ବାଳିକାମାନଙ୍କର ଫୁଟବଲ ସ୍ୱପ୍ନକୁ ସାକାର କରୁଛି ଆଦିତ୍ୟ ଆଲୁମିନିୟମ

28


ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡର ଏକ ୟୁନିଟ୍‌ ଆଦିତ୍ୟ ଆଲୁମିନିୟମ ପ୍ରୋଜେକ୍ଟ ଲକ୍ଷ୍ୟ ଜରିଆରେ ଓଡ଼ିଶାରେ ଗ୍ରାମାଞ୍ଚଳ ଓ ଆଦିବାସୀ ବାଳିକାମାନଙ୍କ ନିମନ୍ତେ ନୂତନ ସୁଯୋଗ ସୃଷ୍ଟି କରୁଛି । ଏହି ପ୍ରୟାସ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ୍‌ରେ ବୃତ୍ତିଗତ ପ୍ରଶିକ୍ଷଣ, କ୍ରୀଡା ଭିତ୍ତିଭୂମି, ପୋଷଣଗତ ସମର୍ଥନ ଏବଂ ପ୍ରତିଯୋଗିତାମୂଳକ ପ୍ରଦର୍ଶନ ସୁଯୋଗ ଆଦି ଜରିଆରେ ୫୫ ଜଣ କିଶୋରୀ ବାଳିକାଙ୍କର ଫୁଟବଲ ପ୍ରତିଭାର ପରିପୋଷଣ କରୁଛି ।
ପଞ୍ଜିକୃତ ଆଦିତ୍ୟ ଉଦୟ ସ୍ପୋର୍ଟସ୍‌ କ୍ଲବ ଜରିଆରେ କାର୍ଯ୍ୟକାରୀ କରାଯାଉଥିବା ଏହି କାର୍ଯ୍ୟକ୍ରମ ଉଦୀୟମାନ ଯୁବ ଖେଳାଳିଙ୍କୁ ଚିହ୍ନଟ କରିବାକୁ ଛଅଟି ଗ୍ରାମ ପଞ୍ଚାୟତର ବିଦ୍ୟାଳୟ ଓ ଗ୍ରାମଗୁଡିକରେ ଆଉଟ୍‌ରିଚ (ଜନ ସମ୍ପର୍କ) ସହିତ ଆରମ୍ଭ ହୋଇଥିଲା । ଫୁଟବଲ ସହିତ ଏହା ବାଳିକାମାନଙ୍କ ମଧ୍ୟରେ ଶୃଙ୍ଖଳା ଭାବ ସୃଷ୍ଟି, ଦଳଗତ କାର୍ଯ୍ୟ, ନେତୃତ୍ୱ ନେବା ଏବଂ ଆତ୍ମ ବିଶ୍ୱାସ ତଥା ଉଭୟ ପଡିଆ ଓ ପଡିଆ ବାହାରେ ସେମାନଙ୍କର ଆକାଙ୍‌କ୍ଷା ପୂରଣ ଦିଗରେ ସଶକ୍ତ କରିବା ଉପରେ ଦୃଷ୍ଟିନିବଦ୍ଧ କରୁଛି ।
ଏହି ପ୍ରୟାସରୁ ଇତିମଧ୍ୟରେ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇସାରିଛି । ପାଞ୍ଚଜଣ ଖେଳାଳି ଜିଲ୍ଲା ଅଣ୍ଡର୍‌-୧୪ (୧୪ ବର୍ଷରୁ କମ୍‌) ଫୁଟବଲ ଟିମ୍‌ ନିମନ୍ତେ ମନୋନୀତ ହୋଇସାରିଥିବାବେଳେ ଅନ୍ୟ ଜଣେ ଖେଳାଳି ଗୋଆରେ ସମ୍ମାନଜନକ ସେସା (ଏସ୍‌ଇଏସ୍‌ଏ) ଫୁଟବଲ ଏକାଡେମୀରେ ତାଲିମ ପାଇଁ ନାମ ଲେଖାଇଛନ୍ତି ।
ଯୁବ ଫୁଟବଲ ଖେଳାଳି ଓ ସେମାନଙ୍କ ପରିବାରବର୍ଗଙ୍କ ନିମନ୍ତେ ପ୍ରୋଜେକ୍ଟ ଲକ୍ଷ୍ୟ ଆଶା, ଗର୍ବ ଏବଂ ସୁଯୋଗର ଏକ ଉତ୍ସ ପାଲଟୁଛି ।
ଜାଙ୍ଗଲା ଗ୍ରାମ ପଞ୍ଚାୟତ ଅଧୀନ ଡୁଙ୍ଗୁରିପଡା ଗ୍ରାମର ଜଣେ ୧୫ ବର୍ଷ ବୟସ୍କା ନନ୍ଦିନୀ ଓରାମ କହିଥିଲେ, “ପିଲାଦିନରୁ ଫୁଟବଲ ଖେଳ ପ୍ରତି ମୋ ମନରେ ଆଗ୍ରହ ରହିଥିଲା, କିନ୍ତୁ ଏହାକୁ ଗୁରୁତ୍ୱର ସହିତ ଗ୍ରହଣ କରିବାକୁ ମୋତେ କେବେହେଲେ ସୁଯୋଗ ମିଳିନଥିଲା । ପ୍ରୋଜେକ୍ଟ ଲକ୍ଷ୍ୟ ମୋ ସ୍ୱପ୍ନକୁ ସାକାର କରିଛି, ମୋର ଆତ୍ମବିଶ୍ୱାସ ମଜଭୁତ କରିଛି ଏବଂ ମୋ ନିଜ ଦକ୍ଷତାରେ ବିଶ୍ୱାସ କରିବାକୁ ମୋତେ ପ୍ରେରଣା ଦେଇଛି । ସମ୍ପ୍ରତି ଫୁଟବଲ ମୋତେ ନୂଆ ଆଶା ଓ ଏକ ପରିଚୟ ପ୍ରଦାନ କରିଛି ।”
ତାଙ୍କ ଝିଅ ବର୍ଷା ସେସା ଫୁଟବଲ ଏକାଡେମୀ ନିମନ୍ତେ ମନୋନୀତ ହେବା ଖୁସିରେ ଉଲ୍ଲସିତ ରେଙ୍ଗାଲି ବ୍ଲକ୍‌ ଅନ୍ତର୍ଗତ କଟବଗା ଗ୍ରାମର ଜଣେ ବାସିନ୍ଦା ସୁରଭି ମୁଣ୍ଡା କହିଥିଲେ, “ମୋ ଝିଅ ତାହାର ଫୁଟବଲ ସ୍ୱପ୍ନ ସାକାର କରିବା ନିକଟତର ହେବା ଦେଖି ଆମ ପରିବାର ଅତ୍ୟନ୍ତ ଗର୍ବିତ ମନେ କରୁଛୁ । ସେସା ଫୁଟବଲ ଏକାଡେମୀ ନିମନ୍ତେ ସେ ମନୋନୀତ ହେବାଦ୍ୱାରା ତାହାର ଭବିଷ୍ୟତ ପାଇଁ ନୂତନ ସମ୍ଭାବନାଗୁଡିକ ଉନ୍ମୁକ୍ତ ହୋଇଛି । ତାହାର ପ୍ରତିଭାକୁ ଚିହ୍ନଟ କରି ତାହାର ଲକ୍ଷ୍ୟକୁ ଆଗେଇନେବା ଦିଗରେ ସେ ଆବଶ୍ୟକ କରୁଥିବା ସମର୍ଥନ ଓ ସୁଯୋଗ ଯୋଗାଇଥିବାରୁ ଆମେ ଆଦିତ୍ୟ ଆଲୁମିନିୟମ୍‌ର ସିଏସ୍‌ଆର ପ୍ରୟାସକୁ ଆନ୍ତରିକ କୃତଜ୍ଞତା ଜଣାଉଛୁ ।”
ଅନୁରୂପ ଭାବରେ ଜାଙ୍ଗଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଲେପଡା ଗ୍ରାମର ୨୦ ବର୍ଷ ବୟସ୍କା ସୁନିତା ମିଞ୍ଜ ତାଙ୍କର ଆତ୍ମବିଶ୍ୱାସ ଉପରେ ଏହି କାର୍ଯ୍ୟକ୍ରମର ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ । “ସୀମିତ ସୁଯୋଗ ଏକଦା ଫୁଟବଲ ଖେଳିବା ନିମନ୍ତେ ମୋ ସ୍ୱପ୍ନକୁ ସାକାର କରିବା ଦିଗରେ ଅନ୍ତରାୟ ହେଉଥିଲା । ଆଦିତ୍ୟ ଆଲୁମିନିୟମ ସମର୍ଥନରେ ପ୍ରୋଜେକ୍ଟ ଲକ୍ଷ୍ୟ ମୋତେ ନିୟମିତ ତାଲିମ ନେବାକୁ ସୁଯୋଗ ପ୍ରଦାନ କରିବା ସହିତ ଉଚ୍ଚ ଲକ୍ଷ୍ୟ ହାସଲ କରିବାକୁ ଆତ୍ମବିଶ୍ୱାସ ଆଣିଦେଇଛି । ଏହା ଫୁଟବଲକୁ ଅଧିକ ପ୍ରତିଯୋଗିତାମୂଳକ ସ୍ତରରେ ଆଗେଇନେବା ଦିଗରେ ମୋର ଏକାଗ୍ରତାକୁ ସୁଦୃଢ କରିଛି ।”
ଲୁଧାପାଲି ଗ୍ରାମର ୨୧ ବର୍ଷ ବୟସ୍କା ନିକିତା ଓରାମଙ୍କ ପାଇଁ ଫୁଟବଲ ହେଉଛି ଏକ ପାରିବାରିକ ପରମ୍ପରା । ଜାତୀୟ ସ୍ତରର ଜଣେ ଫୁଟବଲ ଖେଳାଳି ତାଙ୍କ ମା’ଙ୍କ ଠାରୁ ପ୍ରେରଣା ଲାଭକରି ସେ ଏବେ ଆଦିତ୍ୟ ଉଦୟ ସ୍ପୋର୍ଟସ୍‌ କ୍ଲବ ପାଇଁ ଜଣେ ଗୋଲ୍‌କିପର ଭାବରେ ଖେଳୁଛନ୍ତି । “ଜଣେ ଫୁଟବଲ ଖେଳାଳି ହେବାପାଇଁ ସ୍ୱପ୍ନ ଦେଖିବାକୁ ମୋ ମା’ ସର୍ବଦା ମୋତେ ପ୍ରେରଣା ଦେଇଆସିଛନ୍ତି । ପ୍ରୋଜେକ୍ଟ ଲକ୍ଷ୍ୟ ମୋର ସେହି ସ୍ୱପ୍ନକୁ ସାକାର କରିବା ଦିଗରେ ତାଲିମ ନେବା ଓ ଖେଳିବା ସୁଯୋଗ ପ୍ରଦାନ କରି ମୋତେ ସହାୟତା କରିଛି । ମୋ ମା’ଙ୍କ ପ୍ରେରଣାକୁ ଆଗେଇ ନେଉଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ମନେକରୁଛି ଏବଂ ଉଚ୍ଚତର ଶିଖର ଛୁଇଁବାର ଆକାଙ୍‌କ୍ଷା ରଖୁଛି,” ବୋଲି ସେ କହିଥିଲେ ।
ଏହି ପ୍ରୟାସ ସମ୍ପର୍କରେ ମତଦେଇ ଶ୍ରୀ ଜଗନ୍ନାଥ ନାୟକ, ୟୁନିଟ ହେଡ୍‌, ଆଦିତ୍ୟ ଆଲୁମିନିୟମ, ଲପଙ୍ଗା, କହିଥିଲେ “ଆଦିତ୍ୟ ଆଲୁମିନିୟମରେ ଆମେ ବିଶ୍ୱାସ କରୁ ଯେ ପ୍ରତ୍ୟେକ ବାଳିକା ନିଜର ପୂର୍ଣ୍ଣ ସାମର୍ଥ୍ୟର ଉପଯୋଗ କରିବା ନିମନ୍ତେ ସୁଯୋଗ ପାଇବାକୁ ହକ୍‌ଦାର ଅଟନ୍ତି । ପ୍ରୋଜେକ୍ଟ ଲକ୍ଷ୍ୟ ଜରିଆରେ ଆମେ ଗ୍ରାମାଞ୍ଚଳ ବାଳିକାମାନଙ୍କୁ ସଶକ୍ତ କରିବା, ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ନିର୍ମାଣ ଏବଂ ସେମାନଙ୍କର ଭବିଷ୍ୟତ ଅଭିବୃଦ୍ଧି ପାଇଁ ପଥ ସୃଷ୍ଟି କରିବାକୁ କ୍ରୀଡାକୁ ଏକ ଶକ୍ତିଶାଳୀ ମାଧ୍ୟମ ଭାବରେ ବ୍ୟବହାର କରୁଛୁ ।”
“ପ୍ରତିଭା ସହିତ ସଠିକ ସମର୍ଥନ ଓ ସୁଯୋଗର ସମ୍ମିଶ୍ରଣ ଘଟିଲେ କଣ ହାସଲ କରାଯାଇପାରିବ ତାହା ଆମ ଯୁବ ଫୁଟବଲ ଖେଳାଳିଙ୍କର ସଫଳତା ପ୍ରଦର୍ଶନ କରୁଛି । ଅନ୍ତର୍ଭୁକ୍ତି, ଲିଙ୍ଗଗତ ସମାନତା ଏବଂ ପୂର୍ଣ୍ଣାଙ୍ଗ ଗୋଷ୍ଠୀ ବିକାଶକୁ ପ୍ରୋତ୍ସାହିତ କରିବା ସମୟରେ ଭବିଷ୍ୟତର ଚମ୍ପିଆନ୍‌ମାନଙ୍କର ପରିପୋଷଣ ଦିଗରେ ଅବଦାନ ରଖିବା ନେଇ ଆମେ ନିଜକୁ ଗୌରବାନ୍ୱିତ ମନେକରୁଛୁ,” ବୋଲି ସେ ଉଲ୍ଲେଖ କରିଥିଲେ ।
ପରିବାରଗୁଡିକ ସେମାନଙ୍କ ଝିଅମାନଙ୍କର କ୍ରୀଡା ଆକାଙ୍‌କ୍ଷା ପୂରଣ ଦିଗରେ ଅଧିକରୁ ଅଧିକ ସମର୍ଥନ ଯୋଗାଇ ଦେଉଥିବାବେଳେ ପ୍ରୋଜେକ୍ଟ ଲକ୍ଷ୍ୟ ପାରମ୍ପରିକ ପ୍ରତିବନ୍ଧକଗୁଡିକ ଦୂର କରିବାରେ ସହାୟତା ଏବଂ ଅଧିକରୁ ଅଧିକ ବାଳିକାଙ୍କୁ ଫୁଟବଲ ଖେଳ ଆପଣାଇବା ଦିଗରେ ପ୍ରେରଣା ଦେଉଛି । ପ୍ରଶିକ୍ଷଣ, ପୁଷ୍ଟିସାଧନ, ଭିତ୍ତିଭୂମି, ମାର୍ଗଦର୍ଶନ ଓ ପ୍ରତିଯୋଗିତାମୂଳକ ପ୍ରଦର୍ଶନକୁ ସମ୍ମିଶ୍ରିତ କରି ଏହି ପ୍ରୟାସ ଓଡ଼ିଶା ଓ ଭାରତକୁ ପ୍ରତିନିଧିତ୍ୱ କରିବା ନିମନ୍ତେ ସମର୍ଥ ଭବିଷ୍ୟତର ଆଥଲେଟମାନଙ୍କର ପରିପୋଷଣ କରିବା ଲକ୍ଷ୍ୟ ରଖିଥିବାବେଳେ ସେହି ସମୟରେ ଗ୍ରାମାଞ୍ଚଳ ବାଳିକାମାନଙ୍କୁ ବୃହତ୍ତର ସ୍ୱପ୍ନ ସାକାର କରିବା ଦିଗରେ ସଶକ୍ତ କରୁଛି ।

Leave A Reply

Your email address will not be published.