ଖୋର୍ଦ୍ଧା ରୁ (ସେକ ଜାଫର ):ସରକାରଙ୍କ ଅନେକ ଜନକଲ୍ୟାଣକାରୀ ଯୋଜନା ସତ୍ତ୍ୱେ ଜଣେ ୭୦ ପ୍ରତିଶତ ଦିବ୍ୟାଙ୍ଗଙ୍କ ପାଇଁ ପକ୍କାଘର ଆଜି ବି ସାତ ସପନ! ଘର ଖଣ୍ଡିଏ ପାଇଁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇ ନିରାଶ ହୋଇଥିବା ଅଭିଯୋଗ କରିଛନ୍ତି ରବୀନ୍ଦ୍ର ପ୍ରଧାନ।
ଏ ହେଉଛନ୍ତି ଖୋର୍ଦ୍ଧା ବ୍ଲକ, ମଳିପଡ଼ା ଅଞ୍ଚଳର କଁପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦଳେଇ ସାହିର ସ୍ୱର୍ଗତ ଗୋପୀନାଥ ପ୍ରଧାନଙ୍କ ପୁଅ ରବୀନ୍ଦ୍ର ପ୍ରଧାନ। ୭୦ ପ୍ରତିଶତ ଦିବ୍ୟାଙ୍ଗ ରବୀନ୍ଦ୍ରଙ୍କ ପାଇଁ ଏବେ ପକ୍କାଘରଟିଏ ସ୍ୱପ୍ନ ହୋଇ ରହିଛି।
ରବୀନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ, ଘର ଖଣ୍ଡିଏ ପାଇଁ ସେ ବାରମ୍ବାର ବ୍ଲକ ଓ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏଯାଏଁ ତାଙ୍କୁ ସରକାରୀ ପକ୍କାଘର ମିଳିନାହିଁ।

ଅନ୍ୟପଟେ, ମାସିକ ୧୨୦୦ ଟଙ୍କା ଦିବ୍ୟାଙ୍ଗ ଭତ୍ତା ଓ ରାସନ ଚାଉଳରେ ଦିନ କାଟୁଛନ୍ତି ରବୀନ୍ଦ୍ର। ପୁଅର ପେଟ ପୋଷିବା ପାଇଁ ତାଙ୍କ ମାଆ ପର ଘରେ ବାସନ ମାଜି କାମ କରୁଥିବା ଗ୍ରାମବାସୀ କହିଛନ୍ତି।
ଏବଂ ରବିନ୍ଦ୍ର ଙ୍କ ମାଁ ନିଜେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ମୋ ପୁଅକୁ ଏକ ପକ୍କାଘର, ୩୫ କିଲୋ ଚାଉଳ ଏବଂ ଅଧିକ ଭତ୍ତା ମିଳିଲେ ମୋ ପୁଅ ଭଲରେ ଚଳିପାରନ୍ତା ।
ତେବେ ରବୀନ୍ଦ୍ରଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ପକ୍କାଘର ଯୋଗାଇଦେବା ସହ ତାଙ୍କୁ ନିୟମ ଅନୁଯାୟୀ ଆବଶ୍ୟକ ସରକାରୀ ସହାୟତା ପ୍ରଦାନ କରିବାକୁ ପରିବାର ପକ୍ଷରୁ ଦାବି ହୋଇଛି। ଏବେ ଦେଖିବାକୁ ବାକି ରହିଲା, ରବୀନ୍ଦ୍ରଙ୍କ ଦୁଃଖ ଉପରେ କେବେ ଦୃଷ୍ଟି ଦେଉଛି ପ୍ରଶାସନ।