ଏସ୍‌ଆଇଆର୍‌ରେ ଅନିୟମିତତା ଅଭିଯୋଗ: ଅଗଷ୍ଟ ୨୩ରୁ ମୁତୟନ ହେବେ ବିଜେଡିର ଆଇନଜୀବୀ

11

ଝାରସୁଗୁଡ଼ା, : ଭୋଟର ତାଲିକା ସଂଶୋଧନ ପାଇଁ ଚାଲିଥିବା ଏସ୍‌ଆଇଆର୍‌ ପ୍ରକ୍ରିୟାରେ ଫର୍ମ-୭ ଆବେଦନକୁ ନେଇ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ (ବିଜେଡି)। ଏନେଇ ଝାରସୁଗୁଡ଼ାର ଏକ ଘରୋଇ ହୋଟେଲରେ ଦଳ ପକ୍ଷରୁ ପ୍ରେସମିଟ୍‌ରେ ରାଜ୍ୟ ବିଜେଡି ପରିଷଦ ସଦସ୍ୟ ତାପସ ରାୟ ଚୌଧୁରୀ ଓ ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରାଙ୍କ ସମେତ ଅନ୍ୟ ଦଳୀୟ ନେତାମାନେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ଅଭିଯୋଗ ଉଠାଇଥିଲେ। ଦଳର ଅଭିଯୋଗ ଅନୁଯାୟୀ, ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ଫର୍ମ-୭ ମାଧ୍ୟମରେ ଭୋଟରଙ୍କ ନାମ ବାଦ୍‌ ଦେବା ପାଇଁ ଅସାଧାରଣ ସଂଖ୍ୟାରେ ଆବେଦନ କରାଯାଇଛି।

ବିଜେଡି ନେତାମାନେ କହିଛନ୍ତି ଯେ, ନିୟମ ଅନୁସାରେ ଜଣେ ବ୍ୟକ୍ତିଙ୍କ ପକ୍ଷରୁ ୧୦ରୁ ଅଧିକ ଫର୍ମ-୭ ଆବେଦନ କରାଯାଇପାରିବ ନାହିଁ। ହେଲେ ଦଳ ପକ୍ଷରୁ ଦିଆଯାଇଥିବା ସୂଚନା ଓ ତାଲିକା ଅନୁସାରେ, କେତେକ ବ୍ୟକ୍ତି ଗୋଟିଏ ଦିନରେ ୭୮, ୮୫, ୯୦ରୁ ଅଧିକ ଫର୍ମ ଦାଖଲ କରିଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ାର ବିଭିନ୍ନ ବ୍ଲକ୍‌, ପଞ୍ଚାୟତ ଓ ପୌରାଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳୁଥିବା ଦଳ ଦାବି କରିଛି।

ଫର୍ମ-୭ ଆବେଦନଗୁଡ଼ିକୁ ବିଏଲ୍‌ଓ ଓ ରିଟର୍ନିଂ ଅଫିସର କେଉଁ ନିୟମ ଆଧାରରେ ଗ୍ରହଣ କରୁଛନ୍ତି, ତାହା ନେଇ ବିଜେଡି ପ୍ରଶ୍ନ ଉଠାଇଛି। ବିଶେଷକରି ଝାରସୁଗୁଡ଼ା ପୌରାଞ୍ଚଳର ୫, ୧୭, ୧୯, ୨୦ ଓ ୨୧ ନମ୍ବର ୱାର୍ଡରେ ଦୀର୍ଘ ୬୦-୭୦ ବର୍ଷ ଧରି ବସବାସ କରୁଥିବା ଏବଂ ୨୦୦୨ ଭୋଟର ତାଲିକାରେ ନାମ ଥିବା କେତେକ ଭୋଟରଙ୍କୁ ଟାର୍ଗେଟ୍‌ କରାଯାଇ ନାମ ବାଦ୍‌ ଦେବାକୁ ଉଦ୍ୟମ ହେଉଥିବା ଦଳ ଅଭିଯୋଗ କରିଛି।

ଏହି ପ୍ରସଙ୍ଗରେ ଝାରସୁଗୁଡ଼ା ଜିଲ୍ଲାର ବଡ଼ମାଳ, କୋଲାବିରା, ଲଇକେରା ଓ କିର୍ମିରା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଅଭିଯୋଗ ଗ୍ରହଣ କରୁନଥିବା ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି। ଏନେଇ ପୂର୍ବତନ ବିଧାୟିକା ଦୀପାଳୀ ଦାସଙ୍କ ନେତୃତ୍ୱରେ ଦଳର ଏକ ପ୍ରତିନିଧି ଦଳ ଝାରସୁଗୁଡ଼ା ଏସ୍‌ପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି।

ଫର୍ମ-୭ରେ ମିଥ୍ୟା ଅଭିଯୋଗ ଦାଖଲ କରିବା ପାଇଁ ଆଇନରେ ଦଣ୍ଡବିଧାନ ଥିବା ଦର୍ଶାଇ ବିଜେଡି ପକ୍ଷରୁ ମିଥ୍ୟା ଆବେଦନକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଦାବି କରାଯାଇଛି।

ଅନ୍ୟପକ୍ଷରେ ଭୋଟରଙ୍କ ଅଧିକାର ସୁରକ୍ଷା ପାଇଁ ଆସନ୍ତା ଅଗଷ୍ଟ ୨୩ରୁ ବିଜେଡି ପକ୍ଷରୁ ଆଇନଜୀବୀ ନିୟୋଜିତ କରାଯିବ ବୋଲି ପ୍ରେସମିଟ୍‌ରେ ସୂଚନା ଦିଆଯାଇଛି। ଝାରସୁଗୁଡ଼ା ପୌରାଞ୍ଚଳର ସବ୍‌-କଲେକ୍ଟର ଅଫିସ ଓ ମ୍ୟୁନିସିପାଲିଟିରେ ଥିବା ଦୁଇଟି ଶୁଣାଣି କେନ୍ଦ୍ର ସହିତ ଚାରିଟି ବ୍ଲକ୍‌ର ବିଡିଓ କାର୍ଯ୍ୟାଳୟରେ ଦୁଇଜଣ ଲେଖାଏଁ ଆଇନଜୀବୀ ନିୟୋଜିତ ହେବେ। ସେମାନେ ଭୋଟରଙ୍କୁ ଆବଶ୍ୟକ ଆଇନଗତ ସହାୟତା ଦେବା ସହ ଶୁଣାଣି ସମୟରେ ସେମାନଙ୍କ ପକ୍ଷରେ ଆଇନଗତ ଯୁକ୍ତି ଉପସ୍ଥାପନ କରିବେ ବୋଲି ଦଳ କହିଛି।

ଏହି ଅଭିଯାନ ପୂର୍ବତନ ବିଧାୟିକା ଦୀପାଳୀ ଦାସଙ୍କ ନେତୃତ୍ୱରେ ଜାରି ରହିବ ବୋଲି ତାପସ ରାୟ ଚୌଧୁରୀ ଓ ହରିଶ ଗଣତ୍ରା କହିଛନ୍ତି। ପ୍ରେସମିଟ୍‌ରେ ଜୟନ୍ତୀ ବାହୁକ, ରାନୀ ହାତୀ, ନାଗେଶ୍ୱରୀ ବୋନେଲା, ଅଶୋକ ଦାସ, ତୁଳସୀ ଦାସ, ମଦନ ହାତୀ, ଶିବାଶିଷ ପଟ୍ଟନାୟକ ଓ ରବି ରୋହିଦାସଙ୍କ ସମେତ ବିଜେଡିର ଅନ୍ୟାନ୍ୟ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.