ବାଳ-ମୁକୁନ୍ଦ କେନ୍ଦ୍ର ପକ୍ଷରୁ ‘ନିଜେ ନିଜକୁ ଚିହ୍ନିବା’ କାର୍ଯ୍ୟକ୍ରମ ଅନୁଷ୍ଠିତ: ମହାପୁରୁଷ ଦ୍ୱୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

14

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ବାଳ-ମୁକୁନ୍ଦ କେନ୍ଦ୍ର ଆନୁକୂଲ୍ୟରେ ନବ ଜୀବନ ଟ୍ରଷ୍ଟ (ଅନାଥ ଆଶ୍ରମ) ପରିସରରେ ରବିବାର ଏକ ସ୍ୱତନ୍ତ୍ର ସଂସ୍କାରମୂଳକ କାର୍ଯ୍ୟକ୍ରମ ‘ନିଜେ ନିଜକୁ ଚିହ୍ନିବା’ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରର ସଂଯୋଜକ ଶ୍ରୀ ନିତ୍ୟାନନ୍ଦ ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ପରିଚାଳନାରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।
‎​କାର୍ଯ୍ୟକ୍ରମର ଶୁଭାରମ୍ଭ ପବିତ୍ର ଓଁକାର ଧ୍ୱନି ଏବଂ ଶାନ୍ତି ପ୍ରାର୍ଥନାରୁ କରାଯାଇଥିଲା। ଏହି ଅବସରରେ ଅଗଷ୍ଟ ୧୬ ତାରିଖର ଐତିହାସିକ ମହତ୍ତ୍ୱ ଉପରେ ଆଲୋକପାତ କରାଯାଇ ଯୁଗପୁରୁଷ ଶ୍ରୀ ରାମକୃଷ୍ଣ ପରମହଂସ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ଉପଲକ୍ଷେ ଉଭୟ ମହାପୁରୁଷଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।
‎​ଉକ୍ତ ଶିବିରରେ ପିଲାମାନଙ୍କୁ ସେମାନଙ୍କ ଅନ୍ତର୍ନିହିତ ଗୁଣର ବିକାଶ , ନୈତିକ ଶିକ୍ଷା , ସାମାଜିକ ଶିଷ୍ଟାଚାର ତଥା ପରିଷ୍କାର-ପରିଚ୍ଛନ୍ନତା ବିଷୟରେ ମାର୍ଗଦର୍ଶନ ଦିଆଯାଇଥିଲା। ଏହା ସହିତ ପିଲାମାନଙ୍କ ମଧ୍ୟରେ ସୃଜନଶୀଳ ଗତିବିଧି ଓ ଶିକ୍ଷଣୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପରିଶେଷରେ ସମୂହ ‘ବନ୍ଦେ ମାତରମ୍’ ଗାନ ସହ କାର୍ଯ୍ୟକ୍ରମର ସାଙ୍ଗ ହୋଇଥିଲା। ଏହି ମହତ୍ ପ୍ରୟାସକୁ ଆଶ୍ରମ କର୍ତ୍ତୃପକ୍ଷ ତଥା ସ୍ଥାନୀୟ ବୁଦ୍ଧିଜୀବୀମାନେ ଭୂୟସୀ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.