ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ବିଧାନସଭାର Committee on Papers Laid on the Table (ସଭା ଟେବୁଲ୍ରେ ଉପସ୍ଥାପିତ ଦଲିଲ ସମ୍ପର୍କିତ କମିଟି)ର ୨୦୨୬-୨୭ ବର୍ଷର ୪ର୍ଥ ବୈଠକ ଆଜି, ମଙ୍ଗଳବାର ଭୁବନେଶ୍ୱରସ୍ଥିତ ବିଧାନସଭା ଭବନର ରୁମ୍ ନମ୍ବର ୫୫ରେ ଅନୁଷ୍ଠିତ ହେଉଛି। ବୈଠକରେ ପର୍ଯ୍ୟଟନ ଓ ପରିବହନ ବିଭାଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବା ସହ ପାରଳାଖେମୁଣ୍ଡି ଓ ଗଜପତି ଜିଲ୍ଲାର ବିକାଶ ସମ୍ପର୍କିତ କେତେକ ଗୁରୁତ୍ୱପୂର୍ଣ୍ଣ ଦାବି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଉପସ୍ଥାପନ କରିଛନ୍ତି।
ବିଧାନସଭା ସଚିବାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ବୈଠକ ଆରମ୍ଭ ହୋଇ ପ୍ରଥମେ ଅନୌପଚାରିକ ଆଲୋଚନା ହୋଇଥିଲା। ପରେ ପର୍ଯ୍ୟଟନ ବିଭାଗ ଓ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ ଲିମିଟେଡ୍ ସମ୍ପର୍କିତ ବିଷୟ ଉପରେ କମିଟି ଆଲୋଚନା କରିଥିଲା।
ଏହି ଆଲୋଚନାରେ ୨୦୨୩-୨୪ ବର୍ଷର ବାର୍ଷିକ ରିପୋର୍ଟର ବିଳମ୍ବ ବିବରଣୀ ପରୀକ୍ଷା କରାଯିବା ସହ ୨୦୨୪-୨୫ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ ନିଗମର ବକେୟା ହିସାବ ଚୂଡ଼ାନ୍ତ କରିବାର ସ୍ଥିତି ଏବଂ ଏଥିରେ ହୋଇଥିବା ବିଳମ୍ବର କାରଣ ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା।
ବୃନ୍ଦାବନ ପ୍ୟାଲେସର ଉନ୍ନତିକରଣ ପାଇଁ ଦାବି
ବୈଠକରେ ପାରଳାଖେମୁଣ୍ଡିର ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦେଇ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ପାରଳାଖେମୁଣ୍ଡିରେ ଥିବା ବୃନ୍ଦାବନ ପ୍ୟାଲେସର ଉନ୍ନତିକରଣ ଓ ଆଧୁନିକୀକରଣ ପାଇଁ ଦାବି ରଖିଥିଲେ। ପାରଳାଖେମୁଣ୍ଡିର ପର୍ଯ୍ୟଟନ ଓ ସାଂସ୍କୃତିକ ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି ସ୍ଥାନର ଉନ୍ନତି କରାଗଲେ ଅଞ୍ଚଳର ପର୍ଯ୍ୟଟନ ବିକାଶରେ ଏହା ଅଧିକ ସହାୟକ ହେବ ବୋଲି ସେ ମତ ରଖିଥିଲେ।
ପାରଳାଖେମୁଣ୍ଡିର ନୂଆ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ୪୦ କୋଟି ଟଙ୍କା ଅନୁଦାନ ଦେବାକୁ ବିଧାୟକ ଦାବି କରିଛନ୍ତି। ଏଥିସହ କାଶୀନଗର ବସ୍ଷ୍ଟାଣ୍ଡ ପାଇଁ ୨୦ କୋଟି ଟଙ୍କା ଏବଂ ଗୋଷାଣୀ ବସ୍ଷ୍ଟାଣ୍ଡ ପାଇଁ ୨୦ କୋଟି ଟଙ୍କା ଦାବି ରଖାଯାଇଛି। ଏହି ତିନିଟି ପ୍ରକଳ୍ପ ପାଇଁ ମୋଟ ୮୦ କୋଟି ଟଙ୍କାର ଆବଶ୍ୟକତା ଥିବା ନେଇ ବିଧାୟକ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି।
ଦ୍ୱିତୀୟ ପର୍ଯ୍ୟାୟରେ ପରିବହନ ବିଭାଗ ଓ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ସମ୍ପର୍କିତ ବିଷୟ ଉପରେ ଆଲୋଚନା ହୋଇଥିଲା।
ଏହି ଅବସରରେ ପାରଳାଖେମୁଣ୍ଡିରୁ ବିଭିନ୍ନ ପ୍ରମୁଖ ସହରକୁ ନୂଆ ବସ୍ ସେବା ଯୋଗାଇବା ପାଇଁ ବିଧାୟକ ରୂପେଶ ପାଣିଗ୍ରାହୀ ଦାବି ରଖିଛନ୍ତି। ବିଶେଷକରି ପାରଳାଖେମୁଣ୍ଡି ରୁ ପୁରୀ , ପାରଳାଖେମୁଣ୍ଡି ରୁ କଟକ ଏବଂ ପାରଳାଖେମୁଣ୍ଡି ରୁ ତିରୁପତି ପର୍ଯ୍ୟନ୍ତ ନୂଆ ବସ୍ ସେବା ଆରମ୍ଭ କରିବାକୁ ସେ ପରିବହନ ବିଭାଗ ଓ ଓ ଏସ ଆର ଟି ସି ନିକଟରେ ଅନୁରୋଧ କରିଛନ୍ତି।
ଏହି ବସ୍ ସେବା ଆରମ୍ଭ ହେଲେ ଗଜପତି ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାର ଲୋକମାନେ ପୁରୀ , କଟକ ଓ ତିରୁପତି ଭଳି ପ୍ରମୁଖ ସହର ଏବଂ ଧାର୍ମିକ ସ୍ଥଳକୁ ଯାତାୟାତ କରିବାରେ ଅଧିକ ସୁବିଧା ପାଇପାରିବେ।
ପରିବହନ ବିଭାଗ ସମ୍ପର୍କିତ ଆଲୋଚନାରେ ୨୦୨୦-୨୧ ବର୍ଷର ବାର୍ଷିକ ରିପୋର୍ଟର ବିଳମ୍ବ ବିବରଣୀ ସହ ୨୦୨୧-୨୨ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ ନିଗମର ବକେୟା ହିସାବ ଚୂଡ଼ାନ୍ତକରଣର ସ୍ଥିତି ଓ ବିଳମ୍ବର କାରଣ ଉପରେ ମଧ୍ୟ ଅନୁଧ୍ୟାନ କରାଯାଇଥିଲା।
ବୈଠକରେ କମିଟିର ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ସହ ସଦସ୍ୟ ଛବି ମଲିକ , ଅଭିମନ୍ୟୁ ସେଠୀ , ଲକ୍ଷ୍ମଣ ବାଗ , ପ୍ରତାପ ଚନ୍ଦ୍ର ପ୍ରଧାନ, ରୂପେଶ କୁମାର ପାଣିଗ୍ରାହୀ ଓ ସତ୍ୟଜିତ ଗମାଙ୍ଗ ପ୍ରମୁଖ ଯୋଗଦେଇଥିଲେ।
ବିଭାଗୀୟ ଅଧିକାରୀମାନଙ୍କୁ ବୈଠକରେ ଯୋଗଦେବା ସହ ଆବଶ୍ୟକୀୟ ତଥ୍ୟ , ରିପୋର୍ଟ ଓ ନୋଟ୍ର ପ୍ରତି ଦାଖଲ କରିବାକୁ ବିଧାନସଭା ସଚିବାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।
ପାରଳାଖେମୁଣ୍ଡିର ପର୍ଯ୍ୟଟନ , ପରିବହନ ଓ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ଏହି ଦାବିଗୁଡ଼ିକ ଅଞ୍ଚଳବାସୀଙ୍କ ପାଇଁ ଗୁରୁତ୍ୱ ବହନ କରୁଛି।
Sign in
Sign in
Recover your password.
A password will be e-mailed to you.