“ଖଣିଜ ସମ୍ପଦ ବିକାଶ ଓ ନିୟମ ସଂଶୋଧନ ଆଇନ ରାଜ୍ୟର ଅଧିକାର ଛଡ଼ାଇ ନେବ”

13

“ଓଡ଼ିଶାର ଖଣିଜ ସମ୍ପଦ ଲୁଟ୍‌କୁ ତ୍ୱରାନ୍ୱିତ କରିବ” : ପ୍ରଫୁଲ୍ଲ ସାମନ୍ତରା

ଭୁବନେଶ୍ୱର (୧୮ ଅଗଷ୍ଟ ୨୦୨୬) : କେନ୍ଦ୍ର ସରକାରଙ୍କ ଦ୍ୱାରା ଖଣିଜ ସମ୍ପଦ ବିକାଶ ଓ ନିୟମ ସଂଶୋଧନ ଆଇନ ମାଧ୍ୟମରେ ରାଜ୍ୟମାନଙ୍କ ଅଧିକାର, ରାଜସ୍ୱ ଓ ପ୍ରାକୃତିକ ସମ୍ପଦ ଉପରେ ହସ୍ତକ୍ଷେପ କରାଯାଇଥିବା ଅଭିଯୋଗ କରି ଜନ ଆନ୍ଦୋଳନ ନେତା ତଥା ଲୋକଶକ୍ତି ଅଭିଯାନର ରାଷ୍ଟ୍ରୀୟ ଆବାହକ ପ୍ରଫୁଲ୍ଲ ସାମନ୍ତରା ଏହାକୁ ଓଡ଼ିଶା ପାଇଁ ଅତ୍ୟନ୍ତ ଉଦବେଗଜନକ ଓ ଦୂରଗାମୀ ପ୍ରଭାବ ପକାଇବାକୁ ଥିବା ଆଇନ ବୋଲି କହିଛନ୍ତି। ଭୁବନେଶ୍ୱର ଲୋହିଆ ଏକାଡେମୀଠାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ବିନା ଯଥେଷ୍ଟ ଆଲୋଚନା ଓ ରାଜ୍ୟମାନଙ୍କ ମତାମତକୁ ଗୁରୁତ୍ୱ ନଦେଇ ସଂସଦରେ ସଂଖ୍ୟାବଳ ଆଧାରରେ ଏପରି ଆଇନ ପାରିତ କରାଯିବା ଭାରତର ସଂଘୀୟ ବ୍ୟବସ୍ଥା ପାଇଁ ଗୁରୁତର ଆଘାତ। ଏହାଠାରୁ ଅଧିକ ଦୁଃଖଦ ବିଷୟ ହେଉଛି, ଓଡ଼ିଶାର ସାଂସଦମାନେ ରାଜ୍ୟର ଦୀର୍ଘମିଆଦୀ ସ୍ୱାର୍ଥକୁ ବିଚାର ନକରି ଏହାକୁ ସମର୍ଥନ କରିବା। ସଂଶୋଧନ ଆଇନ ଦ୍ୱାରା ରାଜ୍ୟ ସରକାରଙ୍କ ଅତିରିକ୍ତ ଟିକସ ଆଦାୟ ଅଧିକାର ସମାପ୍ତ ହେବା ସହ ପୂର୍ବ ବକେୟା ଆଦାୟର ଅଧିକାର ମଧ୍ୟ ପ୍ରଭାବିତ ହେବ ଏବଂ ଏହାର ଫଳରେ ବହୁ କୋଟି ଟଙ୍କାର ରାଜସ୍ୱ କିଛି ଖଣି କମ୍ପାନୀଙ୍କ ଲାଭରେ ପରିଣତ ହେବା ସହ ଓଡ଼ିଶା ପ୍ରତିବର୍ଷ ଅତି କମରେ ୧୫ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବାର ଆଶଙ୍କା ରହିଛି। ଏହା ସୁପ୍ରିମକୋର୍ଟର ୯ ଜଣିଆ ଖଣ୍ଡପୀଠଙ୍କ ରାୟର ମୂଳ ଆତ୍ମାକୁ ମଧ୍ୟ ଦୁର୍ବଳ କରୁଛି। ଏହା ସହିତ ଶିଳ୍ପ ପାଇଁ ଦିଆଯାଇଥିବା ଖଣିଜର ପୂର୍ବରୁ ନିର୍ଦ୍ଧାରିତ ଅଂଶ ଖୋଲା ବଜାରରେ ବିକ୍ରି କରିବା ପରିବର୍ତ୍ତେ ଶତପ୍ରତିଶତ ଖଣିଜ ଖୋଲା ବଜାରରେ ବିକ୍ରି କରିବାର ସୁଯୋଗ ଦିଆଯିବା ଫଳରେ କମ୍ପାନୀମାନେ ଦେଶ ଓ ବିଦେଶର ବଜାରକୁ ଅଧିକ ପରିମାଣରେ ଖଣିଜ ପଠାଇ ଓଡ଼ିଶାର ଲୁହାପଥର, ବକ୍ସାଇଟ୍ ଓ କ୍ରୋମାଇଟ୍ ଭଳି ଅମୂଲ୍ୟ ଖଣିଜ ସମ୍ପଦକୁ ଅତି ଶୀଘ୍ର ଶେଷ କରିଦେବାର ଆଶଙ୍କା ରହିଛି। ସେହିପରି ଖଣିର ସମ୍ପ୍ରସାରଣ ପାଇଁ ପୁନଃ ନିଲାମ ଓ ଆବଶ୍ୟକ ପ୍ରକ୍ରିୟାକୁ ଏଡ଼ାଇବାର ସୁଯୋଗ ମିଳିଲେ ଗୋଟିଏ ଗୋଟିଏ ବଡ଼ କମ୍ପାନୀ ହାତରେ ଅତ୍ୟଧିକ ଖଣିଜ ସମ୍ପଦ କେନ୍ଦ୍ରୀଭୂତ ହେବା ସହ ପରିବେଶ ଆଇନ, ଜଙ୍ଗଲ ଅଧିକାର ଆଇନ ଓ ସ୍ଥାନୀୟ ସମୁଦାୟର ଅଧିକାର ଗୁରୁତର ଭାବେ ପ୍ରଭାବିତ ହେବ। ଏହାଦ୍ୱାରା ଓଡ଼ିଶାର ଅତି କମରେ ୧୭,୮୩୨ଟି ଆଦିବାସୀ ଗ୍ରାମ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ମାଲିକାନା ଓ ଅଧିକାରରୁ ବଞ୍ଚିତ ହେବାର ଆଶଙ୍କା ରହିଛି ଏବଂ ପ୍ରାୟ ୧୪,୯୧,୩୯୯ ହେକ୍ଟର ଜମି ଆଦିବାସୀ ଓ ରାଜ୍ୟର ଅଧିକାରରୁ ବାହାରିଯିବାର ଆଶଙ୍କା ରହିଛି। ଏହା ଅତ୍ୟନ୍ତ ସାଂଘାତିକ ଅନ୍ୟାୟ। ଏପରି ଆଇନ ଲାଗୁ ହେଲେ ଓଡ଼ିଶାର ଜଳ, ଜଙ୍ଗଲ, ଜମି ଓ ନଦୀଗୁଡ଼ିକର ସ୍ଥିତି ଆହୁରି ଦୟନୀୟ ହୋଇପଡ଼ିବ ଏବଂ ଖଣିଜ ସମ୍ପଦର ଅନିୟନ୍ତ୍ରିତ ଉତ୍ତୋଳନ ଫଳରେ ରାଜ୍ୟର ପ୍ରାକୃତିକ ସମ୍ବଳ ଦ୍ରୁତଗତିରେ ନିଃଶେଷ ହୋଇଯିବ। ଏପରି ନୀତି ଖଣିଜ ସମ୍ପଦର ଲୁଟ୍‌କୁ ବଢ଼ାଇବା ସହ ରାଜ୍ୟର ପରିବେଶ, ଜୀବବିବିଧତା ଓ ଆଦିବାସୀ ସମୁଦାୟର ଜୀବନ-ଜୀବିକା ଉପରେ ଭୟଙ୍କର ପ୍ରଭାବ ପକାଇବ। ତେଣୁ ଅସ୍ଥାୟୀ କର୍ପୋରେଟ୍ ଲାଭ ପାଇଁ ସ୍ଥାୟୀ ପ୍ରାକୃତିକ ସମ୍ପଦକୁ ବଳି ଦିଆଯିବ ନାହିଁ, ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାରକୁ ଦୁର୍ବଳ କରାଯିବ ନାହିଁ, ବ୍ୟତିକ୍ରମ ଓ ସମ୍ପ୍ରସାରଣ ନାମରେ ନିଲାମ ବ୍ୟବସ୍ଥାକୁ ଏଡ଼ାଇବାକୁ ଦିଆଯିବ ନାହିଁ, ଖଣିଜ ଭଣ୍ଡାରର ଭବିଷ୍ୟତ ମୂଲ୍ୟାୟନ ବିନା ଅନିୟନ୍ତ୍ରିତ ଉତ୍ତୋଳନକୁ ତ୍ୱରାନ୍ୱିତ କରାଯିବ ନାହିଁ ଏବଂ ଜଙ୍ଗଲ, ନଦୀ ଓ ଆଦିବାସୀ ସମୁଦାୟଙ୍କୁ ଖଣି ଉତ୍ତୋଳନର ବଳିଦାନ ଭାବେ ଦେଖାଯିବ ନାହିଁ ବୋଲି ଶ୍ରୀ ସାମନ୍ତରା ଦାବି କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ପାଇଁ ଆବଶ୍ୟକ ଏକ ନୂତନ ଖଣିଜ ନୀତି—ସଂରକ୍ଷଣ, ସଂଘୀୟ ବ୍ୟବସ୍ଥା, ସ୍ୱଚ୍ଛତା, ସମୁଦାୟର ଅଧିକାର, ପରିବେଶୀୟ ସୀମା ଓ ପିଢ଼ିଗତ ନ୍ୟାୟ ଉପରେ ଆଧାରିତ ହେବା ଦରକାର। ଓଡ଼ିଶାର ଖଣିଜ ସମ୍ପଦ କେବଳ ଆଜିର ସରକାର କିମ୍ବା କର୍ପୋରେଟ୍ କମ୍ପାନୀଙ୍କର ନୁହେଁ; ଏହା ଓଡ଼ିଶାର ଲୋକଙ୍କର ଏବଂ ଏଯାବତ୍ ଜନ୍ମ ନେଇନଥିବା ଆଗାମୀ ପିଢ଼ିର ମଧ୍ୟ ସମାନ ସମ୍ପଦ। ଏହି ଅଧିକାର ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଓଡ଼ିଶାର ସମସ୍ତ ବିରୋଧୀ ଦଳ, ସାମାଜିକ ସଂଗଠନ, ଆଦିବାସୀ ସମୁଦାୟ ଓ ସଚେତନ ନାଗରିକ ଏକଜୁଟ ହୋଇ ଜନ ଆନ୍ଦୋଳନ ଗଢ଼ି ତୋଳିବା ଅତ୍ୟନ୍ତ ଆବଶ୍ୟକ ବୋଲି ଶ୍ରୀ ପ୍ରଫୁଲ୍ଲ ସାମନ୍ତରା ଆହ୍ୱାନ ଦେଇଛନ୍ତି।

Leave A Reply

Your email address will not be published.