ଆଞ୍ଚଳିକ ଦଳ ଛାଡ଼ି ବିଜେପିରେ ଆଡମା ରାବା ଶତାଧିକ ସମର୍ଥକଙ୍କ ସହ ଯୋଗଦାନ,

11

ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜନୈତିକ ସମୀକରଣକୁ ନେଇ ଚର୍ଚ୍ଚା ।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଜିଲ୍ଲାରେ ରାଜନୈତିକ ତତ୍ପରତା ବଢ଼ୁଥିବା ବେଳେ ଜିଲ୍ଲା ରାଜନୀତିରେ ଏକ ନୂଆ ମୋଡ଼ ଦେଖାଦେଇଛି। ବିଜେଡିରୁ ଇସ୍ତଫା ଦେବାର ଦୁଇଦିନ ପରେ ପୂର୍ବତନ ଜିଲ୍ଲା ବିଜୁ ଛାତ୍ର ସଭାପତି ତଥା ଦୁଇଦୁଇ ଥର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଭାପତି ଥିବା ଆଡମା ରାବା ଆଜି ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି।

ଆଡମା ରାବା ନିଜ ଶତାଧିକ ସମର୍ଥକଙ୍କ ସହ ବିଜେପିର ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚି ଦଳରେ ସାମିଲ ହୋଇଥିଲେ। ତାଙ୍କ ସହ ବହୁ ବୁଦ୍ଧିଜୀବୀ ଓ ସମର୍ଥକ ମଧ୍ୟ ବିଜେପିରେ ଯୋଗଦେଇଥିବା ଜଣାପଡ଼ିଛି।

ଏହି ମିଶ୍ରଣ ପର୍ବରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଧାୟକ ନରସିଂହ ମାଡକାମୀ,ବିଜେପି ଜିଲ୍ଲା ସଭାପତି ଅଶୋକ ପରିଡ଼ାଙ୍କ ସମେତ ଜିଲ୍ଲା ଟିମ୍ର ବହୁ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଦଳରେ ଯୋଗଦେଇଥିବା ନୂତନ ସଦସ୍ୟମାନଙ୍କୁ ଦଳୀୟ ନେତୃତ୍ୱ ପକ୍ଷରୁ ସ୍ୱାଗତ କରାଯାଇଥିଲା।

ରାଜନୈତିକ ମହଲରେ ଆଡମା ରାବାଙ୍କ ଏହି ଦଳ ପରିବର୍ତ୍ତନକୁ ଗୁରୁତ୍ୱ ସହ ଦେଖାଯାଉଛି। ଦୀର୍ଘଦିନ ଧରି ସ୍ଥାନୀୟ ରାଜନୀତିରେ ସକ୍ରିୟ ଥିବା ଆଡମା ରାବାଙ୍କ ସହ ଶତାଧିକ ସମର୍ଥକଙ୍କ ବିଜେପିରେ ଯୋଗଦାନ ଦଳର ସାଙ୍ଗଠନିକ ଶକ୍ତି ବୃଦ୍ଧିରେ ସହାୟକ ହେବ ବୋଲି ଦଳୀୟ ମହଲରେ ଆଶା ପ୍ରକାଶ ପାଇଛି।
ଅନ୍ୟପକ୍ଷରେ, ଜଣେ ପରିଚିତ ନେତା ବିଜେଡି ଛାଡ଼ି ବିଜେପିରେ ଯୋଗଦେବା ଘଟଣା ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲ୍ଲାର ରାଜନୈତିକ ଗଣିତକୁ ପ୍ରଭାବିତ କରିବ କି ନାହିଁ, ସେନେଇ ବୁଦ୍ଧିଜୀବୀ ଓ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ତେବେ ଦଳ ପରିବର୍ତ୍ତନ ପରେ ଆଡମା ରାବାଙ୍କୁ ବିଜେପି ପକ୍ଷରୁ କିପରି ସାଙ୍ଗଠନିକ ଦାୟିତ୍ୱ ଦିଆଯିବ ଏବଂ ତାଙ୍କ ସମର୍ଥକମାନେ ଆଗାମୀ ନିର୍ବାଚନରେ କେତେଦୂର ସକ୍ରିୟ ଭୂମିକା ନେବେ, ତାହା ଉପରେ ଏବେ ନଜର ରହିଛି।
ସୂଚନାଯୋଗ୍ୟ, ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳର ନେତା ଓ କର୍ମୀଙ୍କ ଦଳବଦଳ ଘଟଣା ସାଧାରଣତଃ ସ୍ଥାନୀୟ ରାଜନୈତିକ ସମୀକରଣକୁ ନୂଆ ଦିଗ ଦେଇଥାଏ। ଏହି ପରିପ୍ରେକ୍ଷୀରେ ଆଡମା ରାବାଙ୍କ ବିଜେପିରେ ଯୋଗଦାନ ଆଗାମୀ ଦିନରେ କି ପ୍ରଭାବ ପକାଇବ, ତାହା ନେଇ ଅପେକ୍ଷା ଜାରି ରହିଛି।

Leave A Reply

Your email address will not be published.