ସ୍ବାମୀର ପରକୀୟା ପ୍ରୀତିକୁ ପ୍ରତିବାଦ, ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମୀ ଜେଲ୍ ହାଜତରେ

10


ବେଲଦୁଆର ଫାର୍ମ ହାଉସରେ ତପସ୍ୱିନୀ ହତ୍ୟା ଘଟଣା — ସାଢ଼େ ୩ ବର୍ଷର ଝିଅ ଏବେ ମାଆକୁ ଖୋଜୁଛି

ଓଡ଼ଗାଁ, ୧୬।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଧୀନ ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ବେରୁହାଁବାରୀ ପଞ୍ଚାୟତର ବେଲଦୁଆର ଫାର୍ମ ହାଉସରେ ଘଟିଥିବା ତପସ୍ୱିନୀ ସାହୁ (୨୯) ହତ୍ୟା ଘଟଣାରେ ଅଭିଯୁକ୍ତ ସ୍ବାମୀ ବକ୍ସି ପ୍ରଧାନଙ୍କୁ ପୁଲିସ ଗିରଫ କରିଛି। ଶନିବାର ଅପରାହ୍ନରେ ତାଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ପୁଲିସ ସୂଚନା ଓ ଅଭିଯୋଗ ଅନୁସାରେ, ସ୍ବାମୀଙ୍କ ପରକୀୟା ସମ୍ପର୍କକୁ ନେଇ ତପସ୍ୱିନୀ ପ୍ରତିବାଦ କରୁଥିଲେ। ଗୁରୁବାର ଅପରାହ୍ନରେ ତାଙ୍କ ମୋବାଇଲକୁ ଜଣେ ଯୁବତୀଙ୍କ ଫଟୋ ଆସିବା ସହ ଉକ୍ତ ଯୁବତୀଙ୍କ ସହ ତାଙ୍କ ସ୍ବାମୀଙ୍କ ସମ୍ପର୍କ ଥିବା ନେଇ ସୂଚନା ମିଳିଥିଲା। ଏହାକୁ ନେଇ ତପସ୍ୱିନୀ ସ୍ବାମୀଙ୍କୁ ପ୍ରଶ୍ନ କରିବାରୁ ଗୁରୁବାର ରାତିରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ଏହାପରେ ବକ୍ସି ପ୍ରଧାନ ତପସ୍ୱିନୀଙ୍କୁ ହତ୍ୟା କରି ଘରଠାରୁ ପ୍ରାୟ ୧୫ ମିଟର ଦୂରରେ ଥିବା ପୋଖରୀରେ ଫିଙ୍ଗି ଦେଇଥିଲେ। ପରେ ତପସ୍ୱିନୀ ପାଣିରେ ବୁଡ଼ିଯାଇଥିବା ନେଇ ଦମକଳ ବାହିନୀ ଓ ୧୧୨କୁ ସୂଚନା ଦିଆଯାଇଥିଲା। ଦମକଳ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତପସ୍ୱିନୀଙ୍କ ମୃତଦେହ ଉଦ୍ଧାର କରି ଓଡ଼ଗାଁ ଡାକ୍ତରଖାନାକୁ ଆଣିଥିଲେ।
ତପସ୍ୱିନୀଙ୍କ ମାଆଙ୍କ ଅଭିଯୋଗ ଆଧାରରେ ଓଡ଼ଗାଁ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ବକ୍ସି ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ ମାଆକୁ ହରାଇ ସାଢ଼େ ୩ ବର୍ଷର ଶିଶୁକନ୍ୟା ଏବେ ମାଆକୁ ଖୋଜୁଥିବା ଦୃଶ୍ୟ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ମାଆ ନଥିବା ବେଳେ ବାପା ମଧ୍ୟ ଜେଲ୍ ହାଜତରେ ଥିବାରୁ ଶିଶୁଟିର ଭବିଷ୍ୟତକୁ ନେଇ ପରିବାର ଚିନ୍ତିତ ହୋଇପଡ଼ିଛି।

Leave A Reply

Your email address will not be published.