କେନ୍ଦ୍ରାପଡ଼ା:16/08 (ପ୍ରଫୁଲ୍ଲ କୁମାର ମଲ୍ଲ) ଲଗାତାର ବର୍ଷାରେ ଚଣ୍ଡିଖୋଲ–ପାରାଦ୍ୱୀପ ୫୩ ନମ୍ବର ଜାତୀୟ ରାଜପଥର ନିଳାଚଳ ଛକ ନିକଟରେ ଘଟିଛି ବଡ଼ ଅଘଟଣ। ବର୍ଷା ପାଣିରେ ରାସ୍ତା ତଳ ମାଟି ଓ ପାଉଁଶ ଧୋଇଯିବା ଫଳରେ ରାଜପଥର ଏକ ବଡ଼ ଅଂଶ ଧସିଯାଇଛି। ଫଳରେ ରାସ୍ତାରେ ଯାଉଥିବା ୩ଟି ଭାରୀ ଟ୍ରକ୍ ଭାରସାମ୍ୟ ହରାଇ ଖାଲ ଓ ପାଣି ଭିତରକୁ ଓଲଟି ପଡ଼ିଛି। ରାସ୍ତା ଧସିବା ପରେ ଘଟଣାସ୍ଥଳରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ପିଚୁ ରାସ୍ତାର ଏକ ବଡ଼ ଅଂଶ ଭାଙ୍ଗିଯାଇଛି। ଗୋଟିଏ ଟ୍ରକ୍ ରାସ୍ତା କଡ଼ରେ ବିପଦଜନକ ଭାବେ ଓଲଟି ରହିଥିବା ବେଳେ ଅନ୍ୟ ଦୁଇଟି ଟ୍ରକ୍ ପାଣି ଓ କାଦୁଅ ଭିତରେ ଫସି ରହିଛି। ଏହାଯୋଗୁଁ ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇପଡ଼ିଛି।ରାସ୍ତା ନିର୍ମାଣରେ ନିମ୍ନମାନର କାମ ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ରାସ୍ତା ତଳେ ପାଉଁଶ ଭର୍ତ୍ତି କରାଯାଇଥିବା ଏବଂ ଉପରେ ମାତ୍ର ଗୋଟିଏ ସ୍ତରର ଚିପ୍ସ ଓ ପିଚୁ ବ୍ୟବହାର କରାଯାଇଥିବାରୁ ବର୍ଷା ପାଣି ରାସ୍ତା ତଳକୁ ପ୍ରବେଶ କରି ମାଟି ଧୋଇ ନେଇଥିବା ସେମାନେ କହିଛନ୍ତି। ତେବେ ଏହି ଅଭିଯୋଗର ସ୍ୱତନ୍ତ୍ର ତଦନ୍ତ ହେଲେ ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ମତ ପ୍ରକାଶ ପାଇଛି।ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ନିର୍ମାଣର ମାନକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ମାଲିକଙ୍କୁ ଉଚିତ କ୍ଷତିପୂରଣ, ରାସ୍ତା ଧସିବାର କାରଣର ତଦନ୍ତ ଏବଂ ଦାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ତୁରନ୍ତ ରାସ୍ତା ମରାମତି କରି ଯାତାୟାତ ସ୍ୱାଭାବିକ କରିବାକୁ ଦାବି ହୋଇଛି।ଏପଟେ ଘଟଣାସ୍ଥଳରେ ପ୍ରକଳ୍ପ ପରିଚାଳକଙ୍କ ଉପସ୍ଥିତିରେ ଉଦ୍ଧାରକାରୀ ଦଳ ଜେସିବି ଓ କ୍ରେନ୍ ସାହାଯ୍ୟରେ ଫସିଥିବା ଟ୍ରକ୍ଗୁଡ଼ିକୁ ବାହାର କରିବାକୁ ପ୍ରଚେଷ୍ଟା ଚଳାଇଛନ୍ତି। ରାସ୍ତା ମରାମତି ଓ ଯାତାୟାତ କେବେ ସ୍ୱାଭାବିକ ହେବ, ତାହାକୁ ନେଇ ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।