ଓପିଜିସି ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ

11


ଦେଶପ୍ରେମରେ ଉତ୍ସବମୁଖର ଆଇବି ଥର୍ମାଲ; ମେଧାବୀ ଛାତ୍ରଛାତ୍ରୀ ଓ କୃତୀ କର୍ମଚାରୀ ସମ୍ବର୍ଦ୍ଧିତ


ଆଇବି ଥର୍ମାଲ, ୧୬ ଅଗଷ୍ଟ: ଓଡ଼ିଶା ପାୱାର୍ ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଜିସି) ପକ୍ଷରୁ ଆଇବି ଥର୍ମାଲ ପାୱାର୍ ଷ୍ଟେସନ୍ ପରିସରରେ ୮୦ତମ ସ୍ୱାଧୀନତା ଦିବସ ଦେଶପ୍ରେମ ଓ ଉତ୍ସାହର ସହ ପାଳିତ ହୋଇଯାଇଛି।

ଏହି ଅବସରରେ ଓପିଜିସିର ନିର୍ଦ୍ଦେଶକ (ଅପରେସନ୍ସ) ଅଞ୍ଜନ ରଞ୍ଜନ ଦାଶ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ୍‌ର ଅଭିବାଦନ ଗ୍ରହଣ କରିଥିଲେ। ନିଜ ଅଭିଭାଷଣରେ ଶ୍ରୀ ଦାଶ ଓପିଜିସିର ସାମ୍ପ୍ରତିକ ସଫଳତା ଓ ଭବିଷ୍ୟତ ସମ୍ପ୍ରସାରଣ ପ୍ରକଳ୍ପ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ଲାଣ୍ଟ ପରିସର ଏବଂ ଆଇବି ଥର୍ମାଲ କ୍ଲବ୍ ପରିସରରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।

ମୁଖ୍ୟ ସମାରୋହରେ ସୁରକ୍ଷା କର୍ମଚାରୀ, ସ୍କାଉଟ୍‌, ଗାଇଡ୍‌ ଏବଂ ଆଇବି ଥର୍ମାଲ ଡିଏଭି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବିଭିନ୍ନ ଦଳ ପକ୍ଷରୁ ଆକର୍ଷଣୀୟ ମାର୍ଚ୍ଚପାଷ୍ଟ୍ ପ୍ରଦର୍ଶିତ ହୋଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ। ସମାରୋହରେ ଓପିଜିସିର କର୍ମଚାରୀ, ସେମାନଙ୍କ ପରିବାରବର୍ଗ, ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ସ୍ଥାନୀୟ ସମୁଦାୟର ସଦସ୍ୟମାନେ ଯୋଗଦେଇଥିଲେ।

ସ୍ୱାଧୀନତା ଦିବସ ଅବସରରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ବିଦ୍ୟାଳୟ ବାହ୍ୟ କାର୍ଯ୍ୟକଳାପରେ ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ନିଜର ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ଓ ସଂସ୍ଥା ପ୍ରତି ଅବଦାନ ପାଇଁ ଉଲ୍ଲେଖନୀୟ କର୍ମଚାରୀମାନଙ୍କୁ ‘ଏମ୍ପ୍ଲୟି ଅଫ୍ ଦ କ୍ୱାର୍ଟର’ ଏବଂ ‘ଏମ୍ପ୍ଲୟି ଅଫ୍ ଦ ଇୟର’ ପୁରସ୍କାର ପ୍ରଦାନ କରାଯାଇଥିଲା।

ସମଗ୍ର କାର୍ଯ୍ୟକ୍ରମ ଓପିଜିସି ପରିବାରର ଦେଶପ୍ରେମ, ଏକତା ଓ ଉତ୍କର୍ଷର ଭାବନାକୁ ପ୍ରତିଫଳିତ କରିଥିଲା। ଏଥିସହ ଦେଶର ପ୍ରଗତିରେ ଅବଦାନ ରଖିବା ପାଇଁ ଓପିଜିସିର ପ୍ରତିବଦ୍ଧତାକୁ ମଧ୍ୟ ଉଜାଗର କରିଥିଲା।

Leave A Reply

Your email address will not be published.