ପଦ୍ମପୁରରେ ‘ଘରେ ଘରେ ତ୍ରିରଙ୍ଗା’ କାର୍ଯ୍ୟକ୍ରମ

38

  • •୬୫୦ ଫୁଟ୍ ଲମ୍ବର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ,
  • •ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ନାଗରିକଙ୍କ ଅଂଶଗ୍ରହଣ
  • •ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗୋବର୍ଦ୍ଧନ ଭୁଏ କଲେ ପତାକା ଦେଖାଇ ଶୁଭାରମ୍ଭ
  • •ଆର୍. ବି. ହାଇସ୍କୁଲ ପଡ଼ିଆରୁ ବାହାରି ସହର ପରିକ୍ରମା, ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ପଦ୍ମପୁର/ ଶିବାଶିଷ ପଟ୍ଟନାୟକ:- ୮୦ତମ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ‘ଘରେ ଘରେ ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅଧୀନରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ସହରରେ ଆନନ୍ଦ-ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି। “ସ୍ବଚ୍ଛତା ସହିତ ସ୍ୱତନ୍ତ୍ରତା ର ଉତ୍ସବ” ବିଷୟବସ୍ତୁ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମରେ ୨୦୦ ମିଟର (ପ୍ରାୟ ୬୫୦ ଫୁଟ୍) ଲମ୍ବ ବିଶିଷ୍ଟ ଆକର୍ଷଣୀୟ ଜାତୀୟ ପତାକା ଶୋଭାଯାତ୍ରା ସମଗ୍ର ପଦ୍ମପୁର ସହର ପରିକ୍ରମା କରି ଦେଶପ୍ରେମର ଅପୂର୍ବ ଶିହରଣ ସୃଷ୍ଟି କରିଥିଲା। ଏହି ବିଶାଳ ଶୋଭାଯାତ୍ରାକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଗୋବର୍ଦ୍ଧନ ଭୁଏ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ଆର୍. ବି. ହାଇସ୍କୁଲ ଖେଳ ପଡ଼ିଆରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହରର ପ୍ରମୁଖ କଚେରୀ ଛକ, ଥାନା ଛକ ରୁ ବଡ଼ବନ୍ଧ ରାସ୍ତା ଦେଇ ପୁନର୍ବାର ଆର୍. ବି. ହାଇସ୍କୁଲ ଖେଳ ପଡ଼ିଆରେ ପହଞ୍ଚି ଶେଷ ହୋଇଥିଲା। ଶୋଭାଯାତ୍ରା ପଥରେ ସହରର ବିଭିନ୍ନ ସ୍ଥାନରେ ପୂଜିତ ସମସ୍ତ ମହାନ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ପୂର୍ବକ ମାଲ୍ୟାର୍ପଣ କରାଯାଇଥିଲା।
ଏହି ସ୍ମରଣୀୟ ଶୋଭାଯାତ୍ରାରେ ପଦ୍ମପୁରର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ହଜାରେରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ସ୍ଥାନୀୟ ବୁଦ୍ଧିଜୀବୀ, ଜନସାଧାରଣ ଓ ସରକାରୀ କର୍ମଚାରୀମାନେ ଅତ୍ୟନ୍ତ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ୬୫୦ ଫୁଟ୍‌ର ବିଶାଳ ତ୍ରିରଙ୍ଗାକୁ ହାତରେ ଧରି ‘ଭାରତ ମାତା କି ଜୟ’ ଓ ‘ବନ୍ଦେ ମାତରମ୍’ ର ନାରା ଦେଇ ଛାତ୍ରଛାତ୍ରୀ ଓ ନାଗରିକମାନେ ଗଗନପବନ ମୁଖରିତ କରିଦେଇଥିଲେ।

ପଦ୍ମପୁର ଏନ୍‌ଏସି ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବର, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନତ ପାଢ଼ୀ, ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ତଥା ପଦ୍ମପୁର ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ଭାବେ ପରିଚାଳନା କରିଥିଲେ।

Leave A Reply

Your email address will not be published.