗ୍ରାମାଞ୍ଚଳର କୃଷି ଭିତ୍ତିଭୂମି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ, ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ । ବେକାରୀ ଓ ଦାଦନ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଚାଷୀ ଉତ୍ପାଦନ ଖର୍ଚ୍ଚର ମୂଲ୍ୟ ନ ପାଇ ବାରମ୍ବାର ଅଭାବି ବିକ୍ରିର ଶିକାର । ଚାଷୀକୁଳ ଏପରି ଦୁଃସ୍ଥିତିରେ ରହିଥିବା ବେଳେ ରାଜ୍ୟ ସରକାର କେବଳ ବିଭାଗର ନାମ ପରିବର୍ତ୍ତନ କରି କୃଷି କ୍ଷେତ୍ରରେ ପୁରସ୍କାର ପାଇବାରେ ଯେଭଳି ଆତ୍ମ ସନ୍ତୋଷ ଲାଭ କରୁଛନ୍ତି ଏଥିରେ ଚାଷୀର ଭାଗ୍ୟରେ ପରିବର୍ତ୍ତନ ଘଟୁ ନାହିଁ କିମ୍ବା ବଜେଟରେ ବ୍ୟବସ୍ଥା ନ କରି ବିଜେଡ଼ି ଓ ବିଜେପି ଦଳ ସରକାରରେ ଥାଇ ବୃଥା ରୋଦନ କରିବା ସହିତ ନିର୍ବାଚନକୁ ଆଖିଆଗରେ ରଖି ଚାଷୀଙ୍କୁ ଯେଉଁ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦେଉଛନ୍ତି ସେଥିରେ ମଧ୍ୟ ଚାଷୀର କୌଣସି ବିକାଶ ହେବ ନାହିଁ । ବର୍ତ୍ତମାନ ଗ୍ରାମାଞ୍ଚଳରେ ଜୀବନ ଓ ଜୀବିକା ପାଇଁ କେବଳ କୃଷି ତଥା ଆନୁସଙ୍ଗୀକ କୃଷି କ୍ଷେତ୍ରରେ ଦୀର୍ଘସ୍ଥାୟୀ ଯୋଜନା ପ୍ରଣୟନ କରାଯିବା ସହିତ କୃଷି ଅର୍ଥନୀତିକୁ ସୁଦୃଢ଼ କରିବା ଏକାନ୍ତ ଜରୁରୀ ବୋଲି କଂଗ୍ରେସ କୃଷକ ସେଲ୍ ପକ୍ଷରୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଆସନ୍ତା ବର୍ଷ ପ୍ରାକ୍ ବଜେଟ୍ ପ୍ରସ୍ଥୁତି ପୂର୍ବରୁ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ନିକଟକୁ ଆଜି ଏକ ସ୍ମାରକ ପତ୍ର ପଠାଇଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସମୟାନୁକ୍ରମେ ଆଜି କୃଷି କ୍ଷେତ୍ରରେ ଘୋର ପରିବର୍ତ୍ତନ ଘଟିଛି । ଜଳବାୟୁର ଘନଘନ ପରିବର୍ତ୍ତନ, ଉତ୍ପାଦିତ କୃଷିଜାତ ଦ୍ରବ୍ୟର ସୁୃବିକ୍ରିବଟା ଓ ସଂରକ୍ଷଣ ପାଇଁ ସଠିକ ଭିତ୍ତିଭୂମି ନ ଥିବା ଫଳରେ ଅନେକ ଚାଷୀ ପରିବାର ଚାଷ ପ୍ରତି ବିମୁଖ । ତେଣୁ ପ୍ରଚଳିତ କୃଷି ନୀତିର ଆମୂଳଚୁଳ ପରିବର୍ତ୍ତନ କରାଯାଇ ସଂଶୋଧିତ ଏକ ସଶକ୍ତ କୃଷିନୀତି ପ୍ରଣୟନ ଓ ଏଥିରେ ଦୀର୍ଘସ୍ଥାୟୀ ଯୋଜନା ନିମନ୍ତେ ବଜେଟ ବ୍ୟବସ୍ଥା କରାଯିବା ଏକାନ୍ତ ଜରୁରୀ । ତେଣୁ ରାଜ୍ୟ ସରକାରଙ୍କ ପ୍ରାକ୍ ବଜେଟ୍ ପ୍ରସ୍ଥୁତିରେ ଚାଷୀଙ୍କ ବାସ୍ତବ ସମସ୍ୟାକୁ ଅନୁଭବ କରାଯାଇ ଚାଷୀଙ୍କୁ ମାସିକ ସର୍ବନିମ୍ନ ୩୦୦୦ଟଙ୍କା ଭତ୍ତା, ଧାନ କ୍ରୟ କ୍ଷେତ୍ରରେ ଚାଷୀଙ୍କୁ କ୍ୱିଣ୍ଟାଲ ପିଚ୍ଛା ସର୍ବନିମ୍ନ ୫୦୦ଟଙ୍କା ଅତିରିକ୍ତ ସହାୟତା, ଚାଷୀ ଉପରୁ ଋଣଭାର ଖସାଇବା ପାଇଁ ସମସ୍ତ କୃଷିଋଣ ଛାଡ଼, ଧାନ ମଣ୍ଡିଗୁଡିକର ସୁଦୃଢ଼ୀକରଣ, ଜଳସେଚନ ବ୍ୟବସ୍ଥାକୁ ପ୍ରତି ବ୍ଳକସ୍ତରରେ ୫୦ ପ୍ରତିଶତ ବୃଦ୍ଧି । ବେକାରୀ ଓ ଦାଦନ ସମସ୍ୟା ରୋକିବା ପାଇଁ ଗ୍ରାମାଞ୍ଚଳର କୃଷି ତଥା ଆନୁସଙ୍ଗିକ କୃଷି ଭିତ୍ତିଭୂମିର ବିକାଶ, ଚାଷ ପାଇଁ ମାଗଣା ବିଜୁଳି, ଓ ଜଳକର ଛାଡ, କୃଷି ଭିତ୍ତିକ ଶିଳ୍ପଗୁଡିକର ପୁନରୁଦ୍ଧାର, ସରକାରୀ ସ୍ତରରେ ଆବଶ୍ୟକ ସ୍ଥଳେ ପ୍ରତି ବ୍ଳକସ୍ତରରେ ଶୀତଳ ଭଣ୍ଡାର ଓ ବିହନ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ, ପ୍ରଚଳିତ ରିଲିଫ୍ କୋର୍ଡର ସଂଶୋଧନ ଓ ଦୁଇଗୁଣା ସହାୟତା ରାଶି ବୃଦ୍ଧି, ଭାଗଚାଷୀମାନଙ୍କ ପାଇଁ ନୀତିଗତ ଯୋଜନା ଓ ଏଥିରେ ବଜେଟ ବ୍ୟବସ୍ଥା, କୃଷି ସାମଗ୍ରୀ ଓ ରପ୍ତାନୀରେ କରମୁକ୍ତ ବ୍ୟବସ୍ଥା ଓ ବିଭିନ୍ନ ଜିଲ୍ଲାରେ ଖାଦ୍ୟ ପ୍ରକ୍ରିୟା ଓ ପ୍ରସ୍ତୁତିକରଣ ୟୁନିଟ୍ ସ୍ଥାପନ ପାଇଁ କଂଗ୍ରେସ ଦଳ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ପ୍ରସ୍ଥାବ ଦେଇଛନ୍ତି ।