କେନ୍ଦ୍ରାପଡ଼ା:16/08(ପ୍ରଫୁଲ୍ଲ କୁମାର ମଲ୍ଲ) ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କ ସହ ଦୁର୍ବ୍ୟବହାର, ଧମକପୂର୍ଣ୍ଣ ଭାଷା ପ୍ରୟୋଗ ଏବଂ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ଅଭିଯୋଗକୁ ନେଇ କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ ହୋଇଛି। ଡେରାବିଶ ବ୍ଲକର କର୍ମଚାରୀମାନେ ଏହି ଅଭିଯୋଗପତ୍ର ଦାଖଲ କରିଛନ୍ତି। ଅଭିଯୋଗପତ୍ର ଅନୁସାରେ, ଗତ ୧୪ ଅଗଷ୍ଟ ଦିନ ପ୍ରାୟ ୧୨ଟା ସମୟରେ ଉମାକାନ୍ତ ପଟ୍ଟନାୟକ ଓ ଅନ୍ୟ କିଛି ବ୍ୟକ୍ତି ବିନା ଅନୁମତିରେ ଡେରାବିଶ ବିଡିଓଙ୍କ କାର୍ଯ୍ୟକକ୍ଷରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ସେଠାରେ ବିଡିଓଙ୍କ ପ୍ରତି ଆପତ୍ତିଜନକ, ଅଶାଳୀନ ଓ ଧମକପୂର୍ଣ୍ଣ ଭାଷା ବ୍ୟବହାର କରାଯାଇଥିବା ଦର୍ଶାଯାଇଛି। ଏହାଫଳରେ ବିଡିଓ ମାନସିକ ଚାପରେ ଅସୁସ୍ଥ ହୋଇ ଅଫିସରେ ଅଚେତ ହୋଇପଡ଼ିଥିବା ଏବଂ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି। ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ରେଫର କରାଯାଇଥିବା କୁହାଯାଇଛି।
ଘଟଣାକୁ ନେଇ ବ୍ଲକର ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ସରକାରୀ କର୍ମଚାରୀମାନେ ଭୟମୁକ୍ତ ଓ ଶାନ୍ତିପୂର୍ଣ୍ଣ ପରିବେଶରେ କାର୍ଯ୍ୟ କରିବା ପାଇଁ ଅଭିଯୋଗପତ୍ରରେ ଦାବି କରାଯାଇଛି। ଏଥିସହ ଘଟଣାରେ ସମ୍ପୃକ୍ତ ଉମାକାନ୍ତ ପଟ୍ଟନାୟକ ଓ ଅନ୍ୟମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଏବଂ ବ୍ଲକ କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇବାକୁ ପୁଲିସ ନିକଟରେ ଅନୁରୋଧ କରାଯାଇଛି।
ତେବେ ଅଭିଯୋଗରେ ଥିବା ଅଭିଯୋଗଗୁଡ଼ିକର ସ୍ୱତନ୍ତ୍ର ଯାଞ୍ଚ ଓ ପୁଲିସର ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ନଜର ରହିଛି।
Sign in
Sign in
Recover your password.
A password will be e-mailed to you.
Next Post