କୁରାଳରେ ଏକଦିବସୀୟ ଯଜ୍ଞ

12


୧୫୭ ବୈଦିକ ବ୍ରାହ୍ମଣଙ୍କ ଯୋଗଦାନ, ଧର୍ମସଭାରେ ବ୍ରାହ୍ମଣ ଧର୍ମର ସୁରକ୍ଷା ଉପରେ ଆଲୋଚନା


କୁରାଳ, ୧୬।୮(ଶ୍ରୀକାନ୍ତ କୁମାର ମିଶ୍ର):
ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ମନ୍ଦିରମାଳିନୀ ଗ୍ରାମ କୁରାଳସ୍ଥିତ ମା’ ରାମଚଣ୍ଡୀଙ୍କ ପ୍ରାଙ୍ଗଣରେ ଏକଦିବସୀୟ ଯଜ୍ଞ ଓ ଧର୍ମସଭା ଅନୁଷ୍ଠିତ ହୋଇଯାଇଛି। କୁରାଳ ବୈଦିକ ବ୍ରାହ୍ମଣ ସମାଜ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି ଧାର୍ମିକ କାର୍ଯ୍ୟକ୍ରମରେ ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ପ୍ରାୟ ୧୫ଟି ଶାସନରୁ ୧୫୭ ଜଣ ବୈଦିକ ବ୍ରାହ୍ମଣ ଯୋଗଦେଇଥିଲେ । ବ୍ରାହ୍ମଣମାନଙ୍କୁ ଅର୍ଚ୍ଚନା କରାଯାଇ ବସ୍ତ୍ର ଓ ଦକ୍ଷିଣା ପ୍ରଦାନ କରି ବରଣ କରାଯାଇଥିଲା। ମୁଖ୍ୟ ଆଚାର୍ଯ୍ୟ ସନ୍ତୋଷ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ସୂର୍ଯ୍ୟପୂଜା ଓ ପୀଠପୂଜା ପରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥିଲା। ମୃଦଙ୍ଗ, ଘଣ୍ଟ, କାହାଳୀ ଓ ହୁଳହୁଳିର ଧ୍ୱନି ମଧ୍ୟରେ ବୈଦିକ ବ୍ରାହ୍ମଣମାନେ ଗ୍ରାମ ପରିକ୍ରମା କରିଥିଲେ। ବିଭିନ୍ନ ସାହିରେ ଗ୍ରାମବାସୀମାନେ ଚରଣଧୌତ କରି ପୁଷ୍ପ ଓ ଚନ୍ଦନ ଦେଇ ବନ୍ଦାପନା କରିବା ସହ ପଣା, ପାଣି ଓ ଫଳସେବନର ବ୍ୟବସ୍ଥା କରିଥିଲେ। ବ୍ରାହ୍ମଣମାନଙ୍କ ବେଦଧ୍ୱନିରେ ସମଗ୍ର ଗ୍ରାମ ପ୍ରକମ୍ପିତ ହୋଇଥିଲା।
ପଣ୍ଡିତ ଲଡୁକିଶୋର ରଥ, ହେମନ୍ତ କୁମାର ହୋତା, ତୋଫାନ ତ୍ରିପାଠୀ ଓ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଚଣ୍ଡୀପାଠ ସହ ଯଜ୍ଞରେ ଆହୁତି ପ୍ରଦାନ କରାଯାଇଥିଲା। ଅଭିଷେକ ଓ ପୂର୍ଣ୍ଣାହୁତି ପରେ ଧର୍ମସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ବ୍ରାହ୍ମଣମାନେ ବର୍ତ୍ତମାନ ସମୟରେ ବ୍ରାହ୍ମଣ ସମାଜର ବିଭିନ୍ନ ସମସ୍ୟା ଓ ଧର୍ମର ସୁରକ୍ଷା ନେଇ ଆଲୋଚନା କରିଥିଲେ। ନୟାଗଡ଼ ଜଗନ୍ନାଥ ମନ୍ଦିର ଓ ଲଡୁବାବାଙ୍କ ପରିଚ୍ଛା ପ୍ରଭାକର ମିଶ୍ର ଓ ତୋଶୋବନ୍ତ କର ଯୋଗଦେଇ ବ୍ରାହ୍ମଣ ଧର୍ମର ସୁରକ୍ଷା ଉପରେ ମତ ରଖିଥିଲେ। ଫକୀରମୋହନ ମିଶ୍ର, ଭାବଗ୍ରାହୀ କର, ସତ୍ୟନାରାୟଣ ଷଢ଼ଙ୍ଗୀ, ଜଗଦୀଶ ଦାଶ ଓ ନିରାକାର ଆଚାର୍ଯ୍ୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଲଳିତ ମୋହନ ତ୍ରିପାଠୀ ଓ କମଳାକାନ୍ତ ରଥଙ୍କ ବେଦପାଠ ସହ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଥିଲା। କାର୍ଯ୍ୟକ୍ରମରେ ବୈଦିକ ବ୍ରାହ୍ମଣ ସମାଜର ସଭାପତି ସୁଶାନ୍ତ କୁମାର ମିଶ୍ର, ସମ୍ପାଦକ ଜଗନ୍ନାଥ ମିଶ୍ର, କୋଷାଧ୍ୟକ୍ଷ ତପନ କୁମାର ତ୍ରିପାଠୀଙ୍କ ସମେତ ଜଗମୋହନ ମିଶ୍ର, ନୃସିଂହ ଶତପଥୀ, ଲିଙ୍ଗରାଜ ତ୍ରିପାଠୀ, ପ୍ରଦୀପ୍ତ ଶତପଥୀ, ବିଷ୍ଣୁପ୍ରସାଦ ତ୍ରିପାଠୀ, ନୀଳକଣ୍ଠ ମିଶ୍ର, ବିରେନ୍ଦ୍ର ଶତପଥୀ ଓ ରଞ୍ଜନ କୁମାର ଦାଶ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.