୧୬ତମ ନିଯୁକ୍ତି ମେଳା-୨୦୨୬: ୯ଟି ବିଭାଗରେ ନିଯୁକ୍ତି ପାଇଲେ ୧୩୨୬

9

  • ଆଜି ସୁଦ୍ଧା ୪୫,୪୦୮ ସରକାରୀ ନିଯୁକ୍ତି, ଓଡିଶାରେ ଏବେ ରିଭର୍ସ-ମାଇଗ୍ରେସନ୍ ଆରମ୍ଭ ହେଲାଣି
  • ସାଧାରଣ ଲୋକଟିଏ ଆପଣଙ୍କ ପାଖକୁ ସମସ୍ୟା ନେଇ ଆସିଲେ,ସମ୍ମାନର ସହ ତାଙ୍କ କଥା ଶୁଣନ୍ତୁ ଓ ସମାଧାନ ପାଇଁ ଉଦ୍ୟମ କରନ୍ତୁ – ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
  • ସରକାରୀ ସେବାରେ ସଫଳତା ପଦବୀ ଦ୍ୱାରା ମପାଯାଏ ନାହିଁ, ବରଂ ନାଗରିକଙ୍କ ଜୀବନରେ ଆପଣ କି ପରିବର୍ତ୍ତନ ଆଣିପାରୁଛନ୍ତି, ତା ଉପରେ ନିର୍ଭର କରେ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୦ ଅଗଷ୍ଟ ୨୦୨୬: ସରକାରୀ ସେବାରେ ସଫଳତା ପଦବୀ ଦ୍ୱାରା ମପା ଯାଏ ନାହିଁ, ବରଂ ନାଗରିକଙ୍କ ଜୀବନରେ କି ପରିବର୍ତ୍ତନ ଆଣିପାରୁଛନ୍ତି, ତାହା ଦ୍ୱାରା ମପାଯାଏ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୧୬ତମ ନିଯୁକ୍ତି ମେଳା ଅବସରରେ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ ଅବସରରେ କହିଛନ୍ତି।

ଭୁବନେଶ୍ୱର ରେଳ ଅଡିଟୋରିଅମ ଠାରେ ଆୟୋଜିତ ଏହି ନିଯୁକ୍ତିମେଳା କାର୍ଯ୍ୟକ୍ରମରେ ଆଜି ୯ଟି ବିଭାଗରେ ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏଥିରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ୩୬୪ ଜଣ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୩୬୧ ଜଣ କନିଷ୍ଠ ଯନ୍ତ୍ରୀ, ଶକ୍ତି ବିଭାଗ ଓ OHPCରେ ୧୨ ଜଣ କନିଷ୍ଠ ଯନ୍ତ୍ରୀ ଓ ୨୨୮ ଟ୍ରେନି, କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୧୧୮ ଜଣ ସହକାରୀ କୃଷି ଅଧିକାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୧୧ ଜଣ ସହକାରୀ ପ୍ରାଧ୍ୟାପକ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗରେ ୧୫ ଜଣ କନିଷ୍ଠ ଯନ୍ତ୍ରୀ ଓ ୭୧ ଜଣ ପ୍ରାଣିଧନ ନିରିକ୍ଷକ, କ୍ରୀଡା ବିଭାଗରେ ୨୬ ଜଣ ଜୁନିଅର କୋଚ୍, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୦ ଜଣ ପ୍ରଶିକ୍ଷକ ଏବଂ ଅବକାରୀ ବିଭାଗରେ ୧୦ ଜଣ ଉପ-ନିରିକ୍ଷକଙ୍କୁ ନିଯୁକ୍ତି ମିଳିଛି।

ନବନିଯୁକ୍ତଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସରକାରୀ ଚାକିରିର ମୂଳ ଲକ୍ଷ୍ୟ ହେଉଛି ଜନସେବା । ଲୋକଙ୍କ ସମସ୍ୟା ଓ ଅଭିଯୋଗର ସମୟବଦ୍ଧ ସମାଧାନ କରିବା ଆପଣମାନଙ୍କର ନୈତିକ କର୍ତ୍ତବ୍ୟ। କୌଣସି ଲୋକ ଯେତେବେଳେ କିଛି ସମସ୍ୟା ନେଇ ଆପଣଙ୍କ ପାଖକୁ ଆସିବେ, ସେତେବେଳେ ପ୍ରଶାସନର ଅଂଶ ଭାବେ ସମ୍ମାନ ଦେଇ ସେମାନଙ୍କ ସମସ୍ୟା ଶୁଣିବା ଏବଂ ତୁରନ୍ତ ପଦକ୍ଷେପ ନେବା ହିଁ ପ୍ରକୃତ ଜନସେବା। ଆମର ଲକ୍ଷ୍ୟ ହେଉଛି ସମାଜର ଶେଷ ଧାଡିରେ ଥିବା ଲୋକ ପାଖରେ ସମସ୍ତ ସରକାରୀ ସୁବିଧା ପହଞ୍ଚାଇବା। ଏହାକୁ ମନରେ ରଖି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ସେ ପୁଣି କହିଥିଲେ ୨୦୩୬ ସୁଦ୍ଧା ଆମର ସମୃଦ୍ଧ ଓଡିଶା ଗଠନ ଓ ୨୦୪୭ ସୁଦ୍ଧା ଓଡିଶାକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ଗ୍ରୋଥ ଇଞ୍ଜିନ କରିବାର ଲକ୍ଷ୍ୟ ରହିଛି । ଏହି ସ୍ୱପ୍ନକୁ ସାକାର କରିବା ପାଇଁ ସ୍ୱଚ୍ଛ ଓ ସୁଦୃଢ ପ୍ରଶାସନ ଏବଂ ଦକ୍ଷ, ଶୃଙ୍ଖଳିତ ଓ ସେବା ମନୋଭାବ ଅଧିକାରୀ ଓ କର୍ମଚାରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡିଶାରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ନିଯୁକ୍ତି ଅଭିଯାନ ଆରମ୍ଭ ହୋଇଛି। ୨୦୨୪ ଜୁନ୍ ମାସରୁ ଆଜି ସୁଦ୍ଧା ସରକାରୀ ସ୍ତରରେ ୪୫ ହଜାର ୪୦୮ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଗଲାଣି ବୋଲି ସେ କହିଥିଲେ।

ସେ ଆହୁରି କହିଥିଲେ ଯୁବଶକ୍ତିର ସାମର୍ଥ୍ୟର ପ୍ରକୃତ ଉପଯୋଗ ପାଇଁ ଶିଳ୍ପାୟନର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବିଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ପାଇଁ ଆମେ ଉଦ୍ୟମ ଜାରି ରଖିଛୁ। ଏଥିପାଇଁ ଦେଶ ଭିତରେ ଓ ଦେଶ ବାହାରକୁ ଯାଇ ଶିଳ୍ପପତି ମାନଙ୍କୁ ଭେଟି ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆକର୍ଷିତ କରୁଛୁ। ଫଳସ୍ୱରୂପ ଗତ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୨୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଛି ଏବଂ ଏଥିରୁ ୨୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଦୁଇ ଦିନ ତଳେ ନୂଆ ଦିଲ୍ଲୀ ଓ ନୋଇଡାରେ ଓଡିଶା ଫୁଡ୍ ପ୍ରୋସେସିଙ୍ଗ୍ ରୋଡ୍ ସୋ ରେ ଯୋଗଦେଇ ଶିଳ୍ପପତିମାନଙ୍କ ସହ ଓଡିଶାରେ ନିବେଶ ପାଇଁ ଆଲୋଚନା କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଗସ୍ତ ସମୟରେ ୪୬ଟି ବୈଠକରେ ୨୦୮ ଜଣ ନିବେଶକଙ୍କ ସହିତ ବ୍ୟକ୍ତିଗତ ଆଲୋଚନା ହୋଇଛି, ୩୮ଟି MoU ସ୍ୱାକ୍ଷରିତ ହୋଇଛି। ଏଥିରେ ସମୁଦାୟ ୬୬,୩୯୨ କୋଟି ଟଙ୍କାର ପୁଞ୍ଜି ନିବେଶ ସହିତ ୫୪,୧୩୫ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏବେ ଓଡିଶାରେ ରିଭର୍ସ ମାଇଗ୍ରେସନ୍ ଆରମ୍ଭ ହେଲାଣି ବୋଲି କହି ଆଗାମୀ ଦିନରେ ଶିଳ୍ପାୟନ ଓ ନିଯୁକ୍ତି କ୍ଷେତ୍ରରେ ରାଜ୍ୟରେ ବ୍ୟାପକ ପରିବର୍ତ୍ତନ ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଶେଷରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଓ ସେମାନଙ୍କ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଇବା ସହିତ ନବନିଯୁକ୍ତଙ୍କୁ ଦୁର୍ନୀତିରୁ ସବୁବେଳେ ଦୂରରେ ରହିବା ପାଇଁ ପରାମର୍ଶ ଦେଇଥିଲେ।

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ନବନିଯୁକ୍ତଙ୍କୁ ଅଭିନନ୍ଦନ ଜଣାଇ କର୍ମକ୍ଷେତ୍ରରେ ନିଷ୍ଠା ଓ ସଚ୍ଚୋଟତାର ସହ କାମ କରି ପରିବାର ପାଇଁ ସୁନାମ ଆଣିବା ସହିତ ରାଜ୍ୟର ଉନ୍ନତିରେ ସହାୟକ ହେବା ପାଇଁ ପରାମର୍ଶ ଦେଇଥିଲେ।

ପଞ୍ଚାୟତିରାଜ ଓ ପାନୀୟଜଳ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ନବନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ମାନବ ସେବା ହିଁ ମାଧବ ସେବା, ଏହା ଆମର ଧର୍ମ ଅଟେ। ଆପଣମାନେ ଆସନ୍ତା କାଲି ପାଇଁ ଓଡିଶାର ଭାଗ୍ୟବିଧାତା। ଆମର ୨୦୩୬ ଲକ୍ଷ୍ୟ ପୂରଣର ପ୍ରମୁଖ ବିନ୍ଧାଣୀ। ଓଡିଶା ମାଟିର ସେବା ଓ ଉନ୍ନତି ପାଇଁ ଉତ୍ସର୍ଗୀକୃତ ଭାବେ କାମ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ ନବନିଯୁକ୍ତଙ୍କ ମଧ୍ୟରୁ ଗୃହ ଓ ନଗର ଉନ୍ନୟନ ବିଭାଗର ତୁଷାରକାନ୍ତ ପଟ୍ଟନାୟକ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଇପ୍ସିତା ମହାନ୍ତି, OHPCର ଅକନ୍ତିକା ନିର୍ଝରିଣୀ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରତ୍ୟୁଷ ପଣ୍ଡା ଏବଂ ମତ୍ସ୍ୟ ଓ ପ୍ରାଣିସମ୍ପାଦ ବିଭାଗର ସତ୍ୟ ପ୍ରକାଶ ଜେନା ସ୍ୱଚ୍ଛତାପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ଜରିଆରେ ଯୁବଗୋଷ୍ଠୀଙ୍କ ସ୍ୱପ୍ନକୁ ସାକାର କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଓ ଧନ୍ୟବାଦ ଜଣାଇ ସମସ୍ତେ ସତ୍ୟ ନିଷ୍ଠା ଓ ସେବା ମନୋବୃତ୍ତି ନେଇ କାମ କରିବେ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଓ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ।

ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଗିରୀଶ ଏସ୍.ଏନ୍ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.