ରାପାଟନାଳୀରେ ପାଣି, ରାସ୍ତାରେ ମାଟି… ୩ ବର୍ଷର ପ୍ରକଳ୍ପରେ ଜନତା ହନ୍ତସନ୍ତ !

13

୧୫ ଦିନର ପ୍ରତିଶ୍ରୁତି ବି ଗଲା ପାଣିରେ! ଘଣ୍ଟ ବଜାଇଲେ ଲୋକେ, ହେଲେ ବ୍ୟବସ୍ଥାର ନିଦ କେବେ ଭାଙ୍ଗିବ?

କେନ୍ଦ୍ରାପଡ଼ା:୧୮/୦୭ (ପ୍ରଫୁଲ୍ଲ କୁମାର ମଲ୍ଲ) ଏଠି ରାସ୍ତା ଅଛି, କିନ୍ତୁ ରାସ୍ତାରେ ଚାଲିବା କଷ୍ଟକର। ପାଟନାଳୀ ଅଛି, କିନ୍ତୁ ପାଣି ନିଷ୍କାସନର ବାଟ ବନ୍ଦ। ପ୍ରକଳ୍ପ ଚାଲିଛି, କିନ୍ତୁ ତିନି ବର୍ଷ ପରେ ବି ଶେଷ ହେବାର ନାଁ ନାହିଁ। ଆଉ ପ୍ରଶାସନ? ଅଭିଯୋଗ ପରେ ୧୫ ଦିନର ପ୍ରତିଶ୍ରୁତି ଦେଇ ଏବେ ପୁଣି ନିରବ !କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍‌ର ଜହ୍ନିମୂଳ ଅଞ୍ଚଳରୁ ଆସିଛି ଏମିତି ଏକ ଚିତ୍ର, ଯାହା ସରକାରୀ ଉନ୍ନୟନର ଦାବିକୁ ନେଇ ନୂଆ ପ୍ରଶ୍ନ ଠିଆ କରିଛି ।ଚଣ୍ଡିବଜାରରୁ ବଡ଼ଫୋଗଳ ଭାୟା ଜହ୍ନିମୂଳକୁ ସଂଯୋଗ କରୁଥିବା ରାସ୍ତା ଏବଂ ୨୦ ନମ୍ବର ପାଟନାଳୀ ଉପରେ ପୋଲ ନିର୍ମାଣ କାମ ଦୀର୍ଘ ସମୟ ଧରି ଅଧାପନ୍ତରିଆ ଅବସ୍ଥାରେ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଛନ୍ତି ।ଗୋଟିଏ ରାସ୍ତା ଓ ପୋଲ ପାଇଁ ତିନି ବର୍ଷର ଅପେକ୍ଷା ।କିନ୍ତୁ ଅପେକ୍ଷାର ଫଳ କ’ଣ? (ରାସ୍ତାରେ କାଦୁଅ) (ପାଟନାଳୀରେ ପାଣି) (ଚାଷଜମିରେ ଜଳବନ୍ଦୀ)
ଆଉ ଲୋକଙ୍କ ଭାଗରେ ଦୁର୍ଦ୍ଦଶା।
ଦୃଶ୍ୟ ଦେଖିଲେ ଲାଗୁଛି, ଏଠାରେ ରାସ୍ତା ନିର୍ମାଣ ହେଉଛି ନା ଲୋକଙ୍କ ଧୈର୍ଯ୍ୟର ପରୀକ୍ଷା ଚାଲିଛି ।ବର୍ଷା ହେଲେ ପାଟନାଳୀର ଜଳ ନିଷ୍କାସନକୁ ନେଇ ସମସ୍ୟା ଆହୁରି ଗମ୍ଭୀର ହେଉଥିବା ଅଭିଯୋଗ । ରାସ୍ତା ଉପରେ ମାଟି ଓ କାଦୁଅର ଅବସ୍ଥା ଏପରି ଯେ, ସାଧାରଣ ଯାତାୟାତ ମଧ୍ୟ ଯନ୍ତ୍ରଣାଦାୟକ ହୋଇପଡ଼ୁଛି ବୋଲି ସ୍ଥାନୀୟଙ୍କ ଅଭିଯୋଗ ।ପାଟନାଳୀ ଉପରେ ପୋଲ ନିର୍ମାଣ ପାଇଁ ମାଟି ଗଦା ହୋଇ ରହିବାରୁ ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି ।ଏହାର ପରିଣାମ ଭୋଗୁଛନ୍ତି ଚାଷୀ ।ଯେଉଁ ଜମିରେ ଧାନ ଫଳିବା କଥା, ସେଠି ପାଣି ଜମିଛି ।ସେଥିପାଇଁ ସ୍ଥାନୀୟଙ୍କ ବ୍ୟଙ୍ଗ କରି କହିଛନ୍ତି ଯେ ଧାନ ଚାଷର ଦରକାର ନାହିଁ, ପ୍ରଶାସନ ମାଗଣାରେ ମାଛ ଚାଷର ବ୍ୟବସ୍ଥା କରିଦେଇଛି!” କଥାଟି ଶୁଣିବାକୁ ବ୍ୟଙ୍ଗ ଲାଗୁଥିଲେ ମଧ୍ୟ ଚାଷୀଙ୍କ ପାଇଁ ଏହା ଯନ୍ତ୍ରଣାର କଥା । ଯନ୍ତ୍ରୀ କେଉଁଠି ? ନିର୍ମାଣର ଦାୟିତ୍ୱ କାହାର ?ପ୍ରକଳ୍ପର ଗୁଣବତ୍ତା ଓ ତଦାରଖକୁ ନେଇ ମଧ୍ୟ ଉଠିଛି ଗୁରୁତର ପ୍ରଶ୍ନ । ସ୍ଥାନୀୟଙ୍କ ଅଭିଯୋଗ ନିର୍ମାଣ ସ୍ଥଳରେ ବିଭାଗୀୟ ଯନ୍ତ୍ରୀଙ୍କ ନିୟମିତ ଉପସ୍ଥିତି ନାହିଁ । ଅନ୍ୟ କର୍ମଚାରୀଙ୍କ ଦ୍ୱାରା କାମ ତଦାରଖ ହେଉଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି ।ତେବେ ଜନତାଙ୍କ ପ୍ରଶ୍ନ ସ୍ପଷ୍ଟ—କାମ ଯଦି ଖରାପ ହେଲା, ଦାୟୀ କିଏ?
ପୋଲର ମାନ ନେଇ ପ୍ରଶ୍ନ ଉଠିଲେ ଜବାବ ଦେବ କିଏ ?
ସରକାରୀ ଟଙ୍କା ଖର୍ଚ୍ଚ ହେଉଥିବା ପ୍ରକଳ୍ପକୁ ତଦାରଖ କରିବ କିଏ ?
ସୂଚନା ଫଳକ ନାହିଁ—କାମର ହିସାବ କେଉଁଠି? ଆହୁରି ଆଶ୍ଚର୍ଯ୍ୟର କଥା, ପ୍ରକଳ୍ପସ୍ଥଳରେ ସୂଚନା ଫଳକ ନଥିବା ନେଇ ଅଭିଯୋଗ ହୋଇଛି ।ପ୍ରକଳ୍ପର ଅଟକଳ ମୂଲ୍ୟ କେତେ ? କାମ କେବେ ଆରମ୍ଭ ହେଲା ?କେବେ ଶେଷ ହେବା କଥା ? ଠିକାଦାର କିଏ ? ଦାୟିତ୍ୱରେ ଥିବା ଯନ୍ତ୍ରୀ କିଏ ? ଜନତାଙ୍କ ଟଙ୍କାରେ ପ୍ରକଳ୍ପ ହେଉଛି, ହେଲେ ଜନତାଙ୍କ ଆଖି ଆଗରେ ହିସାବର ଫଳକଟିଏ ବି ନାହିଁ—ଏହା କେମିତି ସ୍ୱଚ୍ଛତା ?ଘଣ୍ଟ ବଜାଇଲେ ଲୋକେ… ହେଲେ ଶୁଣିଲା କିଏ ? ସମସ୍ୟାର ସମାଧାନ ପାଇଁ ବାରମ୍ବାର ଅଭିଯୋଗ ପରେ ସାମାଜିକ କର୍ମୀ ବାପିନ୍ ମଲ୍ଲ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଣ୍ଟ ବଜାଇ ପ୍ରତିବାଦ କରିଥିଲେ ।ପରେ ଡେରାବିଶ ବ୍ଲକ ଜନଶୁଣାଣୀରେ ମଧ୍ୟ ଗ୍ରାମବାସୀ ଘଣ୍ଟ ବଜାଇ ନିଜ ଅସନ୍ତୋଷ ଜଣାଇଥିଲେ ।ସେତେବେଳେ ବିଭାଗୀୟ ପକ୍ଷରୁ ୧୫ ଦିନ ମଧ୍ୟରେ ଜଳ ନିଷ୍କାସନ , ରାସ୍ତା ଓ ଡ୍ରେନେଜ୍ ସମସ୍ୟା ସମାଧାନ କରିବାର ପ୍ରତିଶ୍ରୁତି ମିଳିଥିଲା ।ସେହି ୧୫ ଦିନ ବି ସରିଗଲା କିନ୍ତୁ—ପାଣି ଅଛି , କାଦୁଅ ଅଛି ,ମାଟି ଅଛି ,ସମସ୍ୟା ଅଛି ।ନାହିଁ କେବଳ ଗୋଟିଏ ଜିନିଷ—ସମାଧାନ !ତେବେ ପ୍ରତିଶ୍ରୁତି କାହା ପାଇଁ ?ଗ୍ରାମବାସୀଙ୍କ ପ୍ରଶ୍ନ ଏବେ ଆଉ ସାଧାରଣ ଅଭିଯୋଗ ନୁହେଁ ।ତିନି ବର୍ଷରେ କାମ କାହିଁକି ଶେଷ ହେଲା ନାହିଁ ?୧୫ ଦିନର ପ୍ରତିଶ୍ରୁତି ପାଳନ ହେଲା ନାହିଁ କାହିଁକି ?ଜଳ ନିଷ୍କାସନ ବ୍ୟବସ୍ଥା କାହିଁକି ଠିକ୍ ହେଲା ନାହିଁ ? ପାଟନାଳି ସହିତ ସଂଯୋଗ ଥିବା ରାସ୍ତାର ସମସ୍ୟା ସମାଧାନ କରାଯାଉନାହିଁ କାହିଁକି ?ପ୍ରକଳ୍ପସ୍ଥଳରେ ସୂଚନା ଫଳକ କାହିଁକି ନାହିଁ ?ଏବେ ଜହ୍ନିମୂଳର ରାସ୍ତା କେବଳ ଗୋଟିଏ ରାସ୍ତା ନୁହେଁ ।ଏହା ହେଉଛି ବ୍ୟବସ୍ଥାର ଜବାବଦେହିତାର ପରୀକ୍ଷା ।ଲୋକେ ଘଣ୍ଟ ବଜାଇଲେ—ପ୍ରଶାସନକୁ ଜଗାଇବା ପାଇଁ ।ପ୍ରଶାସନ ୧୫ ଦିନ ମାଗିଲା—ସମାଧାନ ପାଇଁ ।୧୫ ଦିନ ଚାଲିଗଲା—କିନ୍ତୁ ସମସ୍ୟା ଯେମିତି ଥିଲା ସେମିତି ।ତେବେ ଏବେ ଘଣ୍ଟ କିଏ ବଜାଇବ ?ଜନତା… ନା ପ୍ରଶାସନ ନିଜେ ?
ଜହ୍ନିମୂଳବାସୀଙ୍କ ଚେତାବନୀ—ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ।ଏବେ ଦେଖିବାର କଥା—ତିନି ବର୍ଷର ଅଧପନ୍ତରିଆ କାମ କେବେ ଶେଷ ହେବ ? ପାଟନାଳୀର ପାଣି କେବେ ବାଟ ପାଇବ ? ରାସ୍ତା କେବେ ଲୋକଙ୍କ ଯାତାୟାତ ପାଇଁ ଉପଯୋଗୀ ହେବ ? ନା ଜହ୍ନିମୂଳର ଏହି କାଦୁଅ ଓ ପାଣି ହିଁ ସରକାରୀ ଉନ୍ନୟନର ନୂଆ ପରିଚୟ ହୋଇ ରହିବ ?

Leave A Reply

Your email address will not be published.