ଗ୍ରାମବାସୀଙ୍କ ହାତରେ ଧରାପଡ଼ିଲା ଚାଉଳ ନେଇଯାଉଥିବା ଘଟଣା; ତଦନ୍ତ ଦାବି
ରାୟଗଡା ରୁ ବୈକୁଣ୍ଠ ଦୁରିଆ : କାଶୀପୁର ବ୍ଲକ ଅନ୍ତର୍ଗତ ଡଙ୍ଗାସିଲ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ଆସୁଥିବା ସରକାରୀ ଚାଉଳକୁ ଅନିୟମିତ ଭାବେ ବାହାରକୁ ନେଇ ବିକ୍ରି କରାଯାଉଥିବା ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଗ୍ରାମବାସୀମାନେ ବିଦ୍ୟାଳୟରୁ ଚାଉଳ ବାହାରକୁ ନେଇଯାଉଥିବା ଘଟଣା ଧରିଥିବା ଦାବି କରିବା ପରେ ଏହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ଅଭିଯୋଗ ଅନୁସାରେ, ବିଦ୍ୟାଳୟର ଗୋଦାମରେ ବହୁ ପରିମାଣର ଚାଉଳ ଦୀର୍ଘଦିନ ଧରି ପଡ଼ିରହି ନଷ୍ଟ ହେଉଥିବା ବେଳେ ଭଲ ଚାଉଳକୁ ରାତି ସମୟରେ ବାହାରକୁ ନେଇ ବିକ୍ରି କରାଯାଉଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ବ୍ୟକ୍ତି ଚାଉଳ ନେଇଯାଉଥିବା ସମୟରେ ଯେଉଁ ବ୍ୟକ୍ତି ଚାଉଳ ଲୋଡ କରୁଥିଲା ସେହି ବ୍ୟକ୍ତି ଗ୍ରାମବାସୀ ଙ୍କୁ ପ୍ରକାଶ କରିଛି |
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟର ଦାୟିତ୍ୱରେ ଥିବା ଅତିରିକ୍ତ ପ୍ରଧାନ ଶିକ୍ଷକ ଜ୍ଞାନ ରଞ୍ଜନ ସାହୁଙ୍କ ନିର୍ଦ୍ଦେଶରେ ଶାଜ ନାଏକ ନାମକ ଜଣେ ବ୍ୟକ୍ତିଙ୍କୁ ଡାକି ଚାଉଳ ଲୋଡ୍ କରାଯାଇଥିଲା ଏବଂ ତାଙ୍କୁ ଦୁଇ ବସ୍ତା ଚାଉଳ ଦିଆଯାଇଥିବା ଅଭିଯୋଗ ରହିଛି। ଏ ସମ୍ପର୍କରେ ଶାଜ ନାଏକଙ୍କ ଗଛିତ ବୟାନ ମଧ୍ୟ ରହିଥିବା ଦାବି କରାଯାଇଛି। ତେବେ ଏହି ଅଭିଯୋଗର ସତ୍ୟତା ସରକାରୀ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
ଘଟଣାକୁ ନେଇ ଗ୍ରାମବାସୀମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ସହ ଚାଉଳର ଷ୍ଟକ୍ ଓ ବ୍ୟବହାରର ହିସାବ ଯାଞ୍ଚ କରିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ, ଘଟଣା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ ମତାମତ ମିଳିପାରିନଥିବାରୁ ଅଭିଯୋଗକୁ ନେଇ ଅଧିକ ପ୍ରଶ୍ନ ଉଠିଛି।
ଏହାସହ ବିଦ୍ୟାଳୟ ଭିତରକୁ ସାମ୍ବାଦିକମାନଙ୍କ ପ୍ରବେଶକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି। ଶିକ୍ଷୟିତ୍ରୀ ସୁଜତା ଦାସ ସାମ୍ବାଦିକଙ୍କୁ ବିଦ୍ୟାଳୟ ପରିସରକୁ ପ୍ରବେଶ ପୂର୍ବରୁ ଜିଲ୍ଲାପାଳଙ୍କ ଅନୁମତି ଆଣିବାକୁ କହିଥିବା ଅଭିଯୋଗ ହୋଇଛି। ସେହିପରି ବିଦ୍ୟାଳୟର କୁକ୍-କମ୍-ଗେଟ୍ କିପର ମଧ୍ୟ ସାମ୍ବାଦିକଙ୍କୁ ଭିତରକୁ ପ୍ରବେଶ କରିବାକୁ ବାରଣ କରିଥିବା ଅଭିଯୋଗ ରହିଛି।
ବିଦ୍ୟାଳୟରେ ବାଳିକା ହଷ୍ଟେଲ ରହିଥିବାରୁ ଛାତ୍ରୀମାନଙ୍କ ଖାଦ୍ୟ ପାଇଁ ଆସୁଥିବା ସାମଗ୍ରୀର ସଠିକ୍ ହିସାବ ଓ ସ୍ୱଚ୍ଛ ବ୍ୟବହାର ନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ। ତେଣୁ ବିଦ୍ୟାଳୟ ଗୋଦାମରେ ଥିବା ଚାଉଳର ବର୍ତ୍ତମାନର ଷ୍ଟକ୍, ଷ୍ଟକ୍ ରେଜିଷ୍ଟର, ଚାଉଳ ଆସିବା ଓ ବ୍ୟବହାରର ହିସାବ ସହ ଗ୍ରାମବାସୀଙ୍କ ଦ୍ୱାରା କଛିତ ଚାଉଳ ନେଇଯିବା ଘଟଣାର ନିରପେକ୍ଷ ତଦନ୍ତ କରାଯିବାକୁ ଦାବି ହେଉଛି।
BEOଙ୍କ ଭୂମିକା ନେଇ ପ୍ରଶ୍ନ
ଏତେ ଗୁରୁତର ଅଭିଯୋଗ ସାମ୍ନାକୁ ଆସିବା ପରେ କାଶୀପୁର ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ କି ପଦକ୍ଷେପ ନିଆଯାଉଛି, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଘଟଣାସ୍ଥଳକୁ ଯାଇ ଗୋଦାମର ଚାଉଳ ଷ୍ଟକ୍ ଓ ରେଜିଷ୍ଟର ଯାଞ୍ଚ ସହ ଅଭିଯୋଗର ପ୍ରକୃତ ସତ୍ୟତା ଜାଣିବା ପାଇଁ ତୁରନ୍ତ ତଦନ୍ତ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଅଭିଯୋଗରେ ନାମ ଆସିଥିବା ଅତିରିକ୍ତ ପ୍ରଧାନ ଶିକ୍ଷକ ଜ୍ଞାନ ରଞ୍ଜନ ସାହୁ, ଶିକ୍ଷୟିତ୍ରୀ ସୁଜତା ଦାସ ଏବଂ ସମ୍ପୃକ୍ତ କୁକ୍-କମ୍-ଗେଟ୍ କିପରଙ୍କ ଭୂମିକା ସମେତ ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ। ତଦନ୍ତରେ ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ନିୟମାନୁସାରେ କଠୋର ବିଭାଗୀୟ ଓ ଆଇନଗତ ପଦକ୍ଷେପ ନିଆଯିବା ଉଚିତ ବୋଲି ସାଧାରଣରେ ଦାବି ହେଉଛି।
ସରକାରୀ ଚାଉଳ ଛାତ୍ରୀମାନଙ୍କ ଖାଦ୍ୟ ବ୍ୟବସ୍ଥା ପାଇଁ ଯୋଗାଣ ହେଉଥିବାରୁ ଏହାର ପ୍ରତ୍ୟେକ କିଲୋର ହିସାବ ସ୍ୱଚ୍ଛ ରହିବା ଆବଶ୍ୟକ। ଏବେ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ—ବିଦ୍ୟାଳୟରେ ଚାଉଳ ବଣ୍ଟନ ଓ ବ୍ୟବହାରରେ ପ୍ରକୃତରେ କୌଣସି ଅନିୟମିତତା ହୋଇଛି କି ନାହିଁ।