ଝାରସୁଗୁଡ଼ା, ୧୫/୦୮/୨୦୨୬: ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ୮୦ ତମ ସ୍ୱାଧୀନତା ଦିବସ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଝାରସୁଗୁଡ଼ା ତହସିଲଦାର ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ସଦାକର କୁମ୍ଭାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ କୁମ୍ଭାର ଛାତ୍ରଛାତ୍ରୀମାନଙ୍କୁ ବ୍ୟକ୍ତିଗତ ଉନ୍ନତି ସହ ନେତୃତ୍ୱ ନେଇ କାର୍ଯ୍ୟ କରିବା, ଦେଶ ପ୍ରତି ସମର୍ପଣ ଭାବନା ରଖି କାର୍ଯ୍ୟ କରିବା, ପ୍ରତ୍ୟେକ ମୁକାବିଲାର ସମ୍ମୁଖୀନ ହୋଇ ଦେଶକୁ ଆଗେଇ ନେବା ଏବଂ ଜୀବନରେ ସଫଳ ମଣିଷ ହେବା ଲାଗି ଉଦବୋଧନ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତା ସ୍ୱାଗତ ଭାଷଣପୂର୍ବକ ଉପସ୍ଥିତ ସମସ୍ତଙ୍କୁ ରାଷ୍ଟ୍ରୀୟ ଦାୟିତ୍ଵ ନେବା ସହିତ ଶୃଙ୍ଖଳିତ ଜୀବନ ଆପଣେଇବାକୁ ଆହ୍ଵାନ କରିଥିଲେ।

ବିଦ୍ୟାଳୟର ପ୍ରତିଷ୍ଠା ସଭ୍ୟ ଅର୍ଜୁନ ଅଗ୍ରୱାଲ, ସମିତି ସଭ୍ୟ ତଥା ବରିଷ୍ଠ ଆଇନଜ୍ଞ ତାପସ ରାୟ ଚୌଧୁରୀ, ସମିତି ସଭ୍ୟ ତଥା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ନରେନ୍ଦ୍ର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷୟିତ୍ରୀ ନମିତା ପାଣ୍ଡେ ସ୍ୱାଧୀନତା ଦିବସ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଲେଖ ସାହୁ ଓ ଅଞ୍ଜଳି ବାଲା ସୁବ୍ରମନ୍ୟନ ସଭା ସଞ୍ଚାଳନ କରିଥିଲେ । ପରିଶେଷରେ ଶିକ୍ଷୟିତ୍ରୀ ନୀଳିମା ପଟେଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ୟାରେଡ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ ।