ପେସାରେ ଡ୍ରାଇଭର, ନିଶାରେ ସମାଜସେବୀ ସୀତାରାମ

36


ଓଡ଼ଗାଁ, ୧୦।୮(ଶ୍ରୀକାନ୍ତ କୁମାର ମିଶ୍ର): ପେସାରେ ଜଣେ ଡ୍ରାଇଭର, ହେଲେ ନିଶା ତାଙ୍କର ସମାଜସେବା। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୋମଣ୍ଡ ପଞ୍ଚାୟତର ସୀତାରାମ ନିଜର ମେଳାପୀ, ସହଯୋଗୀ ଓ ସାହାଯ୍ୟକାରୀ ଗୁଣ ପାଇଁ ଅଞ୍ଚଳବାସୀଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି। ବାହାଘର, ପୁଆଣି ଭଳି ଶୁଭକାର୍ଯ୍ୟଠାରୁ ଆରମ୍ଭ କରି ରୋଗୀଙ୍କୁ ଡାକ୍ତରଖାନା ନେବା, ରାସ୍ତାଘାଟରେ ଦୁର୍ଘଟଣା ଘଟିବା କିମ୍ବା ଅନ୍ୟ କୌଣସି ଜରୁରୀ ପରିସ୍ଥିତି—ସବୁଠି ସୀତାରାମଙ୍କ ସହଯୋଗ ମିଳିଥାଏ। ଦିନ ହେଉ କି ରାତି, ଆବଶ୍ୟକ ସମୟରେ ଡାକ ପାଇଲେ ସେ ଆନନ୍ଦର ସହ ଲୋକଙ୍କ ପାଖରେ ପହଞ୍ଚିଯାଆନ୍ତି। ରାସ୍ତା ଦୁର୍ଘଟଣା ଠାରୁ ବନବିଭାଗ ବଣ୍ୟପ୍ରାଣୀ ପରିଚାଳନା ଇତ୍ୟାଦି କାର୍ଯ୍ୟରେ ଅଞ୍ଚଳକୁ ଆସୁଥିବା ସରକାରୀ ଅଧିକାରୀଙ୍କୁ ମଧ୍ୟ ଆବଶ୍ୟକ ସମୟରେ ସହଯୋଗର ହାତ ବଢ଼ାଇଥାନ୍ତି ସୀତାରାମ । ବର୍ଷାଦିନେ ସାପ ଓ ଅନ୍ୟାନ୍ୟ ସରୀସୃପ ଗାତରେ ପାଣି ପଶିବାରୁ ଘରଦ୍ୱାରକୁ ପଶି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥାନ୍ତି। ସ୍ନେକ୍ ହେଲ୍ପଲାଇନ୍ କର୍ମଚାରୀଙ୍କ ଉପସ୍ଥିତିରେ ବିଳମ୍ବ ହେଲେ ଏଭଳି ସମୟରେ ସୀତାରାମ ଲୋକଙ୍କ ପାଇଁ ସହାୟତାର ହାତ ବଢ଼ାଇଥାନ୍ତି। ସେ ଅନେକ ବିଷଧର ସାପକୁ ଉଦ୍ଧାର କରି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିଥିବା ନଜିର ରହିଛି। ଏହି କ୍ରମରେ ସୋମବାର ରାତି ପ୍ରାୟ ୧୦ ସମୟରେ କୋମଣ୍ଡ ମକର ପଦା ଅଞ୍ଚଳର ଭାସ୍କର ସାହୁଙ୍କ ଘର ତାଜା ଉପରେ ପହିଥିବା ଏକ କଳୋଥିଆ ନାଗକୁ ସୀତାରାମ ସେନାପତି ସଫଳତାର ସହ ଉଦ୍ଧାର କରିଥିବା ଜଣାପଡିଛି । ସାପ ଉଦ୍ଧାର ଭଳି କାର୍ଯ୍ୟରେ ବନବିଭାଗର ନିୟମ ଓ ଆବଶ୍ୟକୀୟ ସୁରକ୍ଷା ପଦକ୍ଷେପ ସହ ତାଙ୍କୁ ଏକ ସ୍ୱୀକୃତିପତ୍ର କିମ୍ବା ପ୍ରଶିକ୍ଷଣ ଦିଆଗଲେ ଅଞ୍ଚଳବାସୀ ଅଧିକ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Leave A Reply

Your email address will not be published.